ହୋଟେଲ୍‌ ମାଲିକଙ୍କୁ ଆକ୍ରମଣ କରି ଯୁବକ ଗିରଫ

ଭୁବନେଶ୍ବର : ହୋଟେଲ ମାଲିକଙ୍କୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ଦିବ୍ୟ ସିଂ ଓରଫ ଚିଣ୍ଟୁ(୨୭)। ଏଠାରେ ନୀଳଦ୍ରାବିହାର ଅଞ୍ଚଳରେ ରୁହେ।

ସୂଚନା ମୁତାବକ, ଶନିବାର ରାତି ପାଖାପାଖି ୧୨ଟାରେ ବାଣୀବିହାର ଛକରେ ଥିବା ରାଜା‌ ହୋଟେଲ୍‌ର ମାଲିକ ନୃସିଂହ ସାମନ୍ତରାୟ ହୋଟେଲ୍‌କୁ ରଙ୍ଗ କରୁଥିଲେ। ସେତିକିବେଳେ ଚିଣ୍ଟୁ ସେଠାରେ ପହଞ୍ଚି ଖାଦ୍ୟ ବରାଦ କରିଥିଲା। ନୃସିଂହ ଖାଦ୍ୟ ମିଳିବ ନାହିଁ ବୋଲି କହିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି, ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ରାଗିଯାଇ ଚିଣ୍ଟୁ ଏକ ଚେୟାର୍‌ରେ ନୃସିଂହଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ସେଠାରେ ଉପସ୍ଥିତ ଦୁଇଜଣ ଯୁବକ ଚିଣ୍ଟୁକୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସହିଦନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ନୃସିଂହଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲା। ପରେ ଏ ସଂପର୍କରେ ନୃସିଂହ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ଚିଣ୍ଟୁକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର