କେବେ ଫେରିବେ ସାମି? ଜଣାଇଲେ ବିସିସିଆଇ ସଚିବ ଜୟ ଶାହ

ନୂଆଦିଲ୍ଲୀ: ଗୋଇଠି ସର୍ଜରୀ ହେବା ପରେ ଏବେ ବିଶ୍ରାମ ନେଉଛନ୍ତି ଭାରତର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି। ଗତ ମାସରେ ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇଥିଲେ ସାମି। ଏକ୍ସରେ ନିଜର ଏକ ଫଟୋ ପୋଷ୍ଟ କରି ଅସ୍ତ୍ରୋପଚାର ସଫଳ ହୋଇଥିବା ସାମି କହିଥିଲେ। ହେଲେ ସେ କେବେ ପଡ଼ିଆକୁ ଫେରିବେ ଏବଂ ଭାରତ ପାଇଁ ଖେଳିବେ ତାହା ଜଣାଇନଥିଲେ। ଏବେ ବିଶ୍ରାମ ନେଉଥିବାରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟସିରିଜ୍ ଖେଳିନଥିବା ସାମି ଆଇପିଏଲ ମଧ୍ୟ ଖେଳିବେ ନାହିଁ ଜଣାପଡ଼ିଛି। ତେବେ ସାମିଙ୍କୁ କେବେ ତାଙ୍କ ପ୍ରଶଂସକ ପଡ଼ିଆରେ ଖେଳୁଥିବାର ଦେଖିବେ ତାହା ଜଣାଇଛନ୍ତି ବିସିସିଆଇ ସଚିବ ଜୟ ଶାହ।

ସେ କହିଛନ୍ତି ଯେ, “ସାମିଙ୍କ ଅସ୍ତ୍ରୋପଚାର ଶେଷ ହୋଇଛି ଏବଂ ସେ ଭାରତ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ପାଇଁ ସାମି ପଡ଼ିଆକୁ ଫେରିବାର ସମ୍ଭାବନା ରହିଛି। ଏହା ସହ ଲୋକେଶ ରାହୁଲଙ୍କୁ ଏକ ଇଞ୍ଜେକ୍ସନର ଆବଶ୍ୟକତା ଥିଲା। ତେଣୁ ସେ ରିହାବ ଆରମ୍ଭ କରିଛନ୍ତି ଏବଂ ଏନସିଏ (ନ୍ୟାସନାଲ କ୍ରିକେଟ୍ ଏକାଡେମୀ) ରେ ଅଛନ୍ତି।”

ଅସ୍ତ୍ରୋପଚାର ପରେ ସାମି ଏକ୍ସରେ ପୋଷ୍ଟ କରି ଜଣାଇଥିଲେ ଯେ, ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ। ପୁଣି ଥରେ କେବେ ଛିଡ଼ା ହେବି, ସେ ଦିନକୁ ଅପେକ୍ଷା।

ତାଙ୍କର ଏହି ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଲେଖିଥିଲେ ଯେ, “ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ କାମନା କରୁଛି। ମୁଁ ନିଶ୍ଚିତ ଯେ ଆପଣ ସାହସର ସହିତ ଏହି ସମୟର ସାମ୍ନା କରିବେ ଏବଂ ସୁସ୍ଥ ହେବେ। ”

ସମ୍ବନ୍ଧିତ ଖବର