ଜୀବନ ଯୁଦ୍ଧରେ ଗଙ୍ଗା-ଯମୁନା

ସ୍ୱତନ୍ତ୍ର ଚିକିତ୍ସା ପାଇଁ ୧୨ଜଣିଆ ଡାକ୍ତରୀ ଦଳ

ସ୍ୱାସ୍ଥ୍ୟମନ୍ତ୍ରୀ ଭେଟିଲେ, ସରକାରୀ ଖର୍ଚ୍ଚରେ ଚିକିତ୍ସା ପ୍ରତିଶ୍ରୁତି

କଟକ : କଟକ ଶିଶୁ ଭବନରେ ଏବେ ଜୀବନ ପାଇଁ ଲଢୁଛନ୍ତି ନୟାଗଡ଼ର ଦୁଇ ଯାଆଁଳା ଶିଶୁ ଗଙ୍ଗା-ଯମୁନା। ଗତକାଲି ରାତିରେ ଜନ୍ମ ହୋଇଥିବା ଏହି ଦୁଇ ଶିଶୁଙ୍କର ପେଟ ଓ ଛାତି ଯୋଡ଼ି ହୋଇ ରହିଛି। ଏଥିଲାଗି ରାତିରୁ ସେମାନଙ୍କର ସ୍ୱତନ୍ତ୍ର ଚିକିତ୍ସା ଆରମ୍ଭ ହୋଇଥିଲେ ବି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି।

ସେପଟେ ଶିଶୁ ଭବନରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ପାଇଁ ଏଭଳି ଏକ ଘଟଣା ସଂପୂର୍ଣ୍ଣ ନୂଆ ବୋଲି ସୂଚନା ମିଳିଛି। ପେଟ ଓ ଛାତି ଯୋଡ଼ି ହୋଇ ରହିଥିବା ଶିଶୁଙ୍କୁ ପୂର୍ବରୁ କେବେ ଶିଶୁ ଭବନରେ ଚିକିତ୍ସା କରାଯାଇ ନାହିଁ। ଏଭଳି ସ୍ଥିତିରେ ଗଙ୍ଗା-ଯମୁନାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ଏକ ୧୨ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ବୁଝିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ଶିଶୁଭବନ ଆସିବା ସହ ସେମାନଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ଦୁଇ ଶିଶୁଙ୍କର ଅବସ୍ଥା ଏବେ ଭଲ ନଥିବାରୁ ଆବଶ୍ୟକତା ଅନୁଯାୟୀ ବାହାରୁ ଡାକ୍ତରଙ୍କୁ ଆଣି ଏଠି ସେମାନଙ୍କର ଚିକିତ୍ସା କରାଯିବ। ଦରକାର ପଡିଲେ ସେମାନଙ୍କୁ ବାହାର ରାଜ୍ୟକୁ ନେଇ ମଧ୍ୟ ଚିକିତ୍ସା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ଦୁଇ ଶିଶୁଙ୍କର ଏଭଳି ଶରୀର ଗଠନକୁ ଡାକ୍ତରୀ ଭାଷାରେ ଖୋରାକୋ ଓମ୍‌ଫାଲୋପାଗସ୍‌ ବୋଲି କୁହାଯାଉଛି। ସେମାନଙ୍କ ଚିକିତ୍ସା ପାଇଁ ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ପି.କେ. ଜେନାଙ୍କ ନେତୃତ୍ୱରେ ୧୨ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଦଳରେ ନବଜାତ ୟୁନିଟ୍‌, ଆଇସିୟୁ, ଆନାସ୍ଥେସିଆ, ଏସ୍‌ସିବି କାର୍ଡିଓଲୋଜି ବିଭାଗ, ପେଡିଆଟ୍ରିକ୍‌ ସର୍ଜନ, କାର୍ଡିଓଥୋରାସିକ୍‌ ଇତ୍ୟାଦି ବିଭାଗରୁ ଡାକ୍ତରମାନଙ୍କୁ ଏହି ଟିମ୍‌ରେ ସାମିଲ କରାଯାଇଛି। ବର୍ତ୍ତମାନ ଦୁଇ ଶିଶୁଙ୍କର ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ରହୁଥିବା ଡାକ୍ତର କହିଛନ୍ତି। ତେଣୁ ସେମାନଙ୍କୁ ନବଜାତ ୟୁନିଟ୍‌ ନିକୁରେ ରଖାଯାଇଛି। ଆଜି ସେମାନଙ୍କୁ ଏସ୍‌ସିବି ମେଡିକାଲ୍‌ ନିଆଯାଇ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ସ୍କାନିଂ କରାଯାଇଛି। ସୋମବାର ଦିନ ରିପୋର୍ଟ ଆସିବା ପରେ ଟିମ୍‌ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ କହିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏବେ ସତର୍କତାର ସହ ନଜର ରଖାଯାଇଛି। ସେମାନଙ୍କ ମେରୁଦଣ୍ଡ ସହିତ ହାର୍ଟ, ଲିଭର ଓ କିଡ୍‌ନିରେ କିଛି ସମସ୍ୟା ଥିବା ଅନୁମାନ କରାଯାଉଛି। ତେଣୁ ଏଭଳି ଶାରୀରିକ ଗଠନର ଅସ୍ତ୍ରୋପଚାର ମେଡିକାଲ୍‌ ଦଳ ପାଇଁ ବଡ଼ ଚାଲେଞ୍ଜ ରହିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତକାଲି ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଖାଲିଆପାଟଣା ଅଞ୍ଚଳର ସୁମିତ୍ରା ଦତ୍ତ ରାତି ପ୍ରାୟ ୮ଟା ବେଳକୁ ଦୁଇ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଦୁଇ ଶିଶୁଙ୍କ ପେଟ ଓ ଛାତି ଯୋଡ଼ି ହୋଇଯାଇଥିବା ଦେଖିବାକୁ ମିଳିଥିଲାବେଳେ ଉଭୟଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା। ତେଣୁ ତୁରନ୍ତ ସେମାନଙ୍କୁ ଶିଶୁ ଭବନ ପଠାଇ ଦିଆଯାଇଥିଲା। ଜଗାବଳିଆଙ୍କ ପରି ଏହି ଦୁଇ ଜଣଙ୍କ ପାଇଁ ମଧ୍ୟ ସରକାର ସହାୟତା ଯୋଗାଇ ଦେବାକୁ ଉଭୟ ବାପା କିଶୋର ଦତ୍ତ ଓ ସୁମିତ୍ରା ଦତ୍ତ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର