ନାଦାଲଙ୍କୁ ଜୋକୋଭିକଙ୍କ ‘ଶେଷ ଲଢ଼େଇ’ ନିବେଦନ

ପ୍ୟାରିସ୍: ମଣ୍ଟେକାର୍ଲୋ ମାଷ୍ଟର୍ସରୁ ସ୍ପେନ୍‌ର କିବଂଦନ୍ତି ଟେନିସ ତାରକା ରାଫେଲ ନାଦାଲ ଓହରିଯାଇଛନ୍ତି। ଫଳରେ ଏହି ୨୨ ଗ୍ରାଣ୍ଡସ୍ଲାମ୍ ବିଜେତାଙ୍କ ଫ୍ରେଞ୍ଚ ଓପନ୍ ଅଂଶଗ୍ରହଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ନାଦାଲଙ୍କ ଅବସର ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି। ତେବେ ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ତଥା ବିଶ୍ବର ଏକ ନମ୍ବର ଏକକ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଶେଷ ଥର ପାଇଁ ନାଦାଲଙ୍କ ସହ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଣୁ ଅବସର ନିଷ୍ପତ୍ତି ଏତେଶୀଘ୍ର ନନେବାକୁ ନାଦାଲଙ୍କୁ ଆକୁଳ ନିବେଦନ କରିଛନ୍ତି।

‘‘ଜଣେ ଟେନିସ୍ ପ୍ରଶଂସକ ଭାବେ ଅବସର ପୂର୍ବରୁ ନାଦାଲ ଆଉ ଏକ ପ୍ରତିଯୋଗିତା ଖେଳନ୍ତୁ ବୋଲି ମୁଁ ଚାହେ। କାରଣ କ୍ଲେ କୋର୍ଟରେ ସେ କରିଥିବା ଅସାଧାରଣ କୀର୍ତ୍ତିମାନ କଥା ଆମେ ସମସ୍ତେ ଜାଣିଛେ। ଏଣୁ ଟେନିସ୍ ଓ ଫ୍ରେଞ୍ଚ ଓପନର ହିତ ଦୃଷ୍ଟିରୁ ଏହି ମହାନ ପ୍ରତିଯୋଗିତାର ଆଗାମୀ ସଂସ୍କରଣରେ ନାଦାଲ ଖେଳୁଥିବାର ଦେଖିବାକୁ କେବଳ ମୁଁ ନୁହେଁ, କୋଟି କୋଟି ପ୍ରଶଂସକ ମଧ୍ୟ ଆଗ୍ରହର ସହ ଅନାଇ ବସିଛନ୍ତି। ବ୍ୟକ୍ତିଗତ ଭାବେ ମୁଁ ତାଙ୍କ ସହ ଶେଷ ଲଢ଼େଇକୁ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି। ଗତ ୨୦ ବର୍ଷ ହେବ ଆମେ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ହୋଇ ରହି ଆସିଛୁ। ଟେନିସ୍ ‌କୋର୍ଟରେ ତାଙ୍କ ଅନୁପସ୍ଥିତିକୁ ମୁଁ ବେଶ୍ ଅନୁଭବ କରିବି।’’ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଜୋକୋଭିକ।

ସୂଚନାଯୋଗ୍ୟ ଯେ ଚଳିତବର୍ଷର ଫ୍ରେଞ୍ଚ ଓପନ୍ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏବେ ସୁଦ୍ଧା କିନ୍ତୁ ନାଦାଲ ଏଥିରେ ଖେଳିବେ କି ନଖେଳିବେ ସେଥିନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଆଘାତ ଜନିତ ସମସ୍ୟା ଲାଗି ପାଖାପାଖି ବର୍ଷେ ପରେ ଗତ ଜାନୁଆରିରେ ଟେନିସ୍‌କୁ ଫେରି ନାଦାଲ ବ୍ରିସବନ୍ ଓପନ୍ ଖେଳିଥିଲେ। ଏହା ପରେ କିନ୍ତୁ କୌଣସି ପ୍ରତିଯୋଗିତା ଖେଳି ନାହାନ୍ତି। ତେବେ ଚଳିତବର୍ଷ ଅବସର ନେବେ ବୋଲି ପୂର୍ବରୁ ସଙ୍କେତ ଦେଇସାରିଛନ୍ତି।

ସମ୍ବନ୍ଧିତ ଖବର