ଗୋଟିଏ ବାଲତି ପାଇଁ ହୋଇଥିଲା ଯୁଦ୍ଧ: ଯାଇଥିଲା ୨,୦୦୦ ସୈନିକଙ୍କ ପ୍ରାଣ

ଯୁଦ୍ଧ ଓ ସଂଘର୍ଷ ସବୁବେଳେ ଏଇ ଦୁନିଆର ଅଂଶବିଶେଷ ହୋଇ ଆସିଛି। କିଛି ସମ୍ରାଟ ନିଜ ରାଜ୍ୟ ବିସ୍ତାର ପାଇଁ ଯୁଦ୍ଧ କରିଥିବା ବେଳେ ଆଉ କିଛି ପ୍ରତିଶୋଧ ନେବା ପାଇଁ ଯୁଦ୍ଧ ଲଢ଼ିଥିଲେ। କିନ୍ତୁ ଇତିହାସରେ ଏଭଳି ଏକ ଯୁଦ୍ଧ ସଂଘଟତି ହୋଇଥିଲା ଯାହାର କାରଣ ହେଉଛି ଏକ ସାମାନ୍ୟ ବାଲତି। ୧୩୨୫ ମସିହାରେ ଇଟାଲିର ଦୁଇ ପ୍ରତିଦ୍ବନ୍ଦ୍ବୀ ସହର ବୋଲୋଗ୍ନା ଓ ମୋଡେନା ମଧ୍ୟରେ ଏହି ଯୁଦ୍ଧ ହୋଇଥିଲା ଯାହା ଜାପୋଲିନା ଯୁଦ୍ଧ ବା ଓକ୍‌ ବକେଟ୍‌ ଯୁଦ୍ଧ ନାମରେ ପରିଚିତ। ଏହି ଯୁଦ୍ଧର ମୁଖ୍ୟ କାରଣ ଥିଲା ଏକ ପାଣି ବାଲତି ଯାହା ଏବେ ମୋଡେନାର ଏକ ଗୀର୍ଜାରେ ସଂରକ୍ଷିତ ହୋଇ ଶୋଭା ପାଉଛି। ସୂଚନାନୁଯାୟୀ, ମୋଡେନାର କିଛି ସୈନିକ ବୋଲୋଗ୍ନା ସହରରେ ପଶି ସେଠାକାର ଏକ କୂଅ ପାଖରେ ଥିବା ବାଲତିକୁ ଚୋରି କରି ନେଇଯିବାରୁ ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା।

ବୋଲୋଗ୍ନା ସହର ଏଭଳି କାର୍ଯ୍ୟକୁ ଅପମାନଜନକ ମନେ କରିଥିଲା। ତେବେ କର୍ତ୍ତୃପକ୍ଷ ବାଲତି ଫେରାଇ ଦେବା ଲାଗି ମୋଡେନା ଅଧିବାସୀଙ୍କୁ କହିଥିଲେ ହେଁ ସେମାନେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ବୋଲେଗ୍ନା ବାଧ୍ୟ ହୋଇ ମୋଡେନା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଜାପୋଲିନା ସହରରେ ସଂଘଟିତ ଏହି ଯୁଦ୍ଧରେ ବୋଲେଗ୍ନାର ୩୦ ହଜାର ପଦାତିକ ଓ ଦୁଇ ହଜାର ଅଶ୍ବାରୋହୀ ସାମିଲ ହୋଇଥିବା ବେଳେ ମୋଡେନାର ମାତ୍ର ୫ ହଜାର ପଦାତିକ ଓ ସମାନ ଦୁଇ ହଜାର ଅଶ୍ବାରୋହୀ ଭାଗ ନେଇଥିଲେ। ବିଶାଳ ସେନାବାହିନୀ ଥିବା ସତ୍ତ୍ବେ ବୋଲେଗ୍ନା ପରାସ୍ତ ହୋଇଥିଲା। ଯୁଦ୍ଧରେ ବୋଲେଗ୍ନାର ୧,୫୦୦ ଓ ମୋଡେନାର ୫୦୦ ସୈନିକଙ୍କର ମୃତ୍ୟୁ ହୋଇଥିଲା। ଯୁଦ୍ଧ ପରେ ଉଭୟ ପକ୍ଷ ମଧ୍ୟରେ ସନ୍ଧି ହୋଇଥିଲା। ବୋଲେଗ୍ନାରୁ ଲୁଟିଥିବା ଅନ୍ୟ ସମସ୍ତ ସାମଗ୍ରୀ ମୋଡେନା ଫେରାଇଥିବା ବେଳେ ଉକ୍ତ ବାଲତିକୁ ବିଜୟର ସଂକେତ ଭାବେ ପାଖରେ ରଖିଥିଲା।

ସମ୍ବନ୍ଧିତ ଖବର