ପରିବେଶ ସୁରକ୍ଷାରେ ବ୍ରତୀ ଦେହୁରୀ ମାଉସୀ

ନାଁ ଟି ଯେମିତି ସୁବର୍ଣ୍ଣ କାମରେ ଓ ଗୁଣରେ ବି ସେମିତି ସର୍ବଗୁଣସମ୍ପନ୍ନ। ବୟସ ଆସି ଅପରାହ୍‌ଣରେ, ତଥାପି ମନରେ ଅନେକ ଅସୁମାରି ଆଶା। ସମାଜକଲ୍ୟାଣ ପାଇଁ ଯେଉଁଠି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନାକୁ ସଫଳ ରୂପାୟନ ଦେଇପାରୁ ନାହାଁନ୍ତି, ସେଠି ଜଣେ ୭୫ବର୍ଷ ବୟସ୍କ ମହିଳା ନିଜ ଉଦ୍ୟମରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଗଛ ଲଗାଇବା ସହିତ ଜଙ୍ଗଲକୁ ନିଆଁ ନ ଲଗାଇବା ଏବଂ ଜଙ୍ଗଲ ସୁରକ୍ଷା ତଥା ଗଛ ଲଗାଇବା ପାଇଁ ଚାଲି ଚାଲି କରୁଛନ୍ତି ସଚେତନତା ଅଭିଯାନ। ସେ ଜଙ୍ଗଲ, ଗଛ, ମାଟି ଓ ନାରୀକୁ ନେଇ ଲେଖିଛନ୍ତି ପଚାଶରୁ ଅଧିକ କବିତା। ସେହି କବିତା ମାଧ୍ୟମରେ ସେ ଦେଉଛନ୍ତି ସଚେତନତାର ବାର୍ତା। ‘ଜଙ୍ଗଲ ନୁହଁଇ ଜୀବନ ଆମର ନିଃଶ୍ବାସର ଘର… ତାଆରି ବିହୁନେ ଜୀବନ ହୋଇଯିବ ନାରଖାର’ ଏମିତି ସ୍ବରଚିତ କବିତାକୁ ଗାଇ ଜଙ୍ଗଲ ସୁରକ୍ଷା ଲାଗି ଅହର୍ନିଶ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଦେହୁରୀ ମାଉସୀ ଏବେ ସବୁଠି ଚର୍ଚ୍ଚିତ ଓ ପ୍ରଶଂସିତ। ଯେତେବେଳେ ସାରା ବିଶ୍ବରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି ସେତେବେଳେ ଦେହୁରୀ ମାଉସୀଙ୍କ କଥା ସ୍ବତଃ ଆଲୋଚନାର ପରିସରକୁ ଆସିଥାଏ। ପରିବେଶ ଓ ଜଙ୍ଗଲ ସୁରକ୍ଷାକୁ ନେଇ ତାଙ୍କର ଅବଦାନ ସବୁଠି ଚର୍ଚ୍ଚାର ବିଷୟ।

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ କୁଇଓ ଅଞ୍ଚଳରେ ସୁବର୍ଣ୍ଣ ଦେହୁରୀଙ୍କ ଘର। ୪୦ ବର୍ଷ ପୂର୍ବେ ଯେଉଁ ସ୍ଥାନ ଟାଙ୍ଗରା ଭୂଇଁ ଥିଲା, ତାଙ୍କ ପ୍ରଚେଷ୍ଟାରେ ସେଠି ଏବେ ଠିଆ ହୋଇଛି ଆକାଶକୁ ଛୁଇଁଲା ଭଳି ବିଶାଳ ଶାଳଗଛ। ଜଙ୍ଗଲ ସୁରକ୍ଷା ଲାଗି ସେ ଲୋକଙ୍କୁ ବୁଝାଇବା ସହ ବିଭିନ୍ନ କବିତା ସଙ୍କଳନ ମାଧ୍ୟମରେ ସଚେତନ କରୁଛନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିବେଶ ପ୍ରତି ଭଲପାଇବା ବଢ଼ିଛି। ପିଲାଟି ଦିନରୁ ତାଙ୍କର ବଣ ଜଙ୍ଗଲ ପ୍ରତି ଦୁର୍ବଳତା ଥିଲା। କୁଇଓ ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେବାପାଇଁ ସେ ଅଣ୍ଟା ଭିଡ଼ିଥିଲେ। ୪୦ ବର୍ଷ ହେଲା କୁଇଓ ଜଙ୍ଗଲ କମିଟି ଓ ୨୦ ବର୍ଷ ହେଲା କାଉଁଶିତଇଳା ବନ ସୁରକ୍ଷା ସମିତିର ସଦସ୍ୟା ଭାବେ ସେ କାର୍ଯ୍ୟ କରିଆସୁଛନ୍ତି। ସେ ଜାମୁନାଳୀ, କୁଇଓ, ଟାଉନ ହାଇସ୍କୁଲ, ଅନୁଗୁଳ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ବାଜି ରାଉତ ଛାତ୍ରାବାସ, ରାମ ମୁଣ୍ଡା, ଡେରଜେଙ୍ଗ ଡ୍ୟାମ୍‌ ପରି ଅନେକ ସ୍ଥାନରେ ଲଗାଇଥିବା ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଗଛ ମଧ୍ୟରୁ ୯୦ ପ୍ରତିଶତ ଶାଳଗଛ ଥିବାବେଳେ ମହୁଲ, କେନ୍ଦୁ, ଜାମୁ ଗଛ ବି ରହିଛି। ସେଥିରୁ ଅଞ୍ଚଳବାସୀ ଆବଶ୍ୟକୀୟ ବନ୍ୟଜାତ ଦ୍ରବ୍ୟ ପାଇପାରୁଛନ୍ତି।

ସୁବର୍ଣ୍ଣ ସେଥିପାଇଁ ଯୁବଗୋଷ୍ଠୀଙ୍କ ପ୍ରେରଣା ପାଲଟିଛନ୍ତି। ପରିବେଶ ଓ ପ୍ରକୃତିର ସୁରକ୍ଷା ନେଇ ଗତ ୧୫ବର୍ଷ ହେଲା ସଚେତନତା ସୃଷ୍ଟି କରୁଛନ୍ତି। ସ୍ବଲେଖା କବିତାକୁ ଗାଇ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ସବୁଜ ବନାନୀର ମହତ୍ତ୍ବ ବିଷୟରେ ବୁଝାଉଛନ୍ତି। ମାଟି ମାଆ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ପ୍ରଦୂଷଣମୁକ୍ତ ପରିବେଶ, ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ଆହୁରି ଅଧିକ କବିତା ଲେଖିଲେଣି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସପ୍ତମ ହୋଇଥିଲେ ମଧ୍ୟ ପରିବେଶ ସମ୍ପର୍କିତ ତାଙ୍କ କବିତା ପଢ଼ି ସବୁ ସ୍ତରର ବ୍ୟକ୍ତି ତାଙ୍କୁ ପ୍ରଶଂସା କରିଆସୁଛନ୍ତି। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ସୁବର୍ଣ୍ଣ ୨୦୧୫ ମସିହାରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଛନ୍ତି। ସେହିପରି ୨୦୧୯ରେ ବରିଷ୍ଠ ନାଗରିକ ପୁରସ୍କାର ପାଇଛନ୍ତି। ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସେ ଅନେକଥର ପୁରସ୍କୃତ ହୋଇଛନ୍ତି। ପାଖରେ ଟଙ୍କା ନଥିଲେ ବି ଜଙ୍ଗଲ ଓ ଗଛ ପାଇଁ ଅର୍ଥ କେବେ ବାଧକ ହୋଇନି। ଖାଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେବା ତାଙ୍କର ଶେଷ ଇଚ୍ଛା ବୋଲି ମନ ଉଣା କରି କହନ୍ତି ଦେହୁରୀ ମାଉସୀ।
ରିପୋର୍ଟ: ରାଜେଶ କୁମାର ନାୟକ, ବଅଁରପାଳ

ସମ୍ବନ୍ଧିତ ଖବର