ଡଟଫେଷ୍ଟର ତୃତୀୟ ସନ୍ଧ୍ୟା: ନିତିମୋହନଙ୍କ କଣ୍ଠରେ ରଙ୍ଗବତୀ

ଭୁବନେଶ୍ବର: ଅନେକ ଓଡ଼ିଆ ଶବ୍ଦର ସ୍ପଷ୍ଟ ଉଚ୍ଚାରଣ ହେଉ ନଥିଲା। ପ୍ରତି ଲାଇନ୍‌ରେ ଗଡ଼ବଡ଼ ହେଉଥିଲା। ହେଲେ ସେଥିରେ ବି ଦର୍ଶକଙ୍କୁ ନଚାଇଦେଲେ ମୁମ୍ବାଇ କଣ୍ଠଶିଳ୍ପୀ ନିତିମୋହନ। ‘ରଙ୍ଗବତୀ’ର ରିମିକ୍ସ ଗୀତ ଗାଇ ଗାଇ ସେ ମଞ୍ଚରୁ ଓହ୍ଲାଇ ପଡ଼ିଥିଲେ। ତାଙ୍କ ସହ ନାଚରେ ସାମିଲ ହୋଇ ଯାଇଥିଲେ ପିଲାଠୁ ବୟସ୍କ। ଡଟ୍‌ଫେଷ୍ଟର ତୃତୀୟ ଦିନରେ ଆଜି ଏମିତି ଝୁମିଥିଲେ ଦର୍ଶକ।
ଏହା ପରେ ପରେ ସେ ପରଷି ଦେଇଥିଲେ ଅନେକ ଲୋକପ୍ରିୟ ଗୀତ। ଇସ୍କ ୱାଲା ଲଭ୍‌, ଲଣ୍ଡନ ଠୁମକ ଦା, ବାରି ବର୍‌ସି ଖଟନ ଗୟା ସି, ଇସ୍କ ତେରା ତଡ଼ପାବେ, ତୁ ଖିଚ୍‌ ମେରେ ଫଟୋ, ଦମ୍ ମାରୋ ଦମ୍, ଲୈଲା ମେ ଲୈଲା, ହଙ୍ଗମା ହୋ ଗୟା, ବ୍ୟାଙ୍ଗ ବ୍ୟାଙ୍ଗ, କେ ଘୁଙ୍ଗୁରୁ ଟୁଟ୍‌ ଗୟେ, ଜିୟା ଜିୟା ଜିୟାରେ, ଦୋନୋ କି ବାତ ନସେଲି (ମେରି ଜାନ), ଆଁଖୋ କୋ ତେରି, ଲାଖୋ ମିଲେ, ନେନୋ ୱାଲେ ନେ… ଏମିତି କେତେ କ’ଣ। ପ୍ରତି ଗୀତ ଆରମ୍ଭ ହେଉ ହେଉ ଦର୍ଶକଙ୍କ ତାଳି ଓ ହ୍ବିସିଲ୍‌ରେ କମ୍ପୁଥିଲା ପ୍ରଦର୍ଶନୀ ପଡ଼ିଆ।

ଓଡ଼ିଆ ଗୀତରୁ ଆରମ୍ଭ ହୋଇଥିଲା ଆଜିର ସାଂସ୍କୃତିକ ସନ୍ଧ୍ୟା। ପ୍ରଜ୍ଞା ହୋତା ଅନେକ ମନଛୁଆଁ ଗୀତ ଗାଇଥିଲେ। ବିଶେଷକରି ‘ଗୁଆ ଘିଅ’ ଗୀତରେ ଦର୍ଶକ ନାଚିଥିଲେ। ଏହା ପରେ ଲଚକ୍‌ମଣୀ, ଓ ବେବି, ସୁନୟନା ତୋ ପାଇଁ ମୋ ଦିଲ୍‌ ଆସିକାନା ‌ପ୍ରଭୃତି ଚର୍ଚ୍ଚିତ ଗାଇ ସେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

ଶେଷରେ ଆସିଥିଲେ ବଲିଉଡ୍‌ ଗାୟକ ଦିବ୍ୟ କୁମାର। ତାଙ୍କର ଏକାଧିକ ଗୀତରେ ପଞ୍ଜାବୀ ତଡ଼୍‌କା ଦର୍ଶକଙ୍କୁ ପସନ୍ଦ ଆସିଥିଲା‌। ଆଜ ମେରା ଦିଲ ବୋଲେ ତାବା ତାବା, ତେରେ ବିନ ନେହିଁ ଲଗତା ଦିଲ ମେରା, ମନ ମସ୍ତ ମଗନ, ମେ ମନ୍ଦିର କ୍ୟୁ ଜାୱା, ଦିଲ ତୋ ବଚା ହେ ଜି, ସାରା ଜଗ ଛଡ଼କେ, କେଶରୀୟା ତେରା ଇସ୍କ, ଦମ୍ ମସ୍ତ କଲନ୍ଦର ମସ୍ତ, ମେରେ ସୋନିଆ ମେରେ ମେହେରବାନ, ଆଖିଆଁ ଲଡ଼ଗୟିୟା ପ୍ରଭୃତିରେ ଦର୍ଶକ ନାଚିଥିଲେ। ଆସନ୍ତାକାଲି କେବଳ ଓଡ଼ିଶାର କଳାକାର ସଙ୍ଗୀତ ପରିବେଷଣ କରି‌ବେ। ଗାୟିକା ଲିସା ମିଶ୍ର, ସ୍ନିତି ମିଶ୍ର, ଋତୁରାଜ ମହାନ୍ତି ଓ ଓଡିଆ ରାପର୍ ସମିର୍ ରିଶୁ ମହାନ୍ତି (ବିଗ୍‌ ଡିଲ୍‌)ଙ୍କୁ ଦର୍ଶକ ଡଟ୍‌ଫେଷ୍ଟ ମଞ୍ଚରେ ଦେଖିବାକୁ ପାଇବେ।

ଆପଣମାନେ ଖୁସି ତ?

ନିତିମୋହନ କେବଳ ଓଡ଼ିଆରେ ଗୀତ ଗାଇ ନଥିଲେ, ବରଂ ଓଡ଼ିଆରେ ଦର୍ଶକଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟ ଡାଏଲଗ୍‌ ‘ଆପଣମାନେ ଖୁସି ତ?’ କହି ସେ ଦର୍ଶକମାନଙ୍କଠାରୁ ଉତ୍ତର ଚାହିଥିଲେ। ପରେ କହିଥିଲେ, ମୁଁ ଓଡ଼ିଶା ଆସି ବହୁତ ଖୁସି। ଏଇ ଗୋଟିଏ ସପ୍ତାହରେ ମୁଁ ତିନିଥର ଓଡ଼ିଶା ଆସି ସାରିଲିଣି। ଯେବେ ଯେବେ ଓଡ଼ିଶା ଆସୁଛି, ସେବେ ସେବେ କିଛି ଶିଖିକି ଯାଉଛି। ଏଥର ରଙ୍ଗବତୀ ଗୀତ ଶିଖିଛି। ଓଡ଼ିଶାର କଳା ସଂସ୍କୃତିରୁ ଅନେକ ଶିଖିବାର ଅଛି। ମୁଁ ବାରମ୍ବାର ଓଡ଼ିଶା ଆସିବାକୁ ଚାହିବି।

ସମ୍ବନ୍ଧିତ ଖବର