ବରପୁତ୍ରଙ୍କୁ ସମ୍ମାନ ଏମିତି! ଅଳିଆଗଦାରେ ମଳିନ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ରାଜଧାନୀର ପ୍ରାୟ ସବୁ ପ୍ରମୁଖ ଛକରେ ରହିଛି ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି। କିନ୍ତୁ କିଛି ହାତଗଣତି ଛକକୁ ବାଦ୍‌ ଦେଲେ ବହୁ ଛକରେ ମହାମନୀଷୀମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ବେଶ୍ ଅଲୋଡ଼ା ଅବସ୍ଥାରେ ଅଛନ୍ତି। ଅଳିଆଗଦାରେ ମଳିନ ପ୍ରତିମୂର୍ତ୍ତି ସବୁ ନିର୍ବିକାର ଭାବେ ଠିଆ ହୋଇଛନ୍ତି। କେଉଁଠି ମୂର୍ତ୍ତିରୁ ରଙ୍ଗ ଉଡ଼ି ଗଲାଣି ତ କେଉଁଠି ଆବର୍ଜନା ପାହାଡ଼ ଓ ବଣବୁଦାରେ ଭିତରେ ଲୁଚି ଗଲେଣି। କାହାର ପିଣ୍ଡି ଭାଙ୍ଗି ଗଲାଣି ତ କାହାର ନାମଫଳକ ଲିଭି ଗଲାଣି। ବିଭାଗୀୟ ଅଧିକାରୀମାନଙ୍କ ଅବହେଳାରୁ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିର ଏଭଳି ଶୋଚନୀୟ ଅବସ୍ଥା ଓଡ଼ିଆପ୍ରେମୀ ତଥା ବୁଦ୍ଧିଜୀବୀମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏନେଇ ବିଭିନ୍ନ ସମୟରେ କ୍ଷୁବ୍‌ଧ ଜନସାଧାରଣ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କିଛି ସୁଫଳ ମିଳୁନାହିଁ।

କଳିଙ୍ଗ ହସ୍ପିଟାଲ୍‌ ଛକରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ରହିଛି। ଆଖିରେ ନ ଦେଖିଲେ କେହି ବି ବିଶ୍ବାସ କରିବେନି ଯେ ସତରେ ତାଙ୍କୁ କେତେ ଅସମ୍ମାନ କରାଯାଉଛି! ପ୍ରତିମୂର୍ତ୍ତି ଆଗରେ ଇଟା, ମାଟି ଗଦା ହୋଇ ରହିଛି। କେବଳ ସେତିକି ନୁହେଁ, କବିଙ୍କ ନାମ, ଜନ୍ମତିଥି ଓ ତାଙ୍କ ଚିରସ୍ମରଣୀୟ କବିତାର ପଙ୍‌କ୍ତି ଲେଖାଥିବା ମାର୍ବଲର ଚିହ୍ନବର୍ଣ୍ଣ ଥିବା ଭଳି ପ୍ରତୀୟମାନ ହେଉନାହିଁ। ଫଳକରୁ ସବୁ ଲିଭିଗଲାଣି। ସେହିପରି ମେ’ ଫେୟାର୍‌ ଛକରେ ରହିଛି ପଲ୍ଲୀକବି ନନ୍ଦକିଶୋର ବଳଙ୍କ ପ୍ରତିମୂର୍ତ୍ତି। ଏହାର ପିଣ୍ଡିର ନିମ୍ନଭାଗରୁ ଭାଙ୍ଗି ଗଲାଣି। ଏହି ଛକସ୍ଥିତ ବିପ୍ଲବୀ ନେତା ଧରଣୀଧର ନାଏକ(ଭୂୟାଁ)ଙ୍କ ପ୍ରତିମୂର୍ତ୍ତିରୁ ବହୁ ଦିନ ହେଲା ରଙ୍ଗ ଛାଡ଼ି ଗଲାଣି। ମଳିନ ପ୍ରତିମୂର୍ତ୍ତି ଦେଖିଲେ, ତାହା ଯେ ମହାନ ବିପ୍ଳବୀ ଧରଣୀଧରଙ୍କର ବୋଲି ପ୍ରଥମେ କେହି ବି ବିଶ୍ବାସ କରିବେ ନାହିଁ। ବଡ଼ ପରିତାପର କଥା, ଏହି ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଚାରିପଟେ ଆବର୍ଜନା ଗଦା ହୋଇଛି। ଗଛ, ବଣବୁଦା, ବସ୍‌ଷ୍ଟପ୍‌ ଓ ବିଦ୍ୟୁତ୍‌ ତାର ଉହାଡ଼ରେ ଏହି ଦୁଇ ପ୍ରତିମୂର୍ତ୍ତି ଲୁଚି ଯାଉଛି।

ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାରୁ ସଂଜ ନଉଁନଉଁ ସେଠାରେ ଅସାମାଜିକ ତତ୍ତ୍ବଙ୍କ ଭିଡ଼ ହେଉଛି। ମଦ, ଗଞ୍ଜେଇ ନିଶା ଆସର ଜମୁଛି। ପାଵାର ହାଉସ୍‌ ଛକରେ ରହିଛି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିଙ୍କ ଅବସ୍ଥା ଅନୁରୂପ। ରସୁଲଗଡ଼ ଛକସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ବି ଅବହେଳିତ ଅବସ୍ଥାରେ ରହିଛି। ଜୟଦେବବିହାର ଛକସ୍ଥିତ ଜୟଦେବଙ୍କ ପ୍ରତିମୂର୍ତ୍ତି ଚାରିପଟେ ଛୋଟଛୋଟ ଗଛ ଉଠିଲାଣି। ଆଇଜି ପାର୍କସ୍ଥିତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ପିଣ୍ଡି ଚାରିପଟେ ଲାଗିଥିବା ମାର୍ବଲ ଛାଡ଼ି ଯାଇଥିବା ବେଳେ ସେଥିରେ ଲେଖାଥିବା ଅକ୍ଷରଗୁଡ଼ିକ ଲିଭି ଗଲାଣି। ଶାସ୍ତ୍ରୀନଗର ଛକରେ ଥିବା ବିପ୍ରଚରଣ ମହାନ୍ତିଙ୍କ ପ୍ରତିମୂର୍ତ୍ତିର ପିଣ୍ଡି ଭାଙ୍ଗି ଗଲାଣି।

ବୁଦ୍ଧିଜୀବୀମାନଙ୍କ ଅଭିଯୋଗ ଅନୁସାରେ, ରାଜଧାନୀରେ କିଛି ହାତଗଣତି ମହାପୁରୁଷଙ୍କ ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ମହାଆଡ଼ମ୍ବର ସହକାରେ ପାଳନ କରାଯାଏ। ସେହିସବୁ ଉତ୍ସବରେ ସେମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଏ। ସରକାରୀ ଓ ବେସରକାରୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରତିମୂର୍ତ୍ତିକୁ ପୁଣି ରଙ୍ଗ କରାଯାଏ ବା ଉକ୍ତ ସ୍ଥଳକୁ ସଫେଇ କରାଯାଏ। କିନ୍ତୁ ଅନେକ ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ କେତେବେଳେ କେଉଁଠି ପାଳନ ହୁଏ, ଜଣାପଡ଼େ ନାହିଁ। ତେଣୁ ପ୍ରତିମୂର୍ତ୍ତି କଥା କେହି ବୁଝନ୍ତି ନାହିଁ। ତେଣୁ ଆମ ସମସ୍ତଙ୍କୁ ଏଭଳି ହୀନମନ୍ୟତାରୁ ଉପରକୁ ଉଠି ଚିନ୍ତା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର