ବଣିଜ ବିଚାର: ଓଡ଼ିଆ ସିନେମା ପଛୁଆ କାହିଁକି?

ପୂର୍ଣ୍ଣେନ୍ଦୁ କର

ଗଲା ୨୦୧୯ ମସିହାରେ ଦକ୍ଷିଣ କୋରିଆର ସିନେମା ‘ପାରାସାଇଟ୍‌’ ସର୍ବଶ୍ରେଷ୍ଠ ସିନେମା ଭାବେ ଓସ୍କାର ପୁରସ୍କାର ପାଇଲା। ହଲିଉଡ୍‌ ଦ୍ବାରା ପ୍ରଦାନ କରାଯାଉଥିବା ଏହି ପୃଥିବୀ ପ୍ରସିଦ୍ଧ ପୁରସ୍କାର ଲାଭ କରିବାରେ ‘ପାରାସାଇଟ୍‌’ ଥିଲା ପ୍ରଥମ ଅଣ-ଇଂରେଜୀ ସିନେମା। ଏହି ପୁରସ୍କାର ପାଇବା ପରେ ସିନେମାର ନିର୍ଦେଶକ ବଙ୍ଗ୍‌ ଜୁନ୍‌-ହୋଙ୍କୁ ପଚରା ଯାଇଥିଲା ଯେ ‘ଏବେ ଦକ୍ଷିଣ କୋରିଆର ସିନେମା ବିଶ୍ୱରେ ପତିଆରା ଜମେଇବାକୁ ଲାଗିଥିବା ପଛରେ ଥିବା କାରଣଟି କ’ଣ?’ ଉତ୍ତରରେ ଜୁନ୍‌-ହୋ କହିଲେ- ଯେତେବେଳେ ଏମିତି ସିନେମା ହେବ ଯେ ଦର୍ଶକ ତାହା ଦେଖିଲା ବେଳେ ତା’ ସହିତ ନିଜକୁ ସଂଯୁକ୍ତ କରିପାରୁଥିବେ, ସିନେମା ଯେଉଁ ଭାଷାରେ ହେଲେ ବି ବା ଯେଉଁ ସଂସ୍କୃତିକୁ ପ୍ରଦର୍ଶନ କରୁଥିଲେ ବି ତାହା ବ୍ୟାବସାୟିକ ସଫଳତା ଲାଭ କରିବ। ଦକ୍ଷିଣ କୋରିଆ ସିନେମା ଏହି କାରଣରୁ ଏବେ ପୃଥିବୀରେ ସର୍ବତ୍ର ଆଦର ପାଉଛି। ଏହା ତ ସତ! କିନ୍ତୁ କୌଣସି ସିନେମାର ବ୍ୟାବସାୟିକ ସଫଳତା ଲାଗି ଆଉ ଯାହା ଆବଶ୍ୟକ ତାହା ହେଲା କାହାଣୀର ନୂତନତ୍ବ, କଳାତ୍ମକ ଉତ୍କର୍ଷ, ଉତ୍କୃଷ୍ଟ ନିର୍ଦେଶନା ଏବଂ ‘ସିନେମାଟୋଗ୍ରାଫି’, ପୁଞ୍ଜି ନିବେଶ ଓ ପ୍ରଯୋଜନାର ସୁପରିଚାଳନା ଇତ୍ୟାଦି। ଏବେ ଆସନ୍ତୁ ଏହି ସବୁ ଆଧାରରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ବା ଓଲିଉଡ୍‌ର ମୂଲ୍ୟାୟନ କରିବା ଏବଂ ଓଡ଼ିଆ ସିନେମା ଶିଳ୍ପର ମଡେଲ ତଥା ସରକାରଙ୍କର ତୁଙ୍ଗ ସଂସ୍ଥା ‘ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ’ର ନୀତିକୁ ନିରୀକ୍ଷଣ କରିବା।
ଭାରତରେ ମୁମ୍ବାଇରୁ ନିର୍ମିତ ହିନ୍ଦୀ ସିନେମା ବା ବଲିଉଡ୍‌ ଏବଂ ଦକ୍ଷିଣ-ଭାରତୀୟ ସିନେମା (ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମ ଭାଷାର ସିନେମା) ବ୍ୟାବସାୟିକ ଚଳଚ୍ଚିତ୍ର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତି। ‘କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି’ର ରିପୋର୍ଟ ଅନୁସାରେ ୨୦୨୧ରେ ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିର ଆୟ ୩,୯୮୮ କୋଟି ଟଙ୍କା ଥିଲା ବେଳେ ୨୦୨୨ ମସିହାରେ ତାହା ପ୍ରାୟ ଦୁଇ ଗୁଣ ହୋଇ ୭,୮୦୦ କୋଟିରେ ପହଞ୍ଚିଥିଲା, ଯାହା ସାରା ଭାରତର ସବୁ ସିନେମା ଇଣ୍ଡଷ୍ଟ୍ରିର ଆୟର ୫୨ ପ୍ରତିଶତ। ଏଥିରେ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ ସିନେମାର ଆୟ ଥିଲା ଯଥାକ୍ରମେ ୨,୯୫୦, ୨,୫୦୦, ୧,୫୭୦ ଓ ୮୧୬ କୋଟି ଟଙ୍କା। ଏହା ତୁଳନାରେ ଓଡ଼ିଆ ସିନେମା ଶିଳ୍ପର ଆୟ ଯେ କେତେ କମ୍‌, ତାହା କହିବାର ଆବଶ୍ୟକତା ନାହିଁ। ‘ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ’ର ତଥ୍ୟ ଅନୁସାରେ ଏ ଯାବତ୍‌ ଓଡ଼ିଶାରେ ପ୍ରାୟ ୭୦ରୁ ୮୦ଟି ସିନେମା ହଲ୍‌ କାର୍ଯ୍ୟକାରୀ ଅବସ୍ଥାରେ ଅଛି। ଅନେକ ସିନେମା ହଲ୍‌ ଏବେ ବାହାଘର ମଣ୍ଡପରେ ପରିଣତ ହେଲେଣି। ଏବେ ଏକ ତୁଳନାତ୍ମକ ଚିତ୍ର ଦେଖନ୍ତୁ: ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ୨୮୦୯, କର୍ଣ୍ଣାଟକରେ ୯୫୦, ତାମିଲନାଡୁରେ ୧୫୪୬ ଏବଂ କେରଳରେ ୧୦୧୫ଟି ସିନେମା ହଲ୍‌ ଅଛି। ଏପରି କି ପଶ୍ଚିମବଙ୍ଗରେ ୩୩୦, ବିହାରରେ ୨୬୯, ମଧ୍ୟପ୍ରଦେଶରେ ୨୦୭ ଓ ଝାଡଖଣ୍ଡରେ ୧୦୦ଟି ସିନେମା ହଲ ଅଛି। ଏହି ପରିପ୍ରେକ୍ଷୀରେ ଉଲ୍ଲେଖ ଥାଉ କି, ଭାରତ ସରକାରଙ୍କର ‘କମନ ସର୍ଭିସ ସେଣ୍ଟର୍‌’ ନାମକ ଏକ ସରକାରୀ କମ୍ପାନି ‘ଅକ୍‌ଟୋବର ସିନେମା’ ନାମକ ଏକ ଘରୋଇ ଉଦ୍ୟୋଗ ସହିତ ମିଳିତ ଭାବେ ଦେଶର ଗ୍ରାମାଞ୍ଚଳ ଏବଂ ଛୋଟ ସହରରେ ୧୦୦ରୁ ୨୦୦ ଲୋକ ବସିଲା ଭଳି ୧ ଲକ୍ଷ ସିନେମା ହଲ ଖୋଲିବାର ଏକ ଚମତ୍କାର ଯୋଜନା କରୁଛନ୍ତି, ଯହିଁରେ ସିନେମା ହଲ ଖୋଲିବା ପାଇଁ ଇଚ୍ଛୁକ ଉଦ୍ୟୋଗୀଙ୍କୁ ଠାବ କରି ସେମାନଙ୍କ ଲାଗି ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଏବେ ଦେଖିବାକୁ ବାକି ରହିଲା ଯେ ସରକାରଙ୍କର ଏହି ଯୋଜନାର ଲାଭ ଆମ ରାଜ୍ୟ କିଭଳି ଉଠାଇ ପାରୁଛି!
ଏବେ ଦକ୍ଷିଣ କୋରିଆକୁ ଏକ ‘କେସ୍‌ ଷ୍ଟଡି’ ଭାବେ ନେବା। ୧୯୯୦ ପରେ ଦକ୍ଷିଣ କୋରିଆର ସିନେମା ଇଣ୍ଡଷ୍ଟ୍ରିକୁ ସମୃଦ୍ଧ କରିବା ଲାଗି ‘ସାମସଙ୍ଗ’, ‘ହ୍ୟୁଣ୍ଡାଇ’, ଏବଂ ‘ଦାଏୟୁ’ ଭଳି ବୃହତ୍‌ ଉଦ୍ୟୋଗଗୁଡ଼ିକ ସିନେମା ପ୍ରଯୋଜନାରେ ପୁଞ୍ଜିନିବେଶ କଲେ। ଏହା ଫଳରେ ଏକ ପେସାଦାର ବାତାବରଣ ସୃଷ୍ଟି ହେଲା। କେବଳ ସେତିକି ନୁହେଁ, ‘ଏସିଆନ ସିନେମା ଫଣ୍ଡ’, ‘ସି.ଜେ. ଏଣ୍ଟରଟେନମେଣ୍ଟ’, ‘ଲଟେ ଏଣ୍ଟରଟେନମେଣ୍ଟ’ ଏବଂ ‘ସୋ ବକ୍ସ’ ଭଳି ବଡ଼ ବଡ଼ ‘ସିନେମା ଫଣ୍ଡ’ କମ୍ପାନିଗୁଡ଼ିକ ଏଥିରେ ସଂପୃକ୍ତ ହୋଇ ଦକ୍ଷିଣ କୋରିଆ ସିନେମା ଇଣ୍ଡଷ୍ଟ୍ରିକୁ ବିଶ୍ବସ୍ତରୀୟ କଲେ। ଏବେ ବଲିଉଡ୍‌ ଏବଂ ଦକ୍ଷିଣ ଭାରତୀୟ ସିନେମାଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ହେବା ସହିତ ଅର୍ଥ ଓ ପ୍ରକଳ୍ପ ପରିଚାଳନାରେ ଖୁବ୍‌ ପ୍ରଶଂସନୀୟ ପେସାଦାରି ଦେଖାଇଲେଣି। କିନ୍ତୁ ଓଡ଼ିଶାର ସିନେମା ବ୍ୟବସାୟର ପରିଚାଳନା ପ୍ରାୟତଃ ବ୍ୟକ୍ତିଗତ ବ୍ୟବସାୟ ପରି ହୋଇଥାଏ ଏବଂ ସେଥିରେ ‘କର୍ପୋରେଟ୍‌ ସଂସ୍ଥା‌’ ସୁଲଭ ପରିଚାଳନା ନ ଥିବାରୁ ବିଭିନ୍ନ ସ୍ତରରେ ଅପାରଗତା ଦେଖିବାକୁ ମିଳିଥାଏ। ସୁତରାଂ, ଆମ ରାଜ୍ୟର ସିନେମା ନିଗମ କିମ୍ବା ସିନେମା ପ୍ରଯୋଜକ ବା ଡିଷ୍ଟ୍ରିବ୍ୟୁଟରମାନେ ଉପରୋକ୍ତ ମଡେଲ ଆପଣେଇବା ଉଚିତ। ଓଡ଼ିଶାରେ ସିନେମା ପ୍ରଯୋଜନାରେ ବ୍ୟୟ କରାଯାଉଥିବା ଅର୍ଥ ମୁଖ୍ୟତଃ ପ୍ରଯୋଜକମାନଙ୍କ ବ୍ୟକ୍ତିଗତ ପୁଞ୍ଜି ହୋଇଥାଏ, ଯହିଁରୁ କିଛି ବ୍ୟାଙ୍କ ଋଣ ବା ଚଢ଼ା ସୁଧ ଦରରେ ଘରୋଇ ଋଣ ମଧ୍ୟ ହୋଇଥାଏ। ଉଲ୍ଲେଖ ଥାଉ କି ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରି ଏବଂ ବଲିଉଡ୍‌ ଏଭଳି ସ୍ଥିତିରୁ ଗଲା ୨୦ ବର୍ଷ ହେଲାଣି ବାହାରି ଆସିଲେଣି ଏବଂ ତହିଁରେ ଏବେ ‘ଭେଂଚର୍‌ କ୍ୟାପିଟାଲ ଫଣ୍ଡ’ କମ୍ପାନିମାନଙ୍କର ବିପୁଳ ପୁଞ୍ଜି ବିନିଯୁକ୍ତ ହେଉଛି। ଏଭଳି ସ୍ଥଳେ ଯେଉଁ ପରିିଚାଳନାଗତ ପେସାଦାରି ଦେଖିବା‌କୁ ମିଳିଲାଣି, ସେଥିରେ ଏହି ସିନେମାଗୁଡ଼ିକର ସ୍ତର ମଧ୍ୟ ବିଶ୍ବସ୍ତରୀୟ ହେବାକୁ ବସିଲାଣି। ଏଭଳି କଂପାନିଗୁଡ଼ିକର ଉଦାହରଣ ହେଲେ ‘ସିନେମା କ୍ୟାପିଟାଲ ଭେଞ୍ଚର ଫଣ୍ଡ’, ‘ଦାର କ୍ୟାପିଟାଲ’ ଇତ୍ୟାଦି। ଏ ପ୍ରସଙ୍ଗରେ ପ୍ରଶ୍ନ ହେଲା ଯଦି କେରଳ ବା ଆନ୍ଧ୍ର ପ୍ରଦେଶ ବା ତାମିଳନାଡୁ ଭଳି ରାଜ୍ୟର ସିନେମା ଶିଳ୍ପ ଏଭଳି ‘ଭେଂଚର କ୍ୟାପିଟାଲ ଫଣ୍ଡ’ କମ୍ପାନିଗୁଡ଼ିକର ଲାଭ ଉଠାଇ ପାରୁଛନ୍ତି, ତେବେ ଆମ ରାଜ୍ୟ ତାହା କରି ନ ପାରିବ କାହିଁକି? ଉଲ୍ଲେଖ ଥାଉ କି ଏବେ ମରାଠୀ ଏବଂ ଭୋଜପୁରୀ ସିନେମା ମଧ୍ୟ ଏ ପ୍ରକାର ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଲେଣି। ଆମ ରାଜ୍ୟରେ ସରକାରଙ୍କ ‘ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ’ ଇଚ୍ଛୁକ ପ୍ରଯୋଜକମାନଙ୍କୁ ସିନେମା ନିର୍ମାଣ ଲାଗି ଅନୁଦାନ ବା ଅର୍ଥ ଋଣ ଦେଇଥାନ୍ତି। କିନ୍ତୁ ‘ଭେଂଚର କ୍ୟାପିଟାଲ ଫଣ୍ଡ’ କଂପାନିଗୁଡ଼ିକ ଅତି ବିପୁଳ ପରିମାଣରେ ଅର୍ଥ ବିନିଯୋଗ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ଋଣ ପରିମାଣ ଅତ୍ୟନ୍ତ ସ୍ବଳ୍ପ। ସରକାରୀ ତଥ୍ୟ ଅନୁସାରେ ୨୦୧୮-୧୯ ସୁଦ୍ଧା ସମୁଦାୟ ୪୪ ଜଣ ପ୍ରଯୋଜକଙ୍କୁ ‘ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ’ ତରଫରୁ ୪.୫୬ କୋଟି ଟଙ୍କାର ‘ଟର୍ମ ଲୋନ୍‌’, ୧୦୨ ଜଣ ପ୍ରଯୋଜକଙ୍କୁ ୧.୬୩ କୋଟି ଟଙ୍କାର ‘ସଫ୍‌ଟ-କମ୍-ବ୍ରିଜ’ ଲୋନ୍‌ ବ୍ୟବସ୍ଥାରେ ଋଣ ମିଳିଥିଲା। ୨୦୧୯ ମସିହାରେ ମାତ୍ର ଜଣେ ପ୍ରଯୋଜକଙ୍କୁ ୩୦ ଲକ୍ଷ ଟଙ୍କାର ଋଣ ମିଳିଥିଲା। ସେହିପରି ରାଜ୍ୟରେ ସିନେମା ପ୍ରଯୋଜନା ପାଇଁ ୨୦୧୮-୧୯ ସୁଦ୍ଧା ୩୧୮ ଜଣ ପ୍ରଯୋଜକଙ୍କୁ ୪୬.୮୮ କୋଟି ଟଙ୍କାର ସବ୍‌ସିଡି ମିଳିଥିଲା। କିନ୍ତୁ ୨୦୧୯-୨୦ ପର ଠାରୁ କୌଣସି ସବ୍‌ସିଡି ଦିଆ ଯାଇ ନାହିଁ। ଏବଂ ସବ୍‌ସିଡି ସକାଶେ ୩୮ଟି ଆବେଦନ ଏବେ ସୁଦ୍ଧା ବିଚାର ଅପେକ୍ଷାରେ ରହିଛି। ଏ ଦୃଷ୍ଟିରୁ ବିଚାର କଲେ ସ୍ପଷ୍ଟ ହୋଇଥାଏ ଯେ ସିନେମା ନିର୍ମାଣ ଲାଗି (ବ୍ୟୟବହୁଳ ଉନ୍ନତ ମାନର ସିନେମା ଦୂରେ ଥାଉ) ସରକାରୀ ଅନୁଦାନ ବା ଋଣ ଆଦୌ ଆଖିଦୃଶିଆ ନୁହେଁ। ୨୦୧୯ ମସିହାରେ ଓଡ଼ିଶା ସରକାର ସିନେମା ସଂପର୍କିତ ଏକ ନୀତି ବା ‘ପଲିସି’ ଆଣିଲେ। ଏଥିରେ କୁହାଗଲା ଯେ ରାଜ୍ୟରେ ‘ଫିଲ୍ମ ସିଟି’ର ନିର୍ମାଣ ସକାଶେ ରିହାତି ଦରରେ ସରକାରୀ ଜମି ଯୋଗାଇ ଦିଆଯିବ, ଋଣ ଉପରେ ସୁଧ ଛାଡ଼ କରାଯିବ, ଜି.ଏସ.ଟି., ବିଦ୍ୟୁତ୍‌ ଦେୟ ଆଦି ଛାଡ଼ କରାଯିବ ଇତ୍ୟାଦି। ଏହା ସତ୍ତ୍ୱେ ଏଯାବତ କୌଣସି ବି ପୁଂଜି ରାଜ୍ୟକୁ ଆସିଲା ନାହିଁ। ଏହା ସୂଚନା ଦେଉଛି ଯେ ଏ ଯାବତ୍‌ ଆମ ରାଜ୍ୟରେ ସେଭଳି ବାତାବରଣ ସୃଷ୍ଟି କରାଯାଇ ପାରି ନାହିଁ।
ଏହା ମଧ୍ୟ ସତ ଯେ ହାତଗଣତି ଓଡ଼ିଆ ସିନେମାକୁ ଛାଡ଼ିଦେଲେ ଅଧିକାଂଶ ସିନେମା ଦକ୍ଷିଣ ଭାରତୀୟ ସିନେମାର ଦୟନୀୟ ନକଲ। କିନ୍ତୁ ଆମ ଭାଷା ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆମ ଭାଷାରେ ଏଭଳି ମୌଳିକ କାହାଣୀ ଏବଂ ଉପନ୍ୟାସମାନ ରହିଛି, ଯାହାକୁ ନେଇ ଓଡ଼ିଶାର ସାଂସ୍କୃତିକ ପରିଚୟ ସୃଷ୍ଟିକାରୀ ଚମକପ୍ରଦ ସିନେମାମାନ ନିର୍ମାଣ କରାଯାଇପାରେ। ନିକଟରେ ନିର୍ମାଣ କରାଯାଇଥିବା ଓଡ଼ିଆ ସିନେମା ‘ଦମନ’ କେବଳ ଭାରତ କାହିଁକି ଭାରତ ବାହାରେ ମଧ୍ୟ ଉଚ୍ଚ ପ୍ରଶଂସିତ ହେଲା। କେବଳ ଓଡ଼ିଆମାନେ ନୁହେଁ, ସବୁ ଭାଷାର ଲୋକେ ଏହାକୁ ଖୁବ୍‌ ଭଲ ପାଇଲେ। ‘ଦମନ’ରେ ଖର୍ଚ୍ଚ କରାଯାଇଥିଲା ମାତ୍ର ୯୪ ଲକ୍ଷ ଟଙ୍କା କିନ୍ତୁ ମୁକ୍ତିଲାଭର ଦୁଇ ସପ୍ତାହ ମଧ୍ୟରେ ତାହା ଆୟ କରିସାରିଥିଲା ଦୁଇ କୋଟି ଟଙ୍କା। ସେମିତି ୧୬ କୋଟି ଟଙ୍କା ବଜେଟରେ ପ୍ରଯୋଜିତ ହୋଇଥିବା କନ୍ନଡ଼ ସିନେମା ‘କାନ୍ତାରା’ ମଧ୍ୟ ଉଦାହରଣଯୋଗ୍ୟ, ଯାହାର ଆୟ ୪୫୦ କୋଟି ଟଙ୍କାରୁ ଅଧିକ ହୋଇଛି। ସେମିତି ମାତ୍ର ୪ କୋଟି ଟଙ୍କାର ବଜେଟରେ ଏବଂ ମାତ୍ର ୪୪ ଦିନରେ ନିର୍ମିତ ମାଲାୟାଲମ ସିନେମା ‘ଦୃଶ୍ୟମ୍’ ବହୁ ଭାଷାରେ ପୁନଃ ନିର୍ମିତ ହୋଇ ଅପାର ସଫଳତା ଲାଭ କରିଛି। ତେବେ ମାଲାୟାଲମ ଭାଷୀ ‘ଦୃଶ୍ୟମ୍‌’ର ଆୟ ୭୫ କୋଟି ଛୁଇଁଥିଲା। ନିକଟ ଅତୀତରେ କନ୍ନଡ଼ ଫିଲ୍ମ ‘କେଜିଏଫ’କୁ ମଧ୍ୟ ସର୍ବଭାରତୀୟ ସ୍ତରରେ ଅଭୂତପୂର୍ବ ସଫଳତା ମିଳିଲା। ତେବେ ଏବେ ‘ଦମନ’ ପରେ ପରେ ‘ପ୍ରତୀକ୍ଷା’ ଭଳି ଓଡ଼ିଆ ସିନେମା ମୂଳ ଓଡ଼ିଆ କାହାଣୀ ଉପରେ ଆଧାରିତ ହୋଇଛି ଏବଂ ସେଗୁଡ଼ିକୁ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ମଧ୍ୟ ପ୍ରକାଶ ପାଇଛି।
ସିନେମା ହେଉଛି ପ୍ରକୃତରେ ଏକ କଳାକୃତି। ଏହାକୁ ଉଚ୍ଚ ମାନରେ ପହଞ୍ଚାଇବା ଲାଗି ନିର୍ଦ୍ଦେଶନା ସହିତ ‘ସିନେମାଟୋଗ୍ରାଫି’ ଏବଂ ‘ଏଡିଟିଂ’ର ଅନେକ ଭୂମିକା ଥାଏ।
ଅନେକ ଓଡ଼ିଆ କ୍ୟାମେରାମ୍ୟାନ, କୋରିଓଗ୍ରାଫର, ଆନିମେସନ ଡିଜାଇନର ଇତ୍ୟାଦି ମୁମ୍ବାଇ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ବେଶ୍ ପ୍ରସିଦ୍ଧ। ସେମାନେ ମଧ୍ୟ ଓଡ଼ିଆ ସିନେମାର ଗୁଣାତ୍ମକତା ବୃଦ୍ଧି ଦିଗରେ କାମ କରିବା ଉଚିତ ବା ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ। ଜାତୀୟ ଏବଂ ଅନ୍ତର୍ଜତୀୟ ସ୍ତରରେ ପରିଚିତ ନୀଳମାଧବ ପଣ୍ଡାଙ୍କ ଭଳି ନି‌େର୍ଦ୍ଦଶକ ଚମତ୍କାର ଓଡ଼ିଆ ସିନେମା ମଧ୍ୟ କରି ପାର‌ନ୍ତେ। କିନ୍ତୁ ଏଭଳି ନିର୍ଦ୍ଦେଶକମାନେ ଯାହା ଲୋଡ଼ନ୍ତି, ତାହା ହେଲା ଭଲ ସିନେମା ନିର୍ମାଣ କରିବା ଲାଗି ଏକ ଅନୁକୂଳ ବାତାବରଣ, ପେସାଦାରି ମନୋବୃତ୍ତି ଏବଂ ସିନେମା ପ୍ରସ୍ତୁତ ହେବା ପରେ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଅଧିକ ସଂଖ୍ୟକ ସିନେମା ହଲ୍‌। ତେବେ ଯାହା ହେଉ ‘ଦମନ’ ଓଡ଼ିଆ ସିନେମାର ମରୁଡ଼ିରେ ଏକ ଅମୃତ ବିନ୍ଦୁ ଭଳି ପଡ଼ିଛି। ଏବେ, ଆମ ରାଜ୍ୟର ସିନେମା କେମିତି ଅଧିକ ଭଲ ହେବ, ତାହା ଧ୍ୟାନରେ ରହିବା ଉଚିତ। ସିନେମା ଶିଳ୍ପ ସହିତ ଜଡ଼ିତ ଲୋକଙ୍କ ଅଭିଯୋଗ ଯେ ଓଡ଼ିଆ ଦର୍ଶକମାନେ ଓଡ଼ିଆ ସିନେମା ପ୍ରତି ବିମୁଖ। ସେମାନେ ଅଧିକ ସଂଖ୍ୟାରେ ହଲ୍‌କୁ ଆସିବା ଦରକାର। କିନ୍ତୁ, ଏବେ ଏହି ଅଭିଯୋଗ ଭ୍ରମାତ୍ମକ ସାବ୍ୟସ୍ତ ହେଲା। ଯଦି ‘ଦମନ’ ପ୍ରଭୂତ ଜନାଦୃତି ପାଇଲା ଏବଂ ତେଲୁଗୁ ସିନେମା ‘କେଜିଏଫ୍‌’କୁ ଓଡ଼ିଆ ଲୋକେ ଦେଖିଲେ, ତେବେ ଭଲ ଓଡ଼ିଆ ସିନେମା ଦେଖିବେ ନାହିଁ କାହିଁକି?
ମୋ: ୯୭୯୧୧୨୧୦୬୮

ସମ୍ବନ୍ଧିତ ଖବର