ବିକାଶ: କିଛି ହୋଇଛି, ଅନେକ ବାକି ଅଛି

ଜଟଣୀ ପୌରପାଳିକାର ୱାର୍ଡ ନଂ-୨୩

ଜଟଣୀ: ଜଟଣୀ ପୌରପାଳିକାର ୨୩ନଂ ୱାର୍ଡ ଏକ ପ୍ରମୁଖ ଅଞ୍ଚଳ ଭାବେ ଜଣାଶୁଣା। ଏହି ୱାର୍ଡ ଅଧୀନରେ କୁଦିଆରୀ, ରଣସିଂହସାହି, ନୀଳମାଧବ ସାହି, ମହତାବ ନଗର-୧, ମହତାବ ନଗର-୨, ସୁନ୍ଦରାସାହି, ହରିଜନ ସାହି, ପଥରଚକଡ଼ା ସାହି ଆଦି ଅଞ୍ଚଳ ରହିଛି। କିନ୍ତୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଏହି ୱାର୍ଡରେ କିଛି ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଅନେକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି।

ୱାର୍ଡରେ ପାନୀୟ ଜଳଯୋଗାଣ ସମସ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଛି। ପୌରପାଳିକା ପକ୍ଷରୁ ଅଞ୍ଚଳବାସୀଙ୍କୁ ପାଇପ୍‌ ଯୋଗେ ୨୪ ଘଣ୍ଟିଆ ପାଣି ଯୋଗାଣ ବ୍ୟବସ୍ଥା କରାଯାଉଥିବା ବେଳେ ୨୩ନଂ ୱାର୍ଡର ଅନେକ ଅଞ୍ଚଳକୁ ଦୀର୍ଘ ଦିନ ହେଲା ଯୋଗାଣ ପାଣି ଆସୁନାହିଁ। ସେହିପରି ପଥରଚକଡ଼ା ସାହିକୁ ପାଣି ପାଇପ୍‌ ସଂଯୋଗ କରାଯାଇଛି, ହେଲେ ସଂଯୋଗ ଦିନଠୁ ପାଣି ଆସୁନାହିଁ। ଲୋକମାନେ ବହୁ ସମସ୍ୟା ଭୋଗୁଛନ୍ତି। ଅନ୍ୟତମ ସମସ୍ୟା ହେଉଛି ଡ୍ରେନ୍ ସମସ୍ୟା। ଅବଶ୍ୟ ଅନ୍ୟ ୱାର୍ଡ ଭଳି ଏଠାରେ ସେଭଳି ଡ୍ରେନ୍‌ ସମସ୍ୟା ନାହିଁ।

ନିୟମିତ ଅନ୍ତରାଳରେ ସଫେଇ ହେଉନଥିବାରୁ ୭୦ ପ୍ରତିଶତ ଡ୍ରେନ୍ ଆଜର୍ବନାରେ ଜାମ୍ ହୋଇଯାଇଛି। ସେହିପରି ଡ୍ରେନ୍‌ଗୁଡ଼ିକ ମୁକୁଳା ଅବସ୍ଥାରେ ପଡ଼ି ରହି ବିପଦକୁ ଆମନ୍ତ୍ରଣ କରୁଛି। ବର୍ଷାଦିନେ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ଲହଡ଼ି ମାରିଥାଏ। ଅଧିକାଂଶ ଲୋକଙ୍କ ଘର ସାମ୍ନାରେ ଡ୍ରେନ୍‌ ଯାଇଥିବାରୁ ଛୋଟପିଲାଙ୍କ ପାଇଁ ଅହରହ ବିପଦର କାରଣ ହୋଇଥାଏ। ସେହିପରି ୱାର୍ଡରେ ପୌରପାଳିକା ପକ୍ଷରୁ ମଶାତେଲ କିମ୍ବା ଧୂଆଁ ଛଡ଼ା ଯାଉ ନଥିବାରୁ ସଂଧ୍ୟା ହେଲେ ମଶା କଲବଲ କରୁଛନ୍ତି। ଅନ୍ୟପଟେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝୁଲନ୍ତା ବିଦ୍ୟୁତ୍ ତାରଗୁଡ଼ିକ ଲୋକଙ୍କ ପାଇଁ ବିପଦ ସାଜିଛି। କେତେବେଳେ କାହା ଉପରେ ପଡ଼ିଯିବ, କହିହେବ ନାହିଁ। ସେହିପରି ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌-ଲାଇଟ୍‌ ଦିନଦିନ ଧରି ଜଳି ରହୁଛି। ଦିନବେଳା ମଧ୍ୟ ବନ୍ଦ ହେଉ ନଥିବାରୁ ଅଯଥାରେ ବିଦ୍ୟୁତ୍ ଶକ୍ତି ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ, ଅଞ୍ଚଳରେ ପ୍ରତିଦିନ ସଫେଇ, କଲ୍ୟାଣ ମଣ୍ଡପ ପାଇଁ ଦାବି କରାଯାଇଛି।

ଅଧାପନ୍ତରିଆ ପ୍ରକଳ୍ପ ଶୀଘ୍ର ସାରିବାକୁ ଉଦ୍ୟମ ଚାଲିଛି

ଗତ ବର୍ଷକ ମଧ୍ୟରେ ୨୩ନମ୍ବର ୱାର୍ଡରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ପୁରୁଣା ଟେଣ୍ଡର୍‌ ମାଧ୍ୟମରେ ଅଧିକାଂଶ ପ୍ରକଳ୍ପ କାମ ଶେଷ ହୋଇଛି। ରାସ୍ତା, ଡ୍ରେନ୍ ପ୍ରକଳ୍ପ କାମ ପାଇଁ ନୂଆ ଟେଣ୍ଡର୍‌ରେ କିଛି ଦିନ ମଧ୍ୟରେ କାମ ଆରମ୍ଭ ହେବ। ଏହି କାମ ପାଇଁ ସମୁଦାୟ ୪୪ଲକ୍ଷ ଟଙ୍କାର ଟେଣ୍ଡର୍‌ ହୋଇଛି। ସେହିପରି ପୌରପାଳିକା ପକ୍ଷରୁ ୧୯ ଲକ୍ଷ ଓ ବ୍ଲକ୍ ପକ୍ଷରୁ ୩୦ ଲକ୍ଷ ଟଙ୍କା ଅନୁଦାନରେ ୫ଟି ବିଦ୍ୟାଳୟ ହୋଇଛି। ଅବ୍ୟବସ୍ଥାଘେରରେ ପଡ଼ି ରହିଥିବା ଗାଁ ମଶାଣିରେ ରାସ୍ତା, ଛାତ ଘର, ଲାଇଟ୍‌ ଆଦି ବ୍ୟବସ୍ଥା କରାଯାଇଛି। କିଛି ଅଞ୍ଚଳରେ ଡ୍ରେନ୍ ଉପରେ ସ୍ଲାବ୍‌ ପଡ଼ିଥିବା ବେଳେ ବାକିଗୁଡ଼ିକରେ ବି ଶୀଘ୍ର ପଡ଼ିବ। ଯୋଗାଣ ପାଣି କିପରି ସମସ୍ତେ ଠିକ୍‌ ସମୟରେ ପାଇପାରିବେ, ସେ ବ୍ୟବସ୍ଥା ମଧ୍ୟ କରାଯିବ।
-ଅମ୍ରିତା ଦାସ, କାଉନ୍‌ସିଲର

ସମ୍ବନ୍ଧିତ ଖବର