ଗରିବ ବାପାଙ୍କ ସହିତ ଛେଳି ଚରାଇବାକୁ ଯାଉଥିବା ଝିଅ ଜାପାନରେ ପାଇଲେ ବଡ଼ ଚାକିରି

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢ଼ାଣା ସହର ଠାରୁ ୭କିମି ଦୂରରେ ଥିବା କୋଲବାଡ ଗ୍ରାମରେ ବସବାସ କରୁଥିବା ଜଣେ ଗରିବ ବାପାଙ୍କ ସ୍ବପ୍ନକୁ ପୂରା କରିଛନ୍ତି ଝିଅ ରୋହିଣୀ ଗବଇ। ରୋହିଣୀ ଅନେକ କଷ୍ଟ ସହି ସଂଘର୍ଷ ଓ ପରିଶ୍ରମ କରି ଜାପାନରେ ଏକ ବଡ଼ ଚାକିରି ପାଇଛନ୍ତି। ରୋହିଣୀଙ୍କ ଏହି ସଫଳତା ପାଇଁ ପୂରା ଗାଁ ଗର୍ବି ଅନୁଭବ କରୁଛି।

ସୂଚନାଯୋଗ୍ୟ,  ରୋହିଣୀ ଗବଇଙ୍କ ବାପା ଶ୍ରମିକ ଭାବେ କାମ କରିବା ସହିତ ପରିବାର ଚଳାଇବା ପାଇଁ ଛେଳି ବି ପାଳନ କରନ୍ତି। ରୋହିଣୀ ବି ସମୟ ସମୟରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଛେଳି ଚରାଇବାକୁ ଯାଇଥାଆନ୍ତି। ଏସବୁ ଭିତରେ ରୋହିଣୀ ନିଜର ପାଠପଢ଼ାକୁ କେବେ ହେଳା କରନ୍ତି ନାହିଁ। ଝିଅର ପାଠପଢ଼ା ପ୍ରତି ରୁଚି ଦେଖି ବାପା ବି ଟଙ୍କା ପାଇଁ ନିଜର ଘରକୁ ବାନ୍ଧା ପକାଇ ଦେଇଥିଲେ।

ଜାପାନରେ ଚାକିରି ପାଇବା ଘଟଣାକୁ ନେଇ ରୋହିଣୀ କହନ୍ତି, ‘ମୁଁ ୧୦ମ ଶ୍ରେଣୀ ପାସ ହେବାପରେ କୃଷି ବିଦ୍ୟାଳୟରେ ଡି‌‌‌‌ପ୍ଲୋମା କରିଥିଲି। ଏହାପରେ ଜାପନୀ ଭାଷା ଶିଖିଲି। ଏସବୁ ଭିତରେ ମୁଁ ଜାପାନର ଏକ ଫୁଡ଼ ପ୍ରୋସେସିଂ କମ୍ପାନିରେ ଚାକିରି ପାଇଁ ଆବେଦନ କରିଥିଲି। ଭଗବାନ ଓ ବାପା-ମା’ଙ୍କ ଆର୍ଶୀବାଦରୁ ମୁଁ ଜାପାନରେ ଚାକିରି ପାଇଯାଇଛି। ନିଯୁକ୍ତି ପତ୍ର ବି କମ୍ପାନି ପଠାଇ ସାରିଛି। ଯେଉଁଥିରେ ମୋର ମାସକୁ ୧ଲକ୍ଷ ୫୮ହଜାର ଟଙ୍କାର ପାରିଶ୍ରମିକ ଥିବା ଉଲ୍ଲେଖ ରହିଛି। ଖୁବଶୀଘ୍ର ମୁଁ ଚାକିରି ‌କ୍ଷେତ୍ରରେ ଯୋଗ ଦେବି। ଏଥିପାଇଁ ସମସ୍ତଙ୍କ ଆର୍ଶୀବାଦ ନିହାତି ଆବଶ୍ୟକ।’

ସମ୍ବନ୍ଧିତ ଖବର