ଇନ୍ଦ୍ରଧନୁର ଉଆସ

ଆକାଶରେ ସୂର୍ଯ୍ୟ ଥିବା ସମୟରେ ବିପରୀତ ଦିଗରେ ଝିପି ଝିପି ବର୍ଷା ହେଉଥିଲେ ଆମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଦେଖିପାରିଥା’ନ୍ତି। କହିବା ବାହୁଲ୍ୟ, ଏହି ମନୋରମ ଦୃଶ୍ୟ ଆଲୋକର ଏକ ପ୍ରାକୃତିକ ପ୍ରକ୍ରିୟା। ଗୋଲାକାର ବର୍ଷାବିନ୍ଦୁରେ ଆଲୋକର ବିଛୁରଣ, ପ୍ରତିସରଣ ଓ ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତିଫଳନ ପରି ବହୁବିଧ ପ୍ରାକୃତିକ କ୍ରିୟା ସଂଘଟନ ପରେ ଆମକୁ ଏକ ବୃତ୍ତର ଚାପ ଆକାରର ଏହି ବର୍ଣ୍ଣାଳୀ ଦୃଶ୍ୟମାନ ହୋଇଥାଏ। ତେବେ ଏହା ଏକ ସ୍ବୟଂକ୍ରିୟ ପଦ୍ଧତି ହୋଇଥିବାରୁ ଆକାଶର ଉତ୍ତର ଦିଗରୁ ଦକ୍ଷିଣ ଦିଗ ଯାଏ ପରିବ୍ୟାପ୍ତ ଏପରି ବିରଳ ଦୃଶ୍ୟକୁ ଆମ ଇଚ୍ଛା ଅନୁସାରେ ଆମେ ଉପଭୋଗ କରିପାରିବା ନାହିଁ। କୌଣସି ସ୍ଥାନର ପରିବେଶ ଓ ସେଠାରେ ବର୍ଷାର ଆଗମନକୁ ଭିତ୍ତି କରି ଉଚ୍ଚ ଗୁଣମାନର ତଥା ଅଧିକ ଥର ଇନ୍ଦ୍ରଧନୁ ସମ୍ଭବ ହୋଇଥାଏ। ଆମେରିକାର ହାଵାଇ ଦ୍ବୀପ ଏଭଳି ଏକ ସ୍ଥାନ ଯେଉଁଠି ଏପରି ଇନ୍ଦ୍ରଧନୁ ବାରମ୍ବାର ଓ ସ୍ପଷ୍ଟ ଆକାରରେ ଦେଖିବାକୁ ମିଳିଥାଏ। ସେଥିପାଇଁ ଏହାକୁ ‘ଇନ୍ଦ୍ରଧନୁର ଉଆସ’ ବୋଲି ମଧ୍ୟ ଅନେକ ପରିବେଶବିତ୍‌ ଆଖ୍ୟା ଦେଇଛନ୍ତି। ସେଠାରେ ଇନ୍ଦ୍ରଧନୁ ପ୍ରାବଲ୍ୟର କାରଣ ହେଉଛି, ସେଠାକାର ପର୍ବତମାଳାର ତୀଖଗୁଡ଼ିକ ମେଘଖଣ୍ଡଗୁଡ଼ିକରେ ଏପରି କ୍ରମନିମ୍ନତା ବା ଗ୍ରାଡିଏଣ୍ଟ୍‌ ସୃଷ୍ଟି କରିଥା’ନ୍ତି ଯେ ଅଧିକାଂଶ ସମୟ ଝିପି ଝିପି ବର୍ଷା ହୋଇଥାଏ। ସୂଚନାଯୋଗ୍ୟ, ଖୁବ୍‌ ଜୋରରେ ବା ମୂଷଳ ଧାରାରେ ବର୍ଷା ହେଲେ ଉପରବର୍ଣ୍ଣିତ ଆଲୋକ ପ୍ରକ୍ରିୟାଗୁଡ଼ିକ ସାଧିତ ହୋଇନପାରିବା କାରଣରୁ ଇନ୍ଦ୍ରଧନୁ ଦେଖାଯାଇନଥାଏ। ହାଵାଇରେ ସ୍ବଚ୍ଛ ସୂର୍ଯ୍ୟାଲୋକ ଗହଣରେ ଅନବରତ ଝିପି ଝିପି ବର୍ଷା ହିଁ ଏପରି ଇନ୍ଦ୍ରଧନୁକୁ ଆମନ୍ତ୍ରଣ କରିଥାଏ। ଏଥି ସହିତ ସେଠାକାର ନିର୍ମଳ ପରିବେଶ ମଧ୍ୟ ଉଜ୍ଜ୍ବଳ ଇନ୍ଦ୍ରଧନୁ ପରଷିବାରେ ସହାୟକ ହୋଇଥାଏ।

ସମ୍ବନ୍ଧିତ ଖବର