ପଡ଼ିଆରୁ ପଲିଟିକ୍ସ

ଏବେ ରାଜ୍ୟରେ ସାଧାରଣ ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି କ୍ରୀଡ଼ାକ୍ଷେତ୍ରର ଏକାଧିକ ସଫଳ ବ୍ୟକ୍ତିତ୍ବ। ‌ଆସନ୍ତୁ ଜାଣିବା ସେମାନେ କିଏ ଓ କାହିଁକି ରାଜନୀତିରେ ପାଦ ରଖିଛନ୍ତି?

ଦିଲୀପ ତିର୍କି
ଓଡ଼ିଶାର ଶ୍ରେଷ୍ଠତମ ଖେଳାଳିର ଆଖ୍ୟା ଏବେ ବି ଦିଲୀପ ତିର୍କିଙ୍କ ନାମରେ ଅତୁଟ ରହିଛି। ମର୍ଯ୍ୟାଦାଜନକ ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା ଏହି ହକି ଖେଳାଳି ଅବସର ପରେ ବିଜେଡିରେ ‌ଯୋଗ ଦେଇ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ। ୨୦୧୯ରେ କିନ୍ତୁ ଲୋକସଭା ନିର୍ବାଚନରେ ସୁନ୍ଦରଗଡ଼ ଆସନରୁ ଲଢ଼ି ବିଜେପିର ଜୁଏଲ ଓରାମଙ୍କଠାରୁ ହାରିଯାଇଥିଲେ। ଏବେ ପୁଣି ଲଢ଼େଇ ହେଉଛି ସମାନ ପ୍ରତିଦ୍ବନ୍ଦ୍ବୀଙ୍କ ସହ, ସମାନ ମଇଦାନରେ।

କାମାକ୍ଷାପ୍ରସାଦ ସିଂହଦେଓ
ଜଣେ ଖେଳାଳି ଭାବେ ରାଜନୀତିରେ ସଫଳତମ ଓଡ଼ିଆ ହେଲେ ବ୍ରିଗେଡିୟର୍‌ କାମାକ୍ଷା ପ୍ରସାଦ ସିଂହଦେଓ। ସେ ଭାରତୀୟ ରୋଇଂ ଦଳର ପ୍ରତିନିଧିତ୍ବ କରିବା ସହ ହକି ଓ ରୋଇଂରେ ଓଡ଼ିଶା ପକ୍ଷରୁ ଖେଳିଥିଲେ। ବିଶ୍ବବିଦ୍ୟାଳୟସ୍ତରରେ ହକି, ଫୁଟ୍‌ବଲ୍‌, ରୋଇଂ ଓ କ୍ରିକେଟ୍‌ରେ ବି ସଫଳତା ପାଇଥିଲେ। ଦୀର୍ଘ ୧୯ ବର୍ଷ (୧୯୮୨-୧୯୯୧ ଓ ୧୯୯୮-୨୦୦୮) ଧରି କେପି ସିଂହଦେଓ ଭାରତୀୟ ରୋଇଂ ସଂଘର ସଭାପତି ପଦ ମଣ୍ଡନ କରିଥିଲେ। ରୋଇଂରେ ଏସୀୟ କ୍ରୀଡ଼ା ଓ ବିଶ୍ବ ପ୍ରତିଯୋଗିତାରେ ଅମ୍ପାୟାରିଂ କରିବାର ‌ସୌଭାଗ୍ୟ ପାଇଥିଲେ। ୧୯୮୮ ଅଲିମ୍ପିକ୍ସରେ ଭାରତୀୟ ଦଳର ଚିଫ୍ ଡି ମିସନ୍ ଥିଲେ। ଅନ୍ତର୍ଜାତୀୟ ଅଲିମ୍ପିକ୍ ଏକଡେମିର ଆଲୁମ୍‌ନି ଶ୍ରୀ ସିଂହଦେଓ ବିଶ୍ବ ବନ୍ଧୁକଚାଳନା ପ୍ରତିଯୋଗିତା, ଆଫ୍ରୋଏସୀୟ କ୍ରୀଡ଼ାରେ ବିଭିନ୍ନ ଭୂମିକାରେ ରହିବା ସହ ଭାରତୀୟ ଅଲିମ୍ପିକ୍ ସଂଘ ଉପସଭାପତି, ଏସୀୟ ରୋଇଂ ସଂଘ ପ୍ରତିଷ୍ଠାତା ସଭାପତି ଓ ସର୍ବଭାରତୀୟ କ୍ରୀଡ଼ା ପରିଷଦ୍‌ର ସଦସ୍ୟ ଭଳି ପ୍ରମୁଖ ପଦରେ ଥିଲେ। କୋଲ୍‌କାତା ଓ କରାଚୀ ବୋଟ୍‌ କ୍ଲବ୍ ସହ ମଧ୍ୟ ସେ ଜଡ଼ିତ ଥିଲେ। ରାଜନୈତିକ ଜୀବନରେ ବି ଢେଙ୍କାନାଳ ରାଜା କେପି ସିଂହ‌ଦେଓ ଅନେକ ଛାପ ଛାଡ଼ିଛନ୍ତି। ୭ଥର ସଂସଦକୁ (ଥରେ ରାଜ୍ୟସଭା, ୬ଥର ଲୋକସଭା) ନିର୍ବାଚିତ ହୋଇଥିଲେ ସେ। ସାଂସଦ ଭାବେ ବିଭିନ୍ନ କମିଟିରେ ଦାୟିତ୍ବ ତୁଲାଇବା ସହ କେନ୍ଦ୍ର ସରକାରରେ ଖାଦ୍ୟ ଓ ଯୋଗାଣ, ପ୍ରତିରକ୍ଷା, ସୂଚନା ଓ ପ୍ରସାରଣ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଶାସନିକ ପୁନର୍ଗଠନ, ସାଧାରଣ ଅଭିଯୋଗ, ପେନସନ୍‌ ଓ ସଂସ୍କୃତି ବିଭାଗ ଆଦିର ମନ୍ତ୍ରୀ ପଦ ସମ୍ଭାଳିଥିଲେ। ମୋଟ ଉପରେ ୬ ଥର କେନ୍ଦ୍ରମନ୍ତ୍ରୀ ହୋଇ ଓଡ଼ିଶା ପାଇଁ ବିରଳ ରେକର୍ଡ ସ୍ଥାପନ କରିଚନ୍ତି। ଏଥିସହ ପ୍ରଦେଶ କଂଗ୍ରେସର ସଭାପତି ଓ ସମ୍ପାଦକ ମଧ୍ୟ ରହିଥିଲେ ଏହି ଅତି ବିଶିଷ୍ଟ ସେବା ପଦକ ବିଜୟୀ ଅବସରପ୍ରାପ୍ତ ସାମରିକ ଅଧିକାରୀ। ୨୦୧୯ ଲୋକସଭା ନିର୍ବାଚନ ହାରିବା ପରଠାରୁ ସକ୍ରିୟ ରାଜନୀତିରେ ରହିନାହାନ୍ତି।

ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
କ୍ରିକେଟ୍‌ ଦୁନିଆରେ ବେବି ଭାଇ ନାମରେ ପରିଚିତ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଥମ ଥର ପାଇଁ ରାଜନୀତିକୁ ଆସି ୨୦୧୯ ବିଧାନସଭା ନିର୍ବାଚନରେ ବ୍ରହ୍ମଗିରିରୁ ଭାରତୀୟ ଜନତା ପାର୍ଟି ଟିକେଟ୍‌ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବଡ଼ଭାଇ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଆସନକୁ ଫେରାଇ ଆଣିଥିଲେ। ୨୦୨୪ ନିର୍ବାଚନରେ କିନ୍ତୁ ‌ସେ ପ୍ରତ୍ୟକ୍ଷ ଭାବେ ନ ଲଢ଼ି ଝିଆରୀ (ଲୁଲୁଙ୍କ ଝିଅ) ଉପାସନା ମହାପାତ୍ରଙ୍କୁ ଏହି ଆସନ ଛାଡ଼ି ଦେଇଛନ୍ତି। ଓଡ଼ିଶା ପାଇଁ ଲଳିତେନ୍ଦୁ ୧୨ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବା ସହ କ୍ଲବ୍-୭୩ ଗଠନ କରି ଫୁଟ୍‌ବଲ୍‌ର ପ୍ରସାର ଲାଗି ଢେର୍‌ ଆଦର ପାଇଛନ୍ତି। ରଣଜୀ ଟ୍ରଫି ଖେଳିବା ପୂର୍ବରୁ କୁଚ୍‌ବି‌ହାର ଟ୍ରଫି, ବିଜୟ ମର୍ଚାଣ୍ଟ ଟ୍ରଫି, ସିକେ ନାୟୁଡୁ ଟ୍ରଫି, ରୋହିଙ୍ଗ୍‌ଟନ୍ ବାରିଆ ଟ୍ରଫି, ଭିଜି ଟ୍ରଫି ଆଦି ପ୍ରତିଯୋଗିତାରେ ଜଣେ ଅଲ୍‌ରାଉଣ୍ଡର୍‌ ଭାବେ ଭାଗ ନେଇଥିଲେ। ଓଡ଼ିଶା ଦଳର ଚୟନକର୍ତ୍ତା ଓ ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

କଳିକେଶ ନାରାୟଣ ସିଂହଦେଓ
ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ ନାରାୟଣ ସିଂହଦେଓ ସୁଟିଂ ଓ ବାସ୍କେଟ୍‌ବଲ୍‌ ଖେଳି ବେଶ୍ ନାଁ କରିଥିଲେ। କଳିକେଶ ଏକାଧିକ ଥର ଜାତୀୟ ବଂଧୁକଚାଳନା ପ୍ରତିଯୋଗିତାରେ ପଦକ ଜିତିଥିବା ବେଳେ ଏବେ ଭାରତୀୟ ରାଇଫଲ୍ ସଂଘର ସଭାପତି ଅଛନ୍ତି। ବିଜେଡି ଟି‌କେଟ୍‌ରେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା (୨୦୦୯-୨୦୧୯) କଳିକେଶ ଏହା ପୂର୍ବରୁ ସର୍ବକନିଷ୍ଠ ବିଧାୟକ ଭାବେ ସଇଁଳତାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସୁରେନ୍ଦ୍ର ସିଂହ ଭୋଇ
ବଡିବିଲ୍‌ଡିଂ ଦୁନିଆରୁ ପ୍ରଥମ ପରିଚୟ ପାଇଥିବା ସୁରେନ୍ଦ୍ର ସିଂହ ଭୋଇ ହେଉଛନ୍ତି ଟିଟିଲାଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ। ଏକଦା ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଜୁନିଅର୍ ମିଷ୍ଟର୍ ଇଣ୍ଡିଆ ମୁକୁଟ ଜିତିଥିବା ସୁରେନ୍ଦ୍ର ସିଂହ ୨୦୦୯ରେ ବିଧାୟକ ନିର୍ବାଚିତ ହୋଇଥିଲେ। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ମଧ୍ୟ ଅନ୍ୟତମ ପୃଷ୍ଠପୋଷକ ଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନରେ ହାରିଯିବା ପରେ ଏବେ ବିଜେଡିରେ ଯୋଗଦେଇ ରାଜନୈତିକ ଜୀବନକୁ ନୂ୍ଆମୋଡ଼ ଦେବା ଆଶାରେ ରହିଛନ୍ତି। ଏଥର ବଲାଙ୍ଗୀର ଲୋକସଭା ଆସନରୁ ତାଙ୍କୁ ବିଜେଡି ପ୍ରାର୍ଥୀ କରିଛି।

‌‌ଗ୍ରି‌େଗାରି ମିଞ୍ଜ୍
ସୁନ୍ଦରଗଡ଼ର ହକି ବ୍ୟକ୍ତିତ୍ବ ଗ୍ରିଗୋରି ମିଞ୍ଜ୍‌ ସମ୍ଭବତଃ ରାଜନୀତିକୁ ଆସିଥିବା ପ୍ରଥମ ଜାତୀୟ ସ୍ତରର ହକି ଖେଳାଳି। ଓଡ଼ିଶାକୁ ଜାତୀୟ ସ୍ତରରେ ନେତୃତ୍ବ ଦେବା ସହ ଏକଦା ଭାରତୀୟ ଦଳର ଦ୍ବାରଦେଶରେ ପହଞ୍ଚିଥିବା ଗ୍ରି‌େଗାରି ଦୁଇଥର କଂଗ୍ରେସ ଟିକେଟ୍‌ରେ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ର (୨୦୦୪-୨୦୧୪)ରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଏବେ ରାଜନୀତିରେ ସକ୍ରିୟ ନାହାନ୍ତି।

ଭୂପିନ୍ଦର ସିଂହ
ଛାତ୍ରାବସ୍ଥାରେ ଜଣେ ଧାବକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂହ। ସତୁରି ଦଶକରେ କଟକରେ ଅନୁଷ୍ଠିତ ୧୯ ବ‌ର୍ଷରୁ କମ୍‌ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭୂପିନ୍ଦର ୪୦୦ ଓ ୮୦୦ ମିଟର୍ ମୁକୁଟ ଜିତିଥିଲେ। ରାଜନୀତିରେ ବି ସେ ଚର୍ଚ୍ଚିତ ଚେହେରା ଥିଲେ। କଂଗ୍ରେସ ପ୍ରାର୍ଥୀ ଭାବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ ନର୍ଲାରୁ ଚାରିଥର ବିଧାୟକ ହେବା ସହ ମନ୍ତ୍ରୀ ବି ହୋଇଥିଲେ। ଏଥିସହଥରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ। ପରେ କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେଇ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ। ଏଥର ଦଳ ତାଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇ ନାହିଁ।

ରୋହିତ ପୂଜ‌ାରୀ
ଜାତୀୟସ୍ତରରେ ବ୍ୟାଡ୍‌ମିଣ୍ଟନ୍ ପଦକ ଜିତିଥିବା ରୋହିତ ପୂଜାରୀ କଂଗ୍ରେସର ଯୁବ ଚେହେରା ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇ ରାଜନୀତିରେ ଅଧିକ ସଫଳ ହୋଇଛନ୍ତି। ୨୦୧୪ ଓ ୨୦୧୯ରେ ରେଢ଼ାଖୋଲରୁ ବିଧାୟକ ନିର୍ବାଚିତ ହେବା ସହିତ ରାଜ୍ୟ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଉପମୁଖ୍ୟ ସଚେତକ ବି ରହିଥିଲେ। ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍ ସଂଘର ସଭାପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ ଏହି ପୂର୍ବତନ ଖେଳାଳି। ଚଳିତ ଥର ସେ ପୁଣି ପ୍ରାର୍ଥୀ ହୋଇଛନ୍ତି।

ପ୍ରବୋଧ ତିର୍କି
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଏଥର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। କଂଗ୍ରେସରେ ଯୋଗ ଦେବା ପରେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତଳସରାରୁ ବିଧାୟକ ପ୍ରାର୍ଥୀ କରାଯାଇଛି। ପ୍ରବୋଧ ହେଉଛନ୍ତି ଅନ୍ୟତମ ପୂର୍ବତନ ଅଧିନାୟକ ଇଗ୍ନେସ ତିର୍କିଙ୍କ ସାନଭାଇ। ପ୍ରବୋଧ ତାଙ୍କ ହକି ଜୀବନରେ ଏସିଆ କପ୍ ସ୍ବର୍ଣ୍ଣ (୨୦୦୭), ସୁଲ୍‌ତାନ୍‌ ଅଜ୍‌ଲାନ୍‌ ସାହା କାଂସ୍ୟ (୨୦୦୭), ଏସୀୟ କ୍ରୀଡ଼ା କାଂସ୍ୟ (୨୦୧୦) ଜିତିଛନ୍ତି ।

କ୍ରିକେଟର୍‌ ଭାଇ: ଚିରଂଜୀବ-ରଂଜୀବ ବିଶ୍ବାଳ
କ୍ରିକେଟ୍‌ ମଇଦାନରୁ ରାଜନୀତି ମଇଦାନକୁ ଆସିଥିବା ପ୍ରମୁଖ ଦୁଇ ଭାଇ ହେଲେ ଚିରଂଜୀବ ଓ ରଂଜୀବ ବିଶ୍ବାଳ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ଏହି ଦୁଇ ସୁପୁତ୍ର ରଣଜୀ ଟ୍ରଫି କ୍ରିକେଟ୍‌ ଖେଳିଥିଲେ। ରଂଜୀବ ପହଞ୍ଚିଯାଇଥିଲେ ଭାରତୀୟ ଦଳ ଦ୍ବାରଦେଶରେ। ଚିରଂଜୀବ ବିଶ୍ବାଳ ଓଡ଼ିଶା ପାଇଁ ରଣଜୀ ଟ୍ରଫି, ୱିଲ୍ସ ଟ୍ରଫି, ସିକେ ନାୟୁଡୁ ଟ୍ରଫି ସହିତ ରୋହିଙ୍ଗଟନ୍ ବାରିଆ ଟ୍ରଫିରେ ବିଶ୍ବବିଦ୍ୟାଳୟ କ୍ରିକେଟ୍‌ ବି ଖେଳିଥିଲେ। ଏହି ଡାହାଣହାତୀ ବ୍ୟାଟର୍‌ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଥରେ ତିର୍ତୋଲରୁ ଏବଂ ଥରେ ଜଗତସିଂହପୁରରୁ। ବଡ଼ଭାଇ ଚିରଂଜୀବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ବି ବିଭିନ୍ନ ପଦପଦବିରେ ଦାୟିତ୍ବ ତୁଲାଇଥିଲେ। ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ କିନ୍ତୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଛନ୍ତି।
ଚିରଂଜୀବଙ୍କ ପଦାଙ୍କ ଅନୁସରଣ କରି ରଂଜୀବ ମଧ୍ୟ କ୍ରିକେଟ୍‌ ସହ ରାଜନୀତିରେ ସଫଳ ବ୍ୟକ୍ତିତ୍ବ ହୋଇପାରିଥିଲେ। ରଂଜୀବ ଉଭୟ ମଇଦାନରେ ଅଧିକ ସଫଳ । କଂଗ୍ରେସ ଟିକେଟ୍‌ରେ ଦୁଇ ଥର ଲୋକସଭା ଏବଂ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ରଂଜୀବ ରଣଜୀ ଟ୍ରଫିରେ ଖେଳିବା ସହ ଓଡ଼ିଶାର ନେତୃତ୍ବ ନେଇଥିଲେ। ଦିଲୀପ ଟ୍ରଫି, ଦେଓଧର ଟ୍ରଫି, ୱିଲ୍ସ ଟ୍ରଫି, ବୋର୍ଡ ଏକାଦଶ, ଭାରତୀୟ ଯୁବ (୧୯ ବର୍ଷରୁ କମ୍) ଦଳର ଅଧିନାୟକ ହେବାର ଗୌରବ ଅର୍ଜନର ବିରଳ ସଫଳତା ରଂଜୀବ ଚାଖିଛନ୍ତି। ଜଣେ କ୍ରୀଡ଼ା ପ୍ରଶାସକ ଭାବେ ସେ ୨୦୧୧ ବିଶ୍ବକପ୍ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜୟୀ ଭାରତୀୟ ଦଳର ପ୍ରବଂଧକ ହେବା ସହ ଆଇପିଏଲ୍‌ ପରିଚାଳନା ପରିଷଦ୍‌ ଅଧ୍ୟକ୍ଷ, ବିସିସିଆଇ ଚୟନ କମିଟି, ଓପିସିସି ଓ ଏଆଇସିସିର ବିଭିନ୍ନ ଦାୟିତ୍ବରେ କାମ କରିଥିଲେ।

ଭାରତୀୟ ରାଜନୀତିରେ ଖେଳାଳି

ଖେଳ ପଡ଼ିଆରେ ଚମକ ଛାଡ଼ିବା ପରେ ରାଜନୀତିରେ ବି ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ଅନେକ ସଫଳ ଭାରତୀୟ ଖେଳାଳି। ପଡ଼ିଆ ଭିତର ଅନିଶ୍ଚିତତା ଭଳି ଏହି ମଇଦାନରେ ବି ବିଜୟ ଓ ପରାଜୟକୁ ଗ୍ରହଣ କରିନେଇଛନ୍ତି ଖେଳୁଆଡ଼ ଭାବନାରେ। ସଂସଦକୁ ନିର୍ବାଚିତ ହୋଇଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ କ୍ରିକେଟର୍ କୀର୍ତି ଆଜାଦ, ମହମ୍ମଦ ଆଝାରୁଦ୍ଦିନ, ଚେତନ ଚୌହାନ, ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର, ନବଜୋତ ସିଂହ ସିଦ୍ଧୁ ଏବଂ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇ କ୍ରୀଡ଼ାମନ୍ତ୍ରୀ ହୋଇପାରିଛନ୍ତି ଲକ୍ଷ୍ମୀରତନ ଶୁକ୍ଳା ଓ ମନୋତ ତିୱାରୀ। ଅନ୍ୟ ଖେଳରୁ ଦେଖିଲେ ପ୍ରସୂନ ମୁଖାର୍ଜୀ, (ଫୁଟ୍‌ବଲ୍‌), ମେରି କମ୍ (ମୁଷ୍ଟିଯୁଦ୍ଧ), ଅସ୍‌ଲାମ୍‌ ଶେର୍ ଖାନ୍, ପର୍ଗଟ୍‌ ସିଂହ, ଦିଲୀପ ତିର୍କି, ଜୟପାଲ ସିଂହ ମୁଣ୍ଡା (ସମସ୍ତେ ହକି), ଜ୍ୟୋତିର୍ମୟୀ ସିକଦାର (ଦୌଡ଼କୁଦ), ରାଜ୍ୟବର୍ଦ୍ଧନ ସିଂହ ରାଠୋର, କଳିକେଶ ନାରାୟଣ ସିଂହ ଦେଓ, କର୍ଣ୍ଣି ସିଂହ (ସ‌ମସ୍ତେ ବଂଧୁକଚାଳନା) ମଧ୍ୟ ସଂସଦ ପ୍ରବେଶର ‌େସୗଭାଗ୍ୟ ପାଇଛନ୍ତି। ମନସୁର ଅଲୀ ଖାନ୍‌ ‌ପ‌ଟୌଦୀ, ମହମ୍ମଦ କୈଫ, ବୁଲା ଚୌଧୁରୀ, ବିଜେନ୍ଦର ସିଂହ, କ୍ରିଷ୍ଣା ପୁନିଆ, ଯଶପାଲ୍ ରାଣା ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇ ମିଶ୍ର ଫଳ ପାଇଛନ୍ତି। ଏଥର ଅଲିମ୍ପିକ୍ ପଦକ ବିଜେତା ବିଜେନ୍ଦର ସିଂହ, ସାଇନା ନେହ୍ବାଲ ଏବଂ ପାରା ଅଲିମ୍ପିକ୍ ପଦକ ବିଜେତା ଦୀପା ମଲ୍ଲିକ ବିଜେପିରେ ଯୋଗ ଦେଇ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଖେଳ ଜୀବନରୁ ଅବସର ନ ନେଇ କ୍ରିକେଟର୍ ମନୋଜ ତିୱାରୀ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଥାଇ ରଣଜୀ ଟ୍ରଫି ଖେଳି ନୂଆ ପରମ୍ପରା ସୃଷ୍ଟି କରିଥିଲେ।

ଇମ୍ରାନ୍ ପ୍ରଧାନମନ୍ତ୍ରୀ, ଜର୍ଜ ରାଷ୍ଟ୍ରପତି
ବିଶ୍ବ କ୍ରୀଡ଼ା ଦୁନିଆରେ ବି ଲୋକପ୍ରିୟ ଖେଳାଳି ସଫଳ ରାଜନେତା ହେବାର ବହୁ ଉଦାହରଣ ରହିଛି। ବିଶେଷ କରି ବ୍ରିଟେନ୍ ଓ କାନାଡାରେ ବହୁ ଖେଳାଳି ଦେଶର ସଂସଦକୁ ନିର୍ବାଚିତ ହୋଇ ମନ୍ତ୍ରୀପଦ ସମ୍ଭାଳିଛନ୍ତି। ବିଶ୍ବର ଦୁଇ ଲୋକପ୍ରିୟ ଖେଳ ଫୁଟ୍‌ବଲ୍ ଓ କ୍ରିକେଟ୍‌ କଥା ଦେଖିଲେ ଅନେକ କିଂବଦନ୍ତି ମଧ୍ୟ ରାଜନୀତି କ୍ଷେତ୍ରକୁ ଆସି ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୯୯୨ର ବିଶ୍ବକପ୍‌ କ୍ରିକେଟ୍ ବିଜେତା ପାକିସ୍ତାନୀ ଦଳର ଅଧିନାୟକ ଇମ୍ରାନ୍ ଖାନ୍ ଅଗ୍ରଗଣ୍ୟ। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ସେହିଭଳି ୧୯୯୬ ବିଶ୍ବକପ୍‌ ବିଜୟୀ ଶ୍ରୀଲଙ୍କ‌ା ଦଳର ଦୁଇ ଖେଳାଳି ବିସ୍ଫୋରକ ବାମହାତୀ ଓପନର୍‌ ସନଥ ଜୟସୁରିଆ ଏବଂ ଅଧିନାୟକ ଅର୍ଜୁନ ରଣତୁଙ୍ଗା ସଂସଦକୁ ନିର୍ବାଚିତ ହେବା ସହ ମନ୍ତ୍ରୀପଦ ଗ୍ରହଣ କରିଥିଲେ। ଇଂଲିସ୍ କ୍ରିକେଟର୍ ଇଆନ୍ ବୋଥାମ୍‌ ହାଉସ୍ ଅଫ୍ ଲର୍ଡସକୁ ମନୋନୀତ ହୋଇଥିଲେ। ‌ଟେଷ୍ଟ୍ କ୍ରିକେଟ୍‌ରେ ୧୦୦୦ ରନ୍ ଓ ୧୦୦ ୱିକେଟ୍ ନେବାରେ ସେ ଅନ୍ୟତମ ଥିଲେ। କିଂବଦନ୍ତି ଫୁଟ୍‌ବଲର୍‌ଙ୍କ ମଧ୍ୟରୁ ୩ ଥର ବିଶ୍ବକପ୍‌ ବିଜେତା ପେଲେ ବ୍ରାଜିଲ୍ କ୍ରୀଡ଼ାମନ୍ତ୍ରୀ ହୋଇଥିଲେ। କିଂବଦନ୍ତି ବ୍ରାଜିଲୀୟ ଜିକୋ ଦେଶର ପ୍ରଥମ କ୍ରୀଡ଼ାମନ୍ତ୍ରୀ ହୋଇଥିଲେ। ସେହିଭଳି ୧୯୯୪ ମସିହା ଫିଫା ବିଶ୍ବକପ୍‌ ବିଜେତା ରୋମାରିଓ ମଧ୍ୟ ବ୍ରାଜିଲ ସିନେଟ୍‌କୁ ବିପୁଳ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଅନ୍ୟତମ ମହାନ୍‌ ଫୁଟ୍‌ବଲ୍‌ର ଜର୍ଜ ୱି ଲାଇବେରିଆର ରାଷ୍ଟ୍ରପତି ହେବା ପ୍ରମୁଖ ଘଟଣା ଥିଲା। ବାଲନ୍ ଡି’ଓର ବିଜେତା ଆନ୍ଦ୍ରିଉ ସେଭେଚେଙ୍କୋ ୟୁକ୍ରେନ୍ ସଂସଦକୁ ଯିବା ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତୁର୍କୀର ଅଗ୍ରଣୀ ଗୋଲ୍ ସ୍କୋରର୍ ହକନ୍ ସୁକୁର ୨୦୧୧ରେ ସଂସଦକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଉଗ୍ରବାଦୀ ସଂଗଠନ ସହ ଜଡ଼ିତ ଅଭିଯୋଗରେ ବିବାଦୀୟ ହୋଇପଡ଼ିଥିଲେ। ଫିଫା ବିଶ୍ବକପ୍‌ ଗୋଲ୍ଡେନ୍ ବୁଟ୍ ବିଜେତା ଗ୍ରେଗଜ୍ ଲାଟୋ ଏବଂ ସୋଭିଏତ୍‌ ସଂଘ ଫୁଟ୍‌ବଲର ଓଲେ ବ୍ଲଖିନ୍ ସଂସଦକୁ ନିର୍ବାଚିତ ହୋଇଥିଲେ।

ଥରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ। ପରେ କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେଇ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ। ଏଥର ଦଳ ତାଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇ ନାହିଁ।
ରୋହିତ ପୂଜ‌ାରୀ
ଜାତୀୟସ୍ତରରେ ବ୍ୟାଡ୍‌ମିଣ୍ଟନ୍ ପଦକ ଜିତିଥିବା ରୋହିତ ପୂଜାରୀ କଂଗ୍ରେସର ଯୁବ ଚେହେରା ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇ ରାଜନୀତିରେ ଅଧିକ ସଫଳ ହୋଇଛନ୍ତି। ୨୦୧୪ ଓ ୨୦୧୯ରେ ରେଢ଼ାଖୋଲରୁ ବିଧାୟକ ନିର୍ବାଚିତ ହେବା ସହିତ ରାଜ୍ୟ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଉପମୁଖ୍ୟ ସଚେତକ ବି ରହିଥିଲେ। ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍ ସଂଘର ସଭାପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ ଏହି ପୂର୍ବତନ ଖେଳାଳି। ଚଳିତ ଥର ସେ ପୁଣି ପ୍ରାର୍ଥୀ ହୋଇଛନ୍ତି।
ପ୍ରବୋଧ ତିର୍କି
ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଏଥର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। କଂଗ୍ରେସରେ ଯୋଗ ଦେବା ପରେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତଳସରାରୁ ବିଧାୟକ ପ୍ରାର୍ଥୀ କରାଯାଇଛି। ପ୍ରବୋଧ ହେଉଛନ୍ତି ଅନ୍ୟତମ ପୂର୍ବତନ ଅଧିନାୟକ ଇଗ୍ନେସ ତିର୍କିଙ୍କ ସାନଭାଇ। ପ୍ରବୋଧ ତାଙ୍କ ହକି ଜୀବନରେ ଏସିଆ କପ୍ ସ୍ବର୍ଣ୍ଣ (୨୦୦୭), ସୁଲ୍‌ତାନ୍‌ ଅଜ୍‌ଲାନ୍‌ ସାହା କାଂସ୍ୟ (୨୦୦୭), ଏସୀୟ କ୍ରୀଡ଼ା କାଂସ୍ୟ (୨୦୧୦) ଜିତିଛନ୍ତି ।

ସମ୍ବନ୍ଧିତ ଖବର