ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌: ଭୁବନେଶ୍ବରରୁ ଭାରତର ଅଭିଯାନ

ଫେବ୍ରୁଆରି ୪ରେ ମହିଳା, ୧୦ରେ ପୁରୁଷଙ୍କ ପ୍ରଥମ ମ୍ୟାଚ୍‌

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ (ପୁରୁଷ ଓ ମହିଳା) ୨୦୨୩-୨୪ ଋତୁ ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବ। ଏଥିଲାଗି ଗୁରୁବାର ସୂଚୀ ଘୋଷିତ ହୋଇଛି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଆସନ୍ତା ବର୍ଷ ଫେବ୍ରୁଆରିରେ ନିଜ ଘରୋଇ ପଡ଼ିଆ (ଭୁବନେଶ୍ବର)ରେ ଖେଳି ଅଭିଯାନ ଆରମ୍ଭ କରିବେ। ମହିଳା ଦଳ ଫେବ୍ରୁଆରି ୪ରେ ‌ଚୀନ୍‌ ଏବଂ ପୁରୁଷ ଦଳ ୧୦ରେ ସ୍ପେନ୍‌ ବିପକ୍ଷରେ ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳିବେ। ଅର୍ଜେଣ୍ଟିନା ଓ ଗ୍ରେଟ୍‌ ବ୍ରିଟେନ୍‌ (ଉଭୟ ପୁରୁଷ ଓ ମହିଳା) ମ୍ୟାଚ୍‌ରୁ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ଏହି ପଞ୍ଚମ ସଂସ୍କରଣ ଆରମ୍ଭ ହେବ। ଏହି ଦୁଇ ମ୍ୟାଚ୍‌ ଡିସେମ୍ବର ୬ରେ ଆର୍ଜେଣ୍ଟିନାର ସାଣ୍ଟିଆଗୋ ଡେଲ୍‌ ଇଷ୍ଟେରୋରେ ଖେଳାଯିବ। ନେସନ କପ୍‌ ବିଜେତା ହୋଇ ପ୍ରୋ-ଲିଗ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଭାରତ (ମହିଳା) ଓ ଆୟର୍ଲାଣ୍ଡ (ପୁରୁଷ) ଦଳ ଯଥାକ୍ରମେ ଚୀନ୍‌ ଓ ନେଦରଲାଣ୍ଡ୍ସ ବିପକ୍ଷରେ ନିଜ ନିଜର ପ୍ରଥମ ମ୍ୟାଚ୍‌ ଭୁବନେଶ୍ବରରେ ଖେଳିବେ। ଗତ ଋତୁରେ ପଏଣ୍ଟ ଟେବୁଲର ଶେଷରେ ରହି ବାଦ୍‌ ପଡ଼ିଥିବା ନ୍ୟୁଜିଲାଣ୍ଡ (ଉଭୟ ମହିଳ ଓ ପୁରୁଷ) ସ୍ଥାନରେ ଏହି ଦୁଇ ଦଳ ଖେଳିବେ। ମ୍ୟାଚ୍‌ଗୁଡ଼ିକ ଆର୍ଜେଣ୍ଟିନାର ସାଣ୍ଟିଆଗୋ ଡେଲ ଏଷ୍ଟେରୋରେ ଡିସେମ୍ବର ୬ରୁ ୧୧, ବୁଏନସ ଏୟାର୍ସରେ ୨୦୨୪ ଫେବ୍ରୁଆରି ୧୪ରୁ ୧୯, ଭାରତର ଭୁବନେଶ୍ବର ଓ ରାଉଲକେଲାରେ ଫେବ୍ରୁଆରି ୩ରୁ ୨୫, ବେଲ୍‌ଜିୟମର ଅନ୍ତ୍ବର୍ପରେ ମେ’ ୨୨ରୁ ଜୁନ୍‌ ୨, ଗ୍ରେଟ୍‌ ବ୍ରିଟେନ୍‌ର ଲି’ ଭାଲିରେ ଜୁନ୍‌ ୧ରୁ ୧୨ ଏବଂ ନେଦରଲାଣ୍ଡ୍ସର ୟୁଟ୍ରେକ୍ଟ ଓ ଆମଷ୍ଟରଡାମରେ ଜୁନ୍‌ ୨୨ରୁ ୩୦ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ସ୍ଥିର ହୋଇଛି। ଏହି ପ୍ରତିଯୋଗିତାରୁ ଉଭୟ ମହିଳା ଓ ପୁରୁଷ ବିଶ୍ବକପ୍‌ ୨୦୨୬ ଲାଗି ସିଧାସଳଖ ଦଳ ଯୋଗ୍ୟତା ଅର୍ଜନ କରିବେ।

ସମ୍ବନ୍ଧିତ ଖବର