୧୮ ଜିଲ୍ଲାକୁ ବର୍ଷା ଭୟ

ଦାନା ବାନ୍ଧୁଛି ବାତ୍ୟା, ପୁଣି ଚାଷ ପାଇଁ ବିପଦ

ଭୁବନେଶ୍ୱର : ଓଖି ବାତ୍ୟାର ତାଣ୍ଡବ ପରେ ଆସନ୍ତା ୫ ତାରିଖ ବେଳକୁ ପୁଣି ଥରେ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟାର ଆଶଙ୍କା ଦେଖା ଦେଇଛି। ଏହି ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ନ ହେଲେ ବି ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେତେବେଳକୁ ଘଣ୍ଟାକୁ ପ୍ରାୟ ୬୦ କି.ମି. ବେଗରେ ପବନ ବି ବହିପାରେ। ଆଜି ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସୂଚନା ପରେ ପୁଣି ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କାରଣ ଗତ ନଭେମ୍ବର ୧୫ ବେଳକୁ ଲଘୁଚାପଜନିତ ଅଦିନିଆ ବର୍ଷାରେ ଭିଜିଥିଲା ରାଜ୍ୟର ଅଧିକାଂଶ ଅଞ୍ଚଳ। ଲଗାଣ ବର୍ଷା ପାଚିଲା ଧାନ ଫସଲ ଉପରେ ଦାଉ ସାଧିଥିଲା। ଏବେ ପୁଣି ଅନୁରୂପ ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି।

ପାଣିପାଗ କେନ୍ଦ୍ର ସୂଚନାନୁସାରେ ଗତକାଲିଠାରୁ ଉତ୍ତର ସୁମାତ୍ରା ଉପକୂଳ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଆଖପାଖ ସ୍ଥାନରେ ଏକ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ୫ ତାରିଖରେ ଏହା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରର ତାମିଲନାଡ଼ୁ ଉପକୂଳ ଆଡ଼କୁ ମୁହାଁଇବ। ସେତେବେଳକୁ ଏହା ବାତ୍ୟାରେ ପରିଣତ ହୋଇସାରିଥିବ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ସେତେପର୍ଯ୍ୟନ୍ତ ଓଡ଼ିଶାରେ ପାଗ ଶୁଖିଲା ରହିବ। କିନ୍ତୁ ୬ରୁ ପାଗ ବଦଳିଯିବ। ଲଘୁଚାପଜନିତ ପ୍ରଭାବରେ ରାଜ୍ୟର ବାୟୁମଣ୍ଡଳରେ ଜଳୀୟବାଷ୍ପ ପ୍ରବେଶ କରିବ ଓ ଏହା ବର୍ଷା କରାଇବ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ୭ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ପ୍ରଥମେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ଗଂଜାମ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ୮ ଓ ୯ତାରିଖରେ ଏ ସମସ୍ତ ଜିଲ୍ଲା ସହିତ ଉପକୂଳ, ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହି ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, ଖୋର୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା। ବାତ୍ୟା ସୃଷ୍ଟି ହେଲେ ଏହା ଉତ୍ତର ତାମିଲନାଡ଼ୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରଭୂତ କ୍ଷତି କରିବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ନିର୍ଦିଷ୍ଟ ଭାବେ କି ପ୍ରଭାବ ରହିବ ସେ ନେଇ ଏବେଠାରୁ ସ୍ପଷ୍ଟ ରୂପରେଖ ଦେବା ସମ୍ଭବପର ନୁହେଁ ଦର୍ଶାଇ ସୋମବାର ଆଡ଼କୁ ଚିତ୍ର ସ୍ପଷ୍ଟ ହେବ ବୋଲି ଡ. ସାହୁ କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହେବା ସହିତ ପବନ ଅଧିକ ବେଗରେ ବହିବାର ଆଶଙ୍କା ରହିଛି। ଜଳୀୟବାଷ୍ପ ଆସିବା ଦ୍ୱାରା ଓଡ଼ିଶାରେ ଦିନ ଏବଂ ରାତିର ତାପମାତ୍ରା(ସର୍ବନିମ୍ନ ଏବଂ ସର୍ବୋଚ୍ଚ) ମଧ୍ୟରେ ତାରତମ୍ୟ କମ୍‌ ରହିପାରେ। ସବୁଠାରୁ ବଡ଼ ବିପଦ ଧାନ ଫସଲ ଉପରେ ଆଶଙ୍କା କରାଯାଉଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଉପକୂଳ, ଦକ୍ଷିଣ ଭାଗରେ ଧାନ ଅମଳ ବିଳମ୍ବରେ ହୋଇଥାଏ। ଏଣୁ ଶୀତଦିନିଆ ବର୍ଷା ଯୋଗୁଁ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ଆଜି ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୪° ସେଲ୍‌ସିୟସ ତଳେ ରହିଛି। ଦାରିଙ୍ଗିବାଡ଼ିରେ ୮° ଥିବା ବେଳେ କେନ୍ଦୁଝରରେ ୮.୪°, ଫୁଲବାଣୀରେ ୯.୪° ରେକର୍ଡ କରାଯାଇଛି। ହୀରାକୁଦରେ ୧୦.୨°, ଭବାନୀପାଟଣା, ଝାରସୁଗୁଡ଼ାରେ ୧୧.୨°, କୋରାପୁଟରେ ୧୧.୫°, ଅନୁଗୁଳରେ ୧୧.୬°, ସମ୍ବଲପୁରରେ ୧୧.୮°, ସୁନ୍ଦରଗଡ଼ରେ ୧୨°, ବାରିପଦାରେ ୧୨.୨°, ଢେଙ୍କାନାଳ, ବାଲେଶ୍ୱରରେ ୧୨.୫°, ଟିଟିଲାଗଡ଼, ସୋନପୁରରେ ୧୩°, ଭୁବନେଶ୍ୱର, ତାଳଚେରରେ ୧୩.୩°, କଟକରେ ୧୩.୪°, ବଲାଙ୍ଗୀରରେ ୧୩.୫°, ଚାନ୍ଦବାଲିରେ ୧୩.୮° ରହିଛି। ମାଲକାନଗିରି, ଗୋପାଳପୁରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦°ରୁ କମ୍‌ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର