ଖୋଳାଖୋଳିର ଗାଁ ପଟିଆ, ଡମଣା

ଚନ୍ଦ୍ରଶେଖରପୁର: ବିଏମ୍‌ସିର ୩ ନମ୍ବର ୱାର୍ଡରେ ଥିବା ପଟିଆଗଡ଼ ଓ ଡମଣା ଗାଁକୁ ଏବେ ସହରୀ ସଭ୍ୟତା ପ୍ରବେଶ କରିଛି। ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଛି। ଦିନେ ଗାଁ ପରିବେଶ ଥିବା ଏହି ୱାର୍ଡରେ ଏବେ ମାଳମାଳ ଆପାର୍ଟମେଣ୍ଟ। ଯୁଆଡ଼େ ଚାହିଁଲେ କେବଳ କୋଠା। ଏବେ ଆଉ ଗାଁ ପରିବେଶର ଚିହ୍ନବର୍ଣ୍ଣ ହିଁ ନାହିଁ। ୱାର୍ଡ ଭିତରେ ଆସୁଥିବା କାନନ ବିହାର, ଶ୍ରୀ ବିହାର ଏବେ ସମ୍ଭ୍ରାନ୍ତ ଶ୍ରେଣୀ ଲୋକଙ୍କ ବା‌ସସ୍ଥଳୀ ପାଲଟିଛି। ଏଭଳି ଏକ ୱାର୍ଡ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ, ୱାର୍ଡ ବିକାଶକୁ ନିର୍ବାଚନୀ ପ୍ରସଙ୍ଗ କରି ୨୦୨୨ରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଲୋକଙ୍କ ଆସ୍ଥାଭାଜନ ହୋଇଥିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ପରିଡ଼ା। ବିଜେଡି ପ୍ରର୍ଥୀଙ୍କୁ ପଛରେ ପକାଇ ବିଜୟ ଟିକା ପିନ୍ଧିଥିଲେ। ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ବିଗତ ଏକ ବର୍ଷ ମଧ୍ୟରେ ୱାର୍ଡର ବିକାଶ କରିଥିଲେ ମଧ୍ୟ ଆହୁରି ଅନେକ ବାକି ରହିଛି।

ବହୁ ଦିନ ହେଲା ସ୍ବଚ୍ଛତା, ପରିମଳ ଓ ଡ୍ରେନେଜ୍‌ ସମସ୍ୟା ଲାଗି ରହିଛି। କାନନ ବିହାର ଫେଜ୍‌-୨ ଅଞ୍ଚଳରେ ଜନବସତି ପାଖରେ ଏମ୍‌ସିସି ପ୍ରତିଷ୍ଠା ହୋଇଥିବାରୁ ଆବର୍ଜନା ଗନ୍ଧରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ। ୱାର୍ଡ ସାରା ଏବେ ଖୋଳାଖୋଳି ଚାଲିଛି। ବର୍ଷ ବର୍ଷ ଧରି କାମ ଚାଲିଥିଲେ ମଧ୍ୟ ସରିବାର ନାଁ ଧରୁନି। କେଉଁଠି ‌ସ୍ବରେଜ ପାଇଁ ବିରାଟକାୟ ଗାତ ଖୋଳା ଯାଇଛି ତ ପୁଣି କେଉଁଠି ପାଣି ପାଇପ ବିଛାଯିବା ପାଇଁ। ଅନେକ ସାହିରେ ଡ୍ରେନ୍‌ କାମ ମଧ୍ୟ ଶେଷ ହୋଇନି। ଫଳରେ ଗ୍ରାମର ବିଭିନ୍ନ ସାହି ରାସ୍ତା ଦେଇ ୩/୪ ଚକିଆ ଗାଡ଼ି ଯାତାୟାତ ନେଇ ସମସ୍ୟା ଦେଖାଯାଉଛି। ଲୋକେ ଅଭିଯୋଗ କଲେ ମଧ୍ୟ ଠିକାଦାରମାନେ ଶୁଣୁନାହାନ୍ତି। ପଟିଆ ଜଗନ୍ନଥ ମନ୍ଦିର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ସବୁଠି ରାସ୍ତା ଖୋଳାଯାଇ କାମ ଚାଲିଛି।

ପଟିଆ ଗ୍ରାମ ଆଖପାଖ ଅଞ୍ଚଳରେ ଅନେକ ଆପାର୍ଟମେଣ୍ଟ ଗଢ଼ି ଉଠିଥିବାରୁ ସେଠାକାର ଲୋକେ ଏକପ୍ରକାର ଯନ୍ତ୍ରଣାର ଶିକାର ହେଉଛନ୍ତି। ପଟିଆ ଷ୍ଟେସନରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଖୋଳାଯିବା ପରେ ମରାମତି ହେଉନି। ଲକ୍ଷ୍ମୀନାରାୟଣ ମନ୍ଦିର ଓ ଏହା ନିକଟ ଅଞ୍ଚଳକୁ ଯୋଗାଯୋଗ ରାସ୍ତାରେ ‌ସ୍ବରେଜ କାମ ଚାଲିଛି। ପଟିଆରୁ ଶ୍ରୀବିହାର ଓ ପଟିଆରୁ ଶବର ସାହିକୁ ଯୋଗାଯୋଗ କରୁଥିବା ରାସ୍ତାରେ ମଧ୍ୟ ଗାତ ଖୋଳା ଯାଇଛି। ଏପର୍ଯ୍ୟନ୍ତ ସ୍ଥାୟୀ ୱାର୍ଡ ଅଫିସ୍‌ ହୋଇପାରି ନାହିଁ। କମ୍ୟୁନିଟି ହଲ୍‌ରେ ୱାର୍ଡ ଅଫିସ୍‌ ଚାଲିଛି। ଜାଗା ବିବାଦ ଯୋଗୁ ଡମଣା ଗାଁ ପୋଖରୀ ନିକଟ ରାସ୍ତା କାମ ଆଗେଇ ପାରୁନାହିଁ। ମନ୍ଦିର ଓ ପୋଖରୀର ଉନ୍ନତୀକରଣ ହୋଇଛି। ମାତ୍ର ଅଣଓସାରିଆ ରାସ୍ତା ଏଠାରେ ବି ସମସ୍ୟା। ପଟିଆରେ ଥିବା ଶ୍ମଶାନର ବିକାଶ ଲାଗି ଯୋଜନା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଗେଇପାରିନି। ୧୨ଏକର ଜମିରେ ଥିବା ହଜ୍‌ ଶ୍ମଶାନ ଓ ଅବଦାନବାଗ୍‌ ଶ୍ମଶାନ ନିକଟରେ ବ୍ୟାପକ ବୃକ୍ଷରୋପଣ ହୋଇଛି। ଏହି ଦୁଇଟି ଗାଁର ପୁରାତନ ଶ୍ମଶାନ ହୋଇଥିବାରୁ ପାର୍କ ସହ ଏହାର ଉନ୍ନତୀକରଣ ଲାଗି ଦାବି ହୋଇଛି। ପିଲାଙ୍କ ପାଇଁ ପାର୍କ, ବରିଷ୍ଠ ନାଗରିକଙ୍କ ଲାଗି ଚିତ୍ତବିନୋଦନ କେନ୍ଦ୍ର ଆଦି କରାଯିବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି।

ବିକାଶ ଲାଗି ସମୟ ଲୋଡ଼ା

ୱାର୍ଡର ବିକାଶ ଲାଗି ଯଥାସମ୍ଭବ ଉଦ୍ୟମ କରାଯାଇଛି। କରୋନା ପ୍ରଭାବରୁ ପ୍ରଥମ କିଛି ମାସ କାମ ପ୍ରଭାବିତ ହୋଇଥିଲା। ସପ୍ତାହକ ତଳେ ପଟିଆ ରେଳଷ୍ଟେସନ ରୋଡ୍‌ଠାରୁ ମାସନ୍‌ ପର୍ଲ ଆପାର୍ଟ‌ମେଣ୍ଟ ପର୍ଯ୍ୟନ୍ତ ପ୍ରାୟ ୮୨ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ଉନ୍ନତୀକରଣ, ୧ କୋଟି ଟଙ୍କା ବ୍ୟୟରେ ଦୁଇଟି ଡ୍ରେନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ବେରେଜ୍‌ କାମ ଜାଇକା କରୁଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଏବେ ଅନ୍ୟ ଏକ କମ୍ପାନି ନେଇଥିବାରୁ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବ ବୋଲି ଆଶା କରାଯାଉଛି। ବର୍ଷା ଦିନେ ଡମଣା ଅଞ୍ଚଳରେ ଡେଙ୍ଗୁ ସମସ୍ୟା ଲାଗି ରହୁଥିବାରୁ ଏଥର ଆଗୁଆ ପଦକ୍ଷେପ ସ୍ବରୂପ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛୁ। ଅଧିକାଂଶ ଅଞ୍ଚଳ ଆଲୋକୀକରଣ ହୋଇଛି। ଶ୍ମଶାନର ବିକାଶ ସହ ବିଭିନ୍ନ ପ୍ରସ୍ତାବ ବିଏମ୍‌ସି ନିକଟରେ ଦାଖଲ କରିଛୁ। ଗୋଟିଏ କି ଦୁଇ ବର୍ଷରେ ସମସ୍ୟାର ସମାଧାନ ହେବନି। ଏଥିପାଇଁ ସମୟ ଲୋଡ଼ା।
ଲକ୍ଷ୍ମୀପ୍ରିୟା ପରିଡ଼ା, କର୍ପୋ‌ରେଟର୍‌

ସମ୍ବନ୍ଧିତ ଖବର