ଶେଷ ବଲ୍‌‌ରେ ଜିତିଲା ଗୁଜରାଟ: ରାଜସ୍ଥାନର ପ୍ରଥମ ପରାଜୟ

ଜୟପୁର: ଚଳିତ ଆଇପିଏଲ୍‌ରେ ପୂର୍ବବିଜେତା ରାଜସ୍ଥାନ ରୟାଲ୍ସ ପ୍ରଥମ ପରାଜୟ ବରଣ କରିଛି। ଲଗାତାର ୪ ମ୍ୟାଚ୍ ଜିତିଥିବା ଏହି ଦଳକୁ ବୁଧବାର ରୋମାଞ୍ଚକ ଭାବେ ଗୁଜରାଟ ଟାଇଟନ୍ସ ୩ ୱିକେଟ୍‌ରେ ହରାଇ ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇଛି। ରାଜସ୍ଥାନ ୧୯୭ ରନ୍‌ର ଆହ୍ବାନପୂର୍ଣ୍ଣ ଲକ୍ଷ୍ୟ ଦେବା ପରେ ଗୁଜରାଟ ୧୫୭ ରନ୍‌ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସ୍ପିନର ରସିଦ ଖାନ୍ (୨୪*) ଓ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ରାହୁଲ ତିୱାତିଆ (୨୨) ସାହସ ହରାଇ ନଥିଲେ। ଉଭୟ ଧମାକାଦାର ବ୍ୟାଟିଂ କରି ଗୁଜରାଟ ଆଶା ଉଜ୍ଜୀବିତ ରଖିଥିଲେ। ଫଳରେ ଆବଶ୍ୟକ ରନ୍ ଦ୍ରୁତ ଗତିରେ କମିବା ସହ ଶେଷ ଓଭରରୁ ୧୫ ରନ୍‌ର ଦରକାର ଥିଲା। ଆୱେସ ଖାନ୍‌ଙ୍କ ପ୍ରଥମ ୩ ବଲ୍‌ରୁ ରସିଦ ୧୦ ରନ୍ ଅମଳ କରି ନେଇଥିଲେ। ଚତୁର୍ଥ ବଲ୍‌ରେ ସେ ଏକ ରନ୍ କରି ନନ୍‌ଷ୍ଟ୍ରାଇକର୍ ପଟକୁ ଯିବା ପରେ ପଞ୍ଚମ ବଲରୁ ୩ ରନ୍ ନେବା ଲୋଭରେ ତିୱାତିଆ ରନ୍‌ଆଉଟ୍ ହେବା ମ୍ୟାଚ୍‌ର ଉତ୍କଣ୍ଠାକୁ ବଢ଼ାଇଥିଲା। ତେବେ ଶେଷ ବଲ୍‌କୁ ଷ୍ଟାଇଲ୍‌ରେ ସୀମାରେଖା ବାହାରକୁ ପଠାଇ ରସିଦ୍ ହିଁ ଗୁଜରାଟ ବିଜୟର ମୁଣ୍ଡି ମାରିଥିଲେ। ପୂର୍ବରୁ ଅଧିନାୟକ ଶୁବମନ୍ ଗିଲ୍‌ ୭୨ ଓ ସାଇ ସୁଦର୍ଶନ ୩୫ ରନ୍ କରି ଗୁଜରାଟ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଗିଲ୍ ତାଙ୍କର ଏହି ଅର୍ଦ୍ଧଶତକୀୟ ପାଳି ବଳରେ ଟ୍ବେଣ୍ଟି-୨୦ରେ ୪,୦୦୦ ରନ୍ ପୂରଣ କରିଛନ୍ତି।

ବୁଧବାର ସଂଧ୍ୟାରେ କିଛି ମିନିଟ୍ ପାଇଁ ଝିପି ଝିପି ବର୍ଷା ହୋଇ ଛାଡ଼ିବା ପରେ ଆର୍ଦ୍ରତା ଭରା ପରିବେଶ ଓ କୋହଲା ପାଗରୁ ଫାଇଦା ଉଠାଇବା ଲାଗି ଗିଲ୍ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ପାୱାର ପ୍ଲେ ଭିତରେ ରାଜସ୍ଥାନର ଦୁଇ ଓପନର ଜୋସ୍ ବଟଲର୍ (୮) ଓ ଯଶସ୍ବୀ ଜୟସ୍ବାଲ (୨୪)ଙ୍କୁ ଆଉଟ୍ କରି ଗୁଜରାଟ ବୋଲର ବି ତାଙ୍କ ନିଷ୍ପତ୍ତିର ସମ୍ମାନ ରଖିଥିଲେ। ବିପ୍ପଦଜନକ ବଟଲରଙ୍କୁ ରସିଦ ଖାନ୍ ଶିକାର କରିଥିଲ‌ା ବେଳେ କେତେକ ଦର୍ଶନୀୟ ସଟ୍ ଖେଳିଥିବା ଜୟସ୍ବାଲଙ୍କୁ ଉମେଶ ଯାଦବ ପାଭିଲିୟନ ଫେରାଇଥିଲେ। ଏହାକରି ସେ ମଧ୍ୟ ଟ୍ବେଣ୍ଟି-୨୦ ରେ ୨୦୦ ୱିକେଟ୍ ନେବା ସହ ଆର୍‌ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା‌ଙ୍କ ସମକକ୍ଷ ହୋଇଥିଲେ। ଏହା ପରେ କିନ୍ତୁ ପରବର୍ତ୍ତୀ ୱିକେଟ୍ ଲାଗି ଗୁଜରାଟକୁ ୭୮ ବଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ୍ (୬୮*) ଓ ରିୟାନ ପରାଗ(୭୬)ଙ୍କ ପରାକ୍ରମୀ ବ୍ୟାଟିଂ ଆଗରେ ଗୁଜରାଟ ବୋଲିଂ ବାହିନୀ ଯେମିତି ଅସହାୟ ମନେ ‌ହୋଇଥିଲା। ଉଭୟ ଦ୍ରୁତ ଅର୍ଦ୍ଧଶତକ ଅର୍ଜନ କରି ତୃତୀୟ ୱିକେଟ୍‌ରେ ୧୩୦ ରନ୍ ଯୋଡ଼ିବା ପରେ ରାଜସ୍ଥାନ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଶେଷ ଆଡ଼କୁ ସିମରନ୍ ହେଟମାୟର ମାତ୍ର ୫ ବଲ୍‌ରୁ ୧୩ ରନ୍ କରିବା ପରେ ରାଜସ୍ଥାନ ୧୯୬/୩ର ଆହ୍ବାନଭରା ସ୍କୋର୍ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର୍: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୯୬/୩ (ରିୟାନ ପରାଗ-୭୬, ସଞ୍ଜୁ ସାମ୍‌ସନ୍-୬୮, ଯଶସ୍ବୀ ଜୟସ୍ବାଲ-୨୪, ରସିଦ ଖାନ୍‌-୧/୧୮, ଉମେଶ ଯାଦବ-୧/୪୭, ମୋହିତ ଶର୍ମା-୧/୫୧)। ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୯/୭ (ଶୁବମନ ଗିଲ-୭୨, ସାଇ ସୁଦର୍ଶନ-୩୫, ରସିଦ ଖାନ୍‌-୨୪*, କୁଲଦୀପ ସେନ୍‌-୩/୪୧, ୟୁଝବେନ୍ଦ୍ର ଚହଲ-୨/୪୩)।

ସମ୍ବନ୍ଧିତ ଖବର