୧୩ ବର୍ଷର ନାବାଳିକା ଗର୍ଭବତୀ: ଦୁଷ୍କର୍ମକାରୀକୁ ସମର୍ପି ଦେଲା ବାପା

କେନ୍ଦୁଝର: ନାବାଳିକା ଝିଅ ଦୁଷ୍କର୍ମର ଶିକାର ହେଲା। ଝିଅ ଗର୍ଭବତୀ ଥିବା ଜାଣିବା ପରେ ବାପା ଥାନାକୁ ନ ଯାଇ ଓଲଟା ଝିଅକୁ ନେଇ ଦୁଷ୍କର୍ମକାରୀ ଘରେ ଛାଡ଼ିଦେଲା। ମାସେ ହେଲା ନାବାଳିକା ଜଣକ ଦୁଷ୍କର୍ମ କରିଥିବା ବ୍ୟକ୍ତିର ଘରେ ରହୁଛି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅଧୀନ ଏକ ଗାଁରେ। ଏହି ଘଟଣା ପଦାକୁ ଆସିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତନାଘନା ଆରମ୍ଭ କରିଛି। ସଂପୃକ୍ତ ଗାଁର ୧୩ ବର୍ଷୀୟା ଜଣେ ନାବାଳିକା ସପ୍ତମ ଶ୍ରେଣୀ ପରେ ଅଧାରୁ ପାଠ ଛାଡ଼ିଥିଲେ। ଗାଁରେ ଦୁଇ ଦୁଇଟି ବଡ଼ ଏଜୁକେସନାଲ କମ୍ପ୍ଲେକ୍ସ ଥିଲେ ମଧ୍ୟ ସେ ସ୍କୁଲ ନଯାଇ ଗାଁରେ ଛେଳି ଚରାଉଥିଲେ। ଗାଁରେ ଜଣେ ଝିଅ ସହ ସେ ସାଙ୍ଗ ହେଉଥିଲେ। ବିଭିନ୍ନ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ। ସାଙ୍ଗର ବାପା ନାବାଳିକାଙ୍କୁ ଦୁଷ୍କର୍ମ କରିବାରୁ ସେ ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ପୀଡ଼ିତାଙ୍କ ବାପା ଜାଣିବା ପରେ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ନାବାଳିକାଙ୍କୁ ନେଇ ଦୁଷ୍କର୍ମ କରିଥିବା ବ୍ୟକ୍ତିର ଘରେ ଛାଡ଼ି ଦେଇଥିଲେ। ନାବାଳିକାଜଣକ ମାସେ ହେଲା ସମ୍ପୃକ୍ତ ବ୍ୟକ୍ତି ପାଖରେ ରହୁଥିବା ସୂଚନା ମିଳିଛି।

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଗଣେଶ ମୁଣ୍ଡା କହିଛନ୍ତି, ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ଥିବା ଜାଣିବା ପରେ ସେ ବିଡିଓ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ସହ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। କିନ୍ତୁ ନାବାଳିକାକୁ ନପାଇ ଫେରି ଆସିଥିବା କହିଛନ୍ତି। ଏ ସମ୍ପର୍କରେ ଏଏନ୍‌ଏଏମ୍‌ ପ୍ରଣତି ମହାନ୍ତଙ୍କୁ ପଚାରିବାରୁ, ସେ ଘଟଣା ସମ୍ପର୍କରେ ଜୁଲାଇ ୨୬ ତାରିଖରେ ଜାଣିବାକୁ ପାଇଥିଲେ। ଏନେଇ ସୁପରଭାଇଜରଙ୍କୁ ଅବଗତ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର