ଲାଳ ବୋଳିବା ସଂପୂର୍ଣ୍ଣ ନିଷେଧ; ମଙ୍କଡିଂ କଲେ ଅସୁବିଧା ନାହିଁ: ଏମ୍‌ସିସି

ଲଣ୍ଡନ: କ୍ରିକେଟ୍ ବଲ୍‌କୁ ଚିକ୍କଣ କରିବା ସହ ଏହାର ଚମକ ବଢ଼ାଇବା ଲାଗି ବୋଲରମାନେ ଏଣିକି ଲାଳର ବ୍ୟବହାର କରିପାରିବେ ନାହିଁ। କ୍ରିକେଟ୍ ନୀତି ନିୟମର ପ୍ରଣେତା ତଥା ସଂରକ୍ଷକ ଭାବେ ପରିଚିତ ମେରିଲବନ୍ କ୍ରିକେଟ୍ କ୍ଲବ୍ (ଏମ୍‌ସିସି) ଏହା ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଜାରି କରିଛି। ସେହିଭଳି ବିବାଦୀୟ ମଙ୍କଡିଂ ରନ୍‌ଆଉଟ୍‌କୁ ‘ଅଣ ଖେଳୁଆଡ଼ ଖେଳ’ ଧାରାରୁ ମୁକ୍ତ କରିଛି ଏମ୍‌ସିସି। ଫଳରେ ଏଣିକି କୌଣସି ବୋଲର ନନ୍‌ଷ୍ଟ୍ରାଇକର ପଟେ ରନ୍‌ଆଉଟ୍ କଲେ ଏହାକୁ ନେଇ ଆଉ ବିବାଦ ସୃଷ୍ଟି ହେବନି କିମ୍ବା ସଂପୃକ୍ତ ବୋଲରଙ୍କ ଖେଳୁଆଡ଼ ମନୋଭାବ ଉପରେ କେହି ପ୍ରଶ୍ନ ଉଠାଇ ପାରିବେନାହିଁ ବୋଲି କ୍ଲବ୍ ଆଶା ରଖିଛି। ଏହି ଦୁଇଟି ନୂଆ ନିୟମ ଚଳିତ ବର୍ଷ ଅକ୍ଟୋବର ମାସରୁ ଲାଗୁ ହେବ ବୋଲି କ୍ଲବ୍ କହିଛି। ଅତୀତରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ସହ ଅନେକ କ୍ରିକେଟର୍‌ ମଙ୍କଡିଂ କ୍ରିକେଟ୍ ନିୟମର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ‘ଅଣ ଖେଳୁଆଡ଼ ଖେଳ’ ଧାରାରୁ ବାହାର କରିବାକୁ ଯୁକ୍ତି ବାଢ଼ିଥିଲେ।

ଏମ୍‌ସିସି ବୁଧବାର ଏଥିନେଇ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ‘‘ନନ୍‌ଷ୍ଟ୍ରାଇକରଙ୍କୁ ରନ୍ ଆଉଟ୍ କରିବା ନିୟମକୁ ଧାରା ୪୧ (ଅଣଖେଳୁଆଡ଼ ଖେଳ)ରୁ ବାହାର କରାଯାଇ ଧାରା ୩୮ (ରନ୍‌ଆଉଟ୍)ରେ ସାମିଲ କରାଯାଉଛି। ଏହି ଧାରାର ଶବ୍ଦାବଳୀ କିନ୍ତୁ ପୂର୍ବଭଳି ଅପରିବର୍ତ୍ତିତ ରହିବ। ଅନ୍ୟପକ୍ଷରେ ଏଣିକି ବଲ୍‌ର ଚମକ ବଢ଼ାଇବା ଲାଗି ଲାଳ ବ୍ୟବହାର କରିବାକୁ ଅଣଖେଳୁଆଡ଼ ଅଭ୍ୟାସ ଭାବେ ବିବେଚନା କରାଯିବ। ଏମ୍‌ସିସିର ଏହି ପ୍ରସ୍ତାବିତ ନିୟମ ପରିବର୍ତ୍ତନକୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ପୂର୍ବତନ ଭାରତୀୟ ସ୍ପିନର ମୂରଲୀ କାର୍ତ୍ତିକ ପ୍ରମୁଖ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ ଯେ କୋଭିଡ୍ ମହାମାରୀ ପାଇଁ ଲାଳ ଉପଯୋଗ ଉପରେ ଏମ୍‌ସିସି ସାମୟିକ ବାସନ୍ଦାଦେଶ ଜାରି କରିଥିଲା। ଏବେ ଏହାକୁ ସ୍ଥାୟୀ କରି ଦିଆଯାଇଛି। କ୍ଲବ୍ ଏହି ବିଷୟରେ ସ୍ପଷ୍ଟୀକରଣ ଦେବାକୁ ଯାଇ କହିଛି ଯେ ଏମ୍‌ସିସି କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ ବଲ୍‌ର ସୁଇଂ ଉପରେ ଲାଳ ବ୍ୟବହାରର ପ୍ରାୟତଃ ପ୍ରଭାବ ପଡ଼ିନଥାଏ। ଖେଳାଳିମାନେ କିନ୍ତୁ ପୂର୍ବଭଳି ଝାଳର ଉପଯୋଗ କରିପାରିବେ। ଏମ୍‌ସିସି ମଧ୍ୟ କ୍ରିକେଟ୍ ନିୟମରେ ଆଉ କିଛି ପରିବର୍ତ୍ତନ ଲାଗି ପରାମର୍ଶ ‌ଦେଇଛି। ସେଗୁଡ଼ିକ ହେଲା ବଦଳ ଖେଳାଳି ନିୟମ, ଡେଡ୍ ବଲ୍ ଆଦି।

ସମ୍ବନ୍ଧିତ ଖବର