ସହରରେ ପଶିଲା ଦନ୍ତା; ଧଉଳିରୁ ପାତ୍ରପଡ଼ା ଭାୟା ଲିଙ୍ଗରାଜ ମନ୍ଦିର, ୬୦ ବନ କର୍ମଚାରୀ ନାକେଦନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଜଙ୍ଗଲୀ ହାତୀଟି ସହର ଭିତରକୁ ପଶିଯିବା ବେଳେ ତାକୁ ପାତ୍ରପଡ଼ା ଶନି ମନ୍ଦିର ନିକଟରୁ ଟ୍ରାଙ୍ଗୁଲାଇଜ୍‌ କରି ବନ ବିଭାଗ ଧରିବାରେ ସମର୍ଥ ହୋଇଛି। ଏହି ଦନ୍ତା ହାତୀଟି ଧଉଳି‌ରୁ  ଗ୍ୟାରଜ୍‌ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ତାପରେ ସେଠାରୁ ସୁନ୍ଦରପଦା, ପୋଖରୀପୁଟ ଦେଇ ଆଇଗିଣିଆ ଆଡ଼େ ଯାଇଥିଲା। ହାତୀଟି ସହରର ଭିତରକୁ ପଶି ଆସିଥିବାରୁ ତାକୁ ଘଉଡ଼େଇବା ପାଇଁ ପ୍ରାୟ ୬୦ ବନ କର୍ମଚାରୀ ନିୟୋଜିତ ହୋଇ ନାକେଦମ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ,  ଦିନରେ ହାତୀଟି ପିପିଲିରେ ଉତ୍ପାତ କରିବା ପରେ ରାତିରେ ରାଜଧାନୀ‌ ଭୁବନେଶ୍ବରରେ ପଶି ଚିନ୍ତାର କାରଣ ପାଲଟିଛି। ଧାନ ଖାଇବା ପାଇଁ ଚନ୍ଦକା ଜଙ୍ଗଲରୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଡେଲାଙ୍ଗ ଦେଇ ପିପିଲି ପଳାଇଥିବା ଦନ୍ତା ହାତୀ ଧଉଳିରେ ପହଞ୍ଚିଥିଲା। ପିପିଲି ଏନ୍‌ଏସି ଅଞ୍ଚଳ ତଥା ପୁରୁଣା ବଜାର ଦେଇ ଦନ୍ତାଟି ଜାତୀୟ ରାଜପଥରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳକୁ ଚାଲିଆସିଥିଲା।

ପୁବାଶାସନ ଗାଁରେ ଭିତର ଦେଇ ପାର୍ ହେବା ଏବେ ହାତୀଟି ଧଉଳି ପାହାଡ଼ କଡ଼ରେ ଦୟାନଦୀ ପଠାରେ ଆଖୁ ଗହୀର ଭିତରେ ରହିଥିଲା। ବନ ବିଭାଗ ଓ ପୁଲିସ ହାତୀର ପିଛା କରୁଥିବାରୁ ହାତୀ ଦ୍ବାରା କିଛି ବଡ଼ଧରଣର ଧନଜୀବନ ହାନୀ ହୋଇନଥିଲା।

ସୂଚନାନୁସାରେ ପ୍ରଥମେ ହାତୀଟି ଖୋର୍ଦ୍ଧା ଜରିପୁଟ ଦେଇ ଡେଲାଙ୍ଗ ଅଞ୍ଚଳକୁ ଚାଲି ଯାଇଥିଲା। ପରେ ହାତୀକୁ ପିପିଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ସେଠାରେ ବ୍ୟାପକ ପାଚିଲା ଧାନ ଫସଲ ନଷ୍ଟ କରିଥିଲା। ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ତାକୁ ଘଉଡ଼ାଇ ପୁଣି ଜଙ୍ଗଲମୁହାଁ କରିବାକୁ ଲାଗିଥିଲେ। ତାକୁ ଘଉଡ଼ାଇବାକୁ ଅପରେସନ୍ ଆରମ୍ଭ ହୋଇଥିଲା। ତେବେ ଦନ୍ତା ଯେଉଁ ବାଟେ ଆସିଥିଲା, ସେଦିଗରେ ନଯାଇ ପିପିଲିରୁ ଧଉଳି ଦିଗକୁ ମାଡ଼ି ଆସିଥିଲା।

ସମ୍ବନ୍ଧିତ ଖବର