ଯନ୍ତ୍ରୀଙ୍କ ଉଦ୍ଭଟ ବୁଦ୍ଧି: ରାସ୍ତା କଲେ, ଖୁଣ୍ଟ ଉଠାଇଲେନି

ଚନ୍ଦ୍ରଶେଖରପୁର: ପଟିଆ ରେଳ ଷ୍ଟେସନ ରାସ୍ତା ଚକାଚକ୍‌ ହୋଇଛି। ଅଧାରୁ ଅଧିକ ରାସ୍ତା କାମ ଶେଷ ହେଲାଣି। ମାତ୍ର ରାସ୍ତା ମଝିରୁ ଉଠିପାରିନି ବିଦ୍ୟୁତ୍‌ ଖୁଣ୍ଟ। ୬ମାସ ହେଲା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଏହି ରାସ୍ତା କାମ କରାଯାଉଥିଲେ ମଧ୍ୟ ବିଦ୍ୟୁତ୍ ଖୁଣ୍ଟିଗୁଡ଼ିକ ସ୍ଥାନାନ୍ତର କରା ନଯିବା ଘଟଣା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। କେତେବେଳେ ବାଇକ୍‌ ଚାଳକ ବିଦ୍ୟୁତ୍‌ ଖୁଣ୍ଟରେ ବାଡ଼େଇ ହୋଇ ପଡ଼ୁଛନ୍ତି ତ ଆଉ କେତେବେଳେ କାର୍‌ ଓ ବାଇକ୍‌ ମୁହାଁମୁହିଁ ହେଉଛନ୍ତି। ବହୁ ଲୋକ ଆହତ ହେଉଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାସ୍ତା ସାରା ମାଳ ମାଳ ବିଦ୍ୟୁତ୍‌ ଖୁଣ୍ଟ। ପ୍ରାୟ ଦୁଇ କିଲୋମିଟର ଏହି ରାସ୍ତାରେ ୩୦୦ରୁ ଅଧିକ ଖୁଣ୍ଟ ରହିଛି। ଅଧିକାଂଶ ବିଦ୍ୟୁତ୍‌ ଖୁଣ୍ଟରେ ତାର ହିଁ ନାହିଁ। ମାତ୍ର ଖୁଣ୍ଟ ଉଠିପାରିନି। ରାସ୍ତାରେ ପିଚୁ ପକାଯାଇ କାମ ଶେଷ କରାଯାଇଥିଲେ ମଧ୍ୟ ମଝି ରାସ୍ତାରେ ଖୁଣ୍ଟ ସେମିତି ଛିଡ଼ା ହୋଇ ରହିଛି। କାମ କରୁଥିବା ଯନ୍ତ୍ରୀଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। କାରଣ କେତେକ ବିଦ୍ୟୁତ୍‌ ଖୁଣ୍ଟ ଦୁର୍ବଳ ହୋଇଥିଲେ ମଧ୍ୟ ତାହାକୁ ସ୍ଥାନାନ୍ତର କରାଯିବା ବଦଳରେ ଆଉ ଗୋଟିଏ ଖୁଣ୍ଟକୁ ଢିରା ଦିଆଯାଇ ରଖାଯାଇଛି। କେତେବେଳେ ଯେ ଏହି ଖୁଣ୍ଟ ଉପୁଡ଼ିପଡ଼ିବ ତାହା କେହି କହିପାରିବେ ନାହିଁ। ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେଉଥିଲେ ମଧ୍ୟ ମରାମତି କାମ ଯେଉଁଭଳି ଚାଲିଛି ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ପାଣି କାଦୁଅରେ ଘାଣ୍ଟି ହେବା ଏକପ୍ରକାର ଥୟ।

ଦେଢ଼ କିମିରେ ୩୦୦ରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ
ପଟିଆ ରେଳ ଷ୍ଟେସନ ରାସ୍ତା ପାଲଟିଛି ମରଣଯନ୍ତା
ଦୁର୍ଘଟଣାର ଶିକାର ହେଉଛନ୍ତି ବାଇକ୍‌ ଓ କାର

ରାସ୍ତା ମନ୍ଥର ଗତିରେ ହେଉଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଗତ ମାସରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାସେ ବିତିଯାଇଥିଲେ ମଧ୍ୟ ବିଡିଏ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯେଉଁଥିପାଇଁ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୫ଟି ପଞ୍ଚାୟତର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ମୌଳିକ ଆବଶ୍ୟକତା ଯେମିତିକି ବିଦ୍ୟାଳୟ, କଲେଜ, ହସ୍ପିଟାଲ୍, ବ୍ୟାଙ୍କ୍, ଅଫିସ୍ ଆଦିରେ ପହଞ୍ଚିବା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ।

ଏହି ରାସ୍ତାଟି ପଟିଆ ଅଞ୍ଚଳକୁ ଜାତୀୟ ରାଜପଥ-୧୬ ସହ ମଧ୍ୟ ସଂଯୋଗ କରୁଛି। ଏଠାରେ ଥିବା ରେଳ ଲାଇନ୍ ଦେଇ ପ୍ରତିଦିନ ବହୁ ଟ୍ରେନ୍ ଯାତାୟାତ କରୁଥିବାରୁ ଯାତ୍ରୀମାନେ ମଧ୍ୟ ପଟିଆ ଷ୍ଟେସନକୁ ଉକ୍ତ ରାସ୍ତା ଦେଇ ଯାଇଥା’ନ୍ତି। ରାସ୍ତା ଏବେ ମରଣଯନ୍ତା ପାଲଟିଥିବାରୁ ଅଞ୍ଚଳର ପ୍ରାୟ ୪୦ ହଜାର ଲୋକଙ୍କ ଦୈନନ୍ଦିନ ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି।

ବିଡିଏର ଜଣେ ଅଧିକାରୀଙ୍କ କହିବାନୁଯାୟୀ ବିଡିଏର ନିର୍ବାହୀ ଯନ୍ତ୍ରୀ(ଇଲେକ୍ଟ୍ରିକାଲ୍‌)ଙ୍କ ନିକଟରେ ଫାଇଲ୍‌ ପଡ଼ି ରହିଛି। ବାରମ୍ବାର ଅନୁରୋଧ ସତ୍ତ୍ବେ ଖୁଣ୍ଟ ଉଠାଇବା କାମ ହେଉ ନାହିଁ। ଫଳରେ ରାସ୍ତା ନିର୍ମାଣ କାମ ବାଧାପ୍ରାପ୍ତ ହୋଇଛି। ଖୁଣ୍ଟ ନ ଉଠାଇଲେ ରାସ୍ତା କାମ ବନ୍ଦ କରିଦିଆଯିବ ବୋଲି ଠିକାଦାର ଚିଠି ଲେଖିଛନ୍ତି। ତା’ସତ୍ତ୍ବେ ବି ନିର୍ବାହୀଯନ୍ତ୍ରୀ ପଦକ୍ଷେପ ନେଉ ନ ଥିବା ଜଣାପଡ଼ିଛି।
ସ୍ଥାନୀୟ ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ଅଭିଯୋଗ ଆସିବା ପରେ ଗତ ମାସରେ ଆମେ ଅନୁଧ୍ୟାନ କରିଥିଲୁ। ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ କରିବା ସହ ବିଦ୍ୟୁତ୍‌ ଖୁଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର