ରାତିସାରା କଲେଜକୁ ସୁରକ୍ଷା ଦେଉଥିବା କର୍ମଚାରୀ ପାଇଲେ ସରକାରୀ ଚାକିରି: ମାସକୁ ଦରମା ୭୦ହଜାରୁ ଊର୍ଧ୍ବ

ନୂଆଦିଲ୍ଲୀ: ଇଚ୍ଛା, ଆତ୍ମବିଶ୍ବାସ ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ। ନିକଟରେ ଜଣେ କଲେଜ ସୁରକ୍ଷାକର୍ମୀ ତାଙ୍କ ପରିଶ୍ରମ ବଳରେ ସରକାରୀ ଚାକିରି ପାଇ ପାରିଛନ୍ତି।

ହାଇଦ୍ରାବାଦର ଓସ୍ମାନିଆ ବିଶ୍ବବିଦ୍ୟାଳୟରେ ପ୍ରବୀଣ କୁମାର ରାତିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ଏହି କାମ ସମୟରେ ତାଙ୍କୁ ଯେତେବେଳେ ବି ସମୟ ମିଳିଥ‌ାଏ ସେ ପାଠପଢ଼ିଥାଆନ୍ତି। ପରୀକ୍ଷା ସମୟ ଆସିଲେ ପରୀକ୍ଷା ବି ଦେଇଥାଆନ୍ତି। ନିକଟରେ ପ୍ରବୀଣ ଦେଇଥିବା ପରୀକ୍ଷା ଫଳ ବାହାରି ଯାଇଛି।  ତାଙ୍କୁ ଯୁକ୍ତ ତିନିର ଶିକ୍ଷକ ପଦ ପାଇଁ ନିଯୁକ୍ତି ମିଳିଛି। ଅର୍ଥାତ ଜୁନିୟର ଲେକଚର ଭାବେ ପ୍ରବୀଣଙ୍କୁ ଚୟନ କରାଯାଇଛି।  ସରକାରୀ ଚାକିରି ପାଇବା ପରେ ପ୍ରବୀଣଙ୍କ ଦରମା ୭୩ହଜାରରୁ ୮୦ହଜାର ମଧ୍ୟରେ ହେବ ବୋଲି କୁହାଯାଉଛି।

ପ୍ରବୀଣ କହନ୍ତି, ‘ମୋ ବାପା ଜଣେ ମିସ୍ତ୍ରୀ ଓ ମା’ ବିଡ଼ି କମ୍ପାନିରେ କାମ କରନ୍ତି। ବାପା ଓ ମା’ ମୋର ପାଠପଢ଼ା ପାଇଁ ଖୁବ ପରିଶ୍ରମ କରିଛନ୍ତି। ଯାହା କହିଛି ସେମାନେ ମୋର ସବୁ ଆଶା ପୂରଣ କରିଛନ୍ତି। ମୋ ପାଖରେ ଏମ.କମ, ବି.ଏଡ ଓ ଏମ.ଏଡ ଭଳି ଡିଗ୍ରି ରହିଛି ।ଚାହିଁଥିଲେ ମୁଁ କୌଣସି ଘରୋଇ କମ୍ପାନିରେ କାମ କରି ପାରିଥାଆନ୍ତି। କିନ୍ତୁ ସମୟ ପାଇ ପାରି ନଥାଆନ୍ତି। ତେଣୁ ସୁରକ୍ଷାକର୍ମୀ ଭାବେ ଚାକିରି କରି ଡିୟୁଟି କରିବା ସହିତ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବି ବୋଲି ସ୍ଥିର କରିଥିଲି।

ଡିୟୁଟି ସହିତ ପାଠପଢ଼ିବା କଷ୍ଟ ହେଉଥିଲା। କିନ୍ତୁ ବାପା, ମା’ଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ସବୁ କଷ୍ଟ ଭୁଲି ମୁଁ ମୋ ଲକ୍ଷ୍ୟପଥରେ ଆଗେଇ ଯାଇଥିଲି। ଆଉ ଆଜି ବାପା ଓ ମା’ଙ୍କ ଆର୍ଶୀବାଦ ପାଇଁ ଏହି ସଫଳତା ପାଇ ପାରିଛି।’

ସମ୍ବନ୍ଧିତ ଖବର