ମିଳୁନି ଜମିପଟ୍ଟା, ବ୍ୟାପକ ଜବରଦଖଲ

ଅଳିଆ ଯନ୍ତ୍ରଣାରୁ ମୁକ୍ତି ମିଳୁନି

ଖଣ୍ଡଗିରି: ବିଏମ୍‌ସିର ୨୪ ନମ୍ବର ୱାର୍ଡ ଏକ ଜନବହୁଳ ଅଞ୍ଚଳ। ଚାରି ଚାରିଟି ସ୍ଥାୟୀ କଲୋନି ସାଙ୍ଗକୁ ଦୁଇଟି ବଡ଼ବଡ଼ ବସ୍ତି ଏହି ୱାର୍ଡରେ ରହିଛି। ସ୍ବାଭାବିକ ଭାବେ ବସ୍ତିରେ ଅନେକ ଛୋଟବଡ଼ ସମସ୍ୟା ରହିବା କଥା, ରହିଛି। କିନ୍ତୁ ଏଠାରେ ସ୍ଥାୟୀ କଲୋନିରେ ରହିଛି ଜମି ପଟ୍ଟା ସମସ୍ୟା। ହାଉସିଂବୋର୍ଡ କଲୋନିବାସିନ୍ଦାଙ୍କୁ ୪୦ ବର୍ଷ ହେଲା ଜମି ପଟ୍ଟା ମିଳୁନାହିଁ। ସେହିଭଳି ଏହି ୱାର୍ଡରେ ବହୁ ସରକାରୀ ଜମି ଜବରଦଖଲରେ ଥିବାରୁ ବିଭିନ୍ନ ସରକାରୀ ପ୍ରକଳ୍ପ ନିର୍ମାଣ ହୋଇପାରୁନାହିଁ। ସଫେଇ ଓ ଡ୍ରେନ୍‌ ସମସ୍ୟା ମଧ୍ୟ ଏଠାରେ କିଛି କମ୍‌ ନୁହେଁ।

ହାଉସିଂବୋର୍ଡ କଲୋନିବାସୀଙ୍କ ଅଭିଯୋଗ ଅନୁସାରେ, ୧୯୮୦ ମସିହାରେ ଏହି କଲୋନି ତିଆରି ହେଲା ଏବଂ ୧୯୮୧/୧୯୮୨ ମସିହା ବେଳକୁ ଲୋକେ ଏଠାରେ ବସବାସ କରିବା ଆରମ୍ଭ କଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୦ ବର୍ଷରୁ ଅଧିକ କାଳ ହେଲା ଏଠାରେ ରହିଥିବା ୧୯୨ ପରିବାରକୁ ଘରର ଜମିପଟ୍ଟା ମିଳି ପାରିନି। ଗ୍ରାମ୍ୟ ଜଙ୍ଗଲ ଜମିରେ ଏହି କଲୋନି ନିର୍ମାଣ ହୋଇଥିବାରୁ ପଟ୍ଟା ଦିଆଯାଉନାହିଁ। ତେଣୁ ପାଉତି କାଟିବାଠାରୁ ଆରମ୍ଭ କରି କିଣାବିକାରେ ସମସ୍ୟା ହେଉଛି। ସେହିପରି ଏହି ଅଞ୍ଚଳରେ ବହୁ ସରକାରୀ ଜମି ଜବରଦଖଲ ହୋଇଥିବାରୁ ବିଜୁ ଆଦର୍ଶ କଲୋନିରେ ପରିଚୟ ଗୃହ ଓ ଅଙ୍ଗନବାଡ଼ି କେନ୍ଦ୍ର ହୋଇପାରିନି। ରୁଚିକା ମାର୍କେଟ୍‌ରେ ସିନେମା ହଲ୍‌ ପାଇଁ ଜମି ରହିଥିଲେ ହେଁ ଏହା ବି ଜବରଦଖଲ ହୋଇରହିଛି।

ମହାବୀର ବସ୍ତିରେ ସରକାରୀ ଜମିକୁ କିଛି ଲୋକ ମାଡ଼ି ବସିଥିବାରୁ ସ୍ବେରେଜ୍‌ ପମ୍ପ ହାଉସ୍‌ ତିଆରି ହୋଇପାରୁନି। ଫଳରେ ସ୍ଥାନୀୟ ଡ୍ରେନ୍‌ରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ହାଉସିଂବୋର୍ଡ କଲୋନି, ସେନ୍‌ସସ କଲୋନି, ଆର୍‌ବିଆଇ କଲୋନିରେ ନିୟମିତ ସଫେଇ ହେଉନାହିଁ ବୋଲି ଅଭିଯୋଗ ହେଉଛି। ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଉନାହିଁ। ଏଠାରେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବା ଦାୟିତ୍ବ କୋର୍‌ ନାମକ ସଂସ୍ଥା ନେଇଥିଲା। କିନ୍ତୁ ଏବେ ନୂଆ ସଂସ୍ଥା ସଂସ୍କାରକୁ ଏହି ଦାୟିତ୍ବ ଦିଆଯାଇଛି। ପୁରୁଣା ସ୍ବଚ୍ଛସାଥୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ପୂର୍ବ ସଂସ୍ଥାରୁ ବକେୟା ପାଉଣା ପାଇନଥିବାରୁ ପ୍ରାୟ ଅଧା ସ୍ବଚ୍ଛସାଥୀ କାମକୁ ଆସୁନାହାନ୍ତି। ଫଳରେ ଘରେ ଘରେ ଡଷ୍ଟବିନ୍‌ ଆବର୍ଜନାରେ ଭର୍ତ୍ତି ହୋଇରହୁଛି। ଏଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନାହିଁ। ଇଭକ୍ସ ଛକରୁ ତ୍ରିନାଥ ବଜାର ପର୍ଯ୍ୟନ୍ତ ଡ୍ରେନ୍‌ ନାହିଁ। ତେଣୁ ବର୍ଷା ବେଳେ ଲୋକେ ମଇଳା ପାଣିରେ ପଶି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।

ଜମି ପଟ୍ଟା ପ୍ରଦାନ ଓ ଅଳିଆ ସମସ୍ୟା ଦୂର କରିବ‌ା ମୂଳ ଲକ୍ଷ୍ୟ

ୱାର୍ଡରେ ୨୪ ଘଣ୍ଟିଆ ପାଣି ପ୍ରଦାନ କରାଯାଇଛି। ବରମୁଣ୍ଡା ହାଉସିଂବୋର୍ଡ କଲୋନିବାସୀଙ୍କୁ ପଟ୍ଟା ଯୋଗାଇ ଦେବାକୁ ସବୁ ପ୍ରସ୍ତୁତି ସରିଛି। ସରକ‌ାରୀ ସ୍ତରରେ ସବୁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ୱାର୍ଡର ଅଳିଆ ସମସ୍ୟା ସମାଧାନ ପାଇଁ ଯଥାସମ୍ଭବ ଚେଷ୍ଟା ଚାଲିଛି। ଏଠାରେ ପିଲାଙ୍କ ପାଇଁ ଖେଳ ପଡ଼ିଆ, ଡ୍ରେନ୍‌, କମ୍ୟୁନିଟି ସେଣ୍ଟର୍‌, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରାସ୍ତା ସମସ୍ୟା ଦୂର କରିବାକୁ ଚେଷ୍ଟା ଚାଲିଛି। ତେବେ ଲାଇଟ୍‌ ଓ ପାଣି ସମସ୍ୟା ଦୂର ହୋଇଛି। ମହାବୀର ବସ୍ତିରେ ପେଭର୍‌ ବ୍ଲକ୍‌ ରାସ୍ତା ତିଆରି ହୋଇଛି, ବେହେରା ସାହିରେ ଡ୍ରେନ୍‌ କାମ ସରିଛି, ଏଚ୍‌ଆଇଜି ପାର୍କରେ ଓପନ୍‌-ଜିମ୍ ନିର୍ମାଣ ହୋଇଛି। ଏଲ୍‌ଆଇଜିରେ ମଧ୍ୟ ଡ୍ରେନ୍‌ କାମ ଶେଷ ହୋଇଛି ଏବଂ ସେଠାରେ ଓପନ୍ ଜିମ୍‌ ତିଆରି ହୋଇଛି।
ଦୀପକ କୁମାର ମିଶ୍ର, କର୍ପୋରେଟର୍‌

ସମ୍ବନ୍ଧିତ ଖବର