ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ୍‌: ରିତିକ ଓ ପ୍ରଦୀପ୍ତଙ୍କ ଶତକ; ସେମିରେ ସୋଲାର

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ କେଶୁରା ଖେଳ ପଡ଼ିଆରେ ଚାଲିଥିବା ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ କଟକର ସୋଲାର କ୍ଲବ୍‌ ପ୍ରବେଶ କରିଛି। ସୋମବାର ମ୍ୟାଚ୍‌ରେ ଏହି ଦଳ ୧୯୭ ରନ୍‌ରେ ଭୁବନେଶ୍ବରର ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସୋଲାର ରିତିକ ମହାନ୍ତି (୧୨୩, ୭୫ ବଲ୍‌, ୧୧ ଚୌକା, ୮ ଛକା) ଓ ପ୍ରଦୀପ୍ତ କୁମାର ଦାସ (୧୨୩*, ୭୪ ବଲ୍‌, ୧୫ ଚୌକା, ୫ ଛକା)ଙ୍କ ଶତକ ବଳରେ ନିର୍ଦ୍ଧାରିତ ୪୦ ଓଭରରେ ୬ ୱିକେଟ୍‌ ହରାଇ ୩୪୪ ରନ୍‌ କରିଥିଲା। କିଷନ ରଥ (୫୬, ୫୭ ବଲ୍‌, ୮ ଚୌକା, ୧ ଛକା) ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସହିଦ ସ୍ପୋର୍ଟିଂ ପକ୍ଷରୁ ପ୍ରିୟବ୍ରତ ବେଉରା ଓ ଶୁଭମ ଶତ୍ରୁଜିତ ୨ ୱିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ୩୦.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତାପସ କୁମାର ଦାସ ୬ ଓ ସମ୍ବିତ କୁମାର ୩ ୱିକେଟ୍‌ ନେଇଥିଲେ। ପ୍ରଦୀପ କୁମାର ଦାସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୂର୍ବତନ କ୍ରିକେଟର ସତ୍ୟରଂଜନ ଶଥପଥୀ ପୁରସ୍କୃତ କରିଥିଲେ। ମ୍ୟାଚ୍‌କୁ ଶରତ ଚନ୍ଦ୍ର ସାହୁ ଓ ସୁଶାନ୍ତ ଦାଶ ପରିଚାଳନା କରିଥିଲେ। ମଙ୍ଗଳବାର କଟକର ଜୁଭେନାଇଲ ଓ ଭୁବନେଶ୍ବରର ପାରାମାଉଣ୍ଟ ସ୍ପୋର୍ଟିଂ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର