ୟୁନିଟ୍‌-୯ କଲ୍‌ଚରାଲ୍‌ ଆସୋସିଏସନ୍‌: ରାଜଉଆସ ଓ ପଦ୍ମ ପୋଖରୀରେ ମା’ ଗଜଲକ୍ଷ୍ମୀ

ଭୁବନେଶ୍ବର: ୟୁନିଟ୍‌-୯ ଗଜଲକ୍ଷ୍ମୀ କଲ୍‌ଚରାଲ୍‌ ଆସୋସିଏସନ୍‌ର ଲକ୍ଷ୍ମୀ ପୂଜା ରାଜଧାନୀରେ ବେଶ୍ ଚର୍ଚ୍ଚିତ। ଚଳିତ ବର୍ଷ ଏହି ପୂଜା ୩୮ବର୍ଷରେ ପଦାର୍ପଣ କରୁଛି। ଆକର୍ଷଣୀୟ ତୋରଣ ଓ ସୁନ୍ଦର ମୂର୍ତ୍ତି ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ପୂଜା ମଧ୍ୟ ଚଳିତ ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଯୋଜନା କରିଛି। ଏଥର ରାଜସ୍ଥାନର ଏକ ରାଜମହଲ ଢାଞ୍ଚାରେ ତୋରଣ ତିଆରି ହେଉଥିବା ବେଳେ ମଣ୍ଡପକୁ ପଦ୍ମପୋଖରୀର ରୂପ ଦିଆଯାଉଛି। ତୋରଣର ଉଚ୍ଚତା ୬୦ ଫୁଟ୍‌ ଓ ଚଉଡ଼ା ୫୦ ଫୁଟ୍‌ ରହିଛି। ତୋରଣର ଭିତର ଏକ ରାଜପ୍ରାସାଦ ପରି ସଜା ହୋଇଛି। ତେବେ ପଦ୍ମଫୁଲ ମା’ ଲକ୍ଷ୍ମୀଙ୍କ ପ୍ରିୟ ହୋଇଥିବାରୁ ପୂଜା ମଣ୍ଡପକୁ ଏକ ପଦ୍ମପୋଖରୀ ସଦୃଶ କରାଯାଇଛି। ରଙ୍ଗିନ୍‌ ଲାଇଟ୍‌ରେ ପଦ୍ମପୋଖରୀକୁ ଅଧିକ ମନୋରମ କରାଯାଇଛି। ପୋଖରୀ ଭିତରେ ସୁନ୍ଦରୀ ନର୍ତ୍ତକୀମାନଙ୍କର ମୂର୍ତ୍ତି ଆହୁରି ମନଲୋଭା ହୋଇଛି।

ପୂଜା ବିଧି ଅନୁସାରେ ମା’ଙ୍କ ପାଖରେ ମଣ୍ଡା ପିଠା, କାକରା ପିଠା, ଆରିସା ପିଠା ଭୋଗ ଲାଗି କରାଯିବ। ଏଥିସହ ପ୍ରତିଦିନ ଅନ୍ନ, ଖେଚୁଡ଼ି, ଖିରି ଆଦି ପ୍ରସାଦ ଲାଗି ହେବ। ୧୦ଦିନ ଧରି ହେବାକୁ ଥିବା ଏହି ପୂଜାରେ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ମଣ୍ଡପ ପାଖରେ ମୀନାବଜାର ପଡ଼ିଛି। ୧୯ ତାରିଖରେ ଘଣ୍ଟ ଓ ଶଙ୍ଖ ବଜାଇ ମା’ଙ୍କ ଭସାଣି ଅନୁଷ୍ଠିତ ହେବ ବୋଲି ସଭାପତି ଚିନ୍ମୟ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର