ରଘୁକୁଳ କଥା

ଶ୍ରୀରାମଚନ୍ଦ୍ରଙ୍କର କୁଳ ବା ବଂଶ ହେଉଛି ରଘୁବଂଶ। ଏ ବଂଶର ପ୍ରସିଦ୍ଧ ରାଜା ରଘୁ। ଏ ସୂର୍ଯ୍ୟବଂଶର ରାଜା। ଏ ବଂଶର ଆରମ୍ଭ ଈକ୍ଷ୍ୱାକୁଙ୍କଠାରୁ। ଏ ବଂଶର କୁଳଦେବତା ‘ଜଗନ୍ନାଥ’ ବୋଲି ‘ବାଲ୍ମୀକି ରାମାୟଣ’ରେ ଉଲ୍ଲେଖ ଅଛି। ରଘୁ ମହାରାଜ ଦିଲୀପଙ୍କ ପୁତ୍ର ଓ ଅଜଙ୍କ ପିତା। ସେ ଦଶରଥଙ୍କ ପିତାମହ ଏବଂ ଶ୍ରୀରାମଚନ୍ଦ୍ରଙ୍କର ପ୍ରପିତାମହ। ସେଥିପାଇଁ ଏବଂ ତାଙ୍କର ଶ୍ରେଷ୍ଠତ୍ୱର ସ୍ୱୀକୃତି ସ୍ୱରୂପ, ତାଙ୍କୁ ‘ରଘୁକୁଳତିଳକ’ କୁହାଯାଏ।

ଏହି ବଂଶ ଭାରତବର୍ଷର ଏକ ଗୌରବମୟ ରାଜବଂଶ। ଏଣୁ ମହାକବି କାଳିଦାସ ଶ୍ରୀରାମଚନ୍ଦ୍ରଙ୍କୁ ନେଇ ତାଙ୍କର ବିଖ୍ୟାତ କାବ୍ୟ ‘ରଘୁବଂଶମ୍‌’ ରଚନା କରିବା ସମୟରେ, ଏ ବଂଶର ଗୌରବଗାଥା ଗାନ କରିଛନ୍ତି। କାଳିଦାସ ଭାରତବର୍ଷର ଶ୍ରେଷ୍ଠକବି ଏବଂ ବିଶ୍ୱର ଶ୍ରେଷ୍ଠକବିଙ୍କ ମଧ୍ୟରୁ ଅନ୍ୟତମ। ସେ ‘ମାଳବିକାଗ୍ନିମିତ୍ରମ୍‌’, ‘ବିକ୍ରମୋର୍ବଶୀୟମ୍‌’ ଓ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ନାମରେ ତିନିଟି ନାଟକ; ‘ଋତୁସଂହାରମ୍‌’ ଓ ‘ମେଘଦୂତମ୍‌’ ନାମରେ ଦୁଇଟି ଖଣ୍ଡକାବ୍ୟ; ଏବଂ ‘ରଘୁବଂଶମ୍‌’ ଓ ‘କୁମାରସମ୍ଭବମ୍‌’ ନାମରେ ଦୁଇଟି ମହାକାବ୍ୟ ଲେଖିଛନ୍ତି। ମାତ୍ର ‘ରଘୁବଂଶମ୍‌’ ରଚନାକାଳରେ ସେ ଯାହା କହିଛନ୍ତି, ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।

ସେ କହିଛନ୍ତି- କାହିଁ ବିଶାଳ ସୂର୍ଯ୍ୟବଂଶ ଏବଂ କାହିଁ ମୋ ପରି ସ୍ୱଳ୍ପବୁଦ୍ଧିସଂପନ୍ନ କବି! କେବଳ ମୋହବଶରୁ ମୁଁ ଏ ବଂଶର ଗୌରବଗାଥା ବର୍ଣ୍ଣନା କରିବାପାଇଁ ମନ ବଳାଇଛି; ଯାହା ଗୋଟିଏ ଛୋଟ ଭେଳାରେ ଦୁସ୍ତର ସାଗର ଲଙ୍ଘନ କରିବା ପରି। କେବଳ ଏତିକି ନୁହେଁ, ସେ ଅନ୍ୟତ୍ର ମଧ୍ୟ କହିଛନ୍ତି- ଏହା ମୋ ପରି ଜଣେ ବାମନର ଚନ୍ଦ୍ରଙ୍କୁ ହାତ ବଢ଼ାଇବା ପରି କଥା। ରଘୁବଂଶର ବା ରଘୁକୁଳତିଳକ ଶ୍ରୀରାମଚନ୍ଦ୍ରଙ୍କର ଗାଥା କେତେ ବିଶାଳ ଓ କେତେ ମହାନ୍‌, ମହାକବି କାଳିଦାସଙ୍କର ଏ ଉକ୍ତି ତାହାକୁ ହିଁ ସୂଚିତ କରେ।

ସମ୍ବନ୍ଧିତ ଖବର