ସ୍କ୍ରବ୍ ଟାଇଫସରେ ଲାଗିପାରିନି ଲଗାମ: ସୁନ୍ଦରଗଡ଼ରେ ଆଜି ପୁଣି ୧୦ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୯୩କୁ ବୃଦ୍ଧି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢିଚାଲିଛି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଆଜି ପୁଣି ୧୦ ଚିହ୍ନଟ ହୋଇଛି। ଏହା ସହ ସଂଖ୍ୟା ୧୯୩ରେ ପହଞ୍ଚିଛି। ତେବେ ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ହୋଇଥିବା ପରୀକ୍ଷାର ରିପୋର୍ଟ। ଘରୋଇ ଭାବେ ପ୍ରକାଶିତ ତଥ୍ୟାନୁସାରେ ଆକ୍ରାନ୍ତ ସଂଖ୍ୟା ୫ ଶହ ଟପି ଯାଇଥିବା କୁହାଯାଉଛି। କେବଳ ରାଜଗାଙ୍ଗପୁରର ଏକ ଘରୋଇ କ୍ଲିନିକରେ ୧୫୦ରୁ ଅଧିକ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା।। ଗତ ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ତାପର ଠାରୁ ଏହା ବୃଦ୍ଧି ପାଇ ୧୮୩ରେ ପହଞ୍ଚିଛି। ସ୍କ୍ରବ୍ ଟାଇଫସରେ ଜଣକର ମୃତ୍ଯୁ ହୋଇଥିବାବେଳେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓ ଡ. କାହ୍ନୁଚରଣ ନାୟକ କହିଛନ୍ତି। ଅନ୍ୟପଟେ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଥିବା, ଆବଶ୍ୟକ ପଡ଼ିଲେ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। କିନ୍ତୁ ଏ ସଚେତନତା କେବଳ କାଗଜପତ୍ରରେ, ବାସ୍ତବରେ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ଏଯାଏ ଏ ରୋଗ ସମ୍ପର୍କରେ ବିଶେଷ ସୂଚନା ପହଞ୍ଚି ନଥିବା ଜଣାପଡିଛି।।

ସମ୍ବନ୍ଧିତ ଖବର