ଜାତୀୟ ପର୍ଯ୍ୟବେକ୍ଷକରୁ ମେରିକମ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ: ପାଞ୍ଚ ଥର ବିଶ୍ୱ ବିଜୟିନୀ ଏମ୍‌ସି ମେରିକମ୍‌ ଭାରତୀୟ ମୁଷ୍ଟି ଯୁଦ୍ଧ ପାଇଁ ଜାତୀୟ ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ମାର୍ଚରେ ତତ୍‌କାଳୀନ କ୍ରୀଡ଼ା ମନ୍ତ୍ରୀ ବିଜୟ ଗୋଏଲ୍‌ ମେରି କମ୍‌ଙ୍କ ସହିତ ମୋଟ ୧୨ ଜଣଙ୍କୁ ଏହି ପଦରେ ନିଯୁକ୍ତ କରିଥିଲେ। ହେଲେ ସକ୍ରୀୟ କ୍ରୀଡ଼ାବିତ୍‌ମାନେ ଏହି ପଦ ଅଳଂକୃତ କରିପାରିବେ ନାହିଁ ବୋଲି ଏବର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର ସ୍ପଷ୍ଟ କରିଥିବାରୁ ମେରିକମ୍‌ ପଦତ୍ୟାଗ କରିଛନ୍ତି। ରାଠୋରଙ୍କ ସହ ଯୁକ୍ତିତର୍କ ପରେ ପ୍ରାୟ ୧୦ ଦିନ ତଳେ ମୁଁ ଇସ୍ତଫା ଦେଇଛି।

ମୁଁ ଏହି ପଦ ପାଇଁ ଲାଳାୟିତ ନଥିଲି କି ମାଗି ବି ନଥିଲି। ତତ୍‌କାଳୀନ କ୍ରୀଡ଼ା ସଚିବ ଇଞ୍ଜେଟି ଶ୍ରୀନିବାସ ଏହି ପଦ ମୋତେ ଯାଚିଥିଲେ। ସେତେବେଳେ ମଧ୍ୟ ମୁଁ ମନା କରିଥିଲି। ଅଯଥା ବିବାଦରେ ପଶିବାକୁ ମଧ୍ୟ ଚାହିଁନଥିଲି। ହେଲେ ବହୁ ବାଧ୍ୟବାଧକତାରେ ପଦ ଗ୍ରହଣ କରିଥିଲି। ଏବେ ଅଚାନକ ପଦ ଛାଡ଼ିବାକୁ କହିଲେ ଏହା ଅପମାନ ସଦୃଶ ହେବ। ତେଣୁ ପଦ ବଜାୟ ରଖିବାକୁ ରାଠୋରଙ୍କୁ କହିଥିଲି। ହେଲେ ସେ ବିଚାରକୁ ନନେବାରୁ ମୁଁ ଇସ୍ତଫା ଦେଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମେରିକମ୍‌।

ସମ୍ବନ୍ଧିତ ଖବର