କେବେ ପଡ଼ିବ ସରକାରଙ୍କ କୃପା ଦୃଷ୍ଟି?

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ତିନି ବର୍ଷ ବିତିଲାଣି। ତଥାପି ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ। ଭିତ୍ତିଭୂମି ବିକାଶ କଥାକୁ ପାସୋରି ଯାଇଛନ୍ତି ବଡ଼ବଡ଼ିଆ ସରକରୀ ବାବୁ। ଗୋଟିଏ ପଟେ ନାରୀ ଶିକ୍ଷାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ରାଜ୍ୟର ପ୍ରଥମ ତଥା ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ କଥା କାହାରିକୁ ଚିନ୍ତା ନାହିଁ। ଗୋଟିଏ କ୍ୟାମ୍ପସରେ ଏବେ ବି ଚାଲିଛି ୩ଟି ଶିକ୍ଷାନୁଷ୍ଠାନ। ପାଳି କରି ପଢ଼ୁଛନ୍ତି ଯୁକ୍ତ୨, ଯୁକ୍ତ୩ ଏବଂ ପିଜି ଛାତ୍ରୀ। ଏମ୍‌.ଫିଲ୍‌ ଛାତ୍ରୀଙ୍କ କଥା ନ କହିବା ଭଲ।

ମାଳ ମାଳ ଅଧ୍ୟାପକ ପଦ ଖାଲି ପଡ଼ିଥିବା ବେଳେ ସ୍ଥାୟୀ ଅଣ ଅଧ୍ୟାପକଙ୍କ ସଂଖ୍ୟା ମାତ୍ର ୫। ଅସ୍ଥାୟୀ ନିଯୁକ୍ତିରେ ଚାଲିଛି ସବୁ କିଛି। ତାହା କେବେ ପୂରଣ ହେବ କେହି ବି କହିପାରୁ ନାହାନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ର୍ରଫେସର ପଦ୍ମଜା ମିଶ୍ର ମୁହଁ ଖୋଲୁ ନାହାନ୍ତି। କୁଳସଚିବ ଡ. ଜୟନ୍ତ ନାରାୟଣ ଷଡ଼ଙ୍ଗୀ କହୁଛନ୍ତି ଖୁବ୍‌ଶୀଘ୍ର୍ର ୬୭ଟି ଅଧ୍ୟାପକ ପଦବି ପୂରଣ ଲାଗି ବିଜ୍ଞପ୍ତି ପ୍ର୍ରକାଶ ପାଇବ।

ଗୋଟିଏ କ୍ୟାମ୍ପସରେ ତିନୋଟି ଶିକ୍ଷାନୁଷ୍ଠାନ ଚାଲିପାରୁ ନ ଥିବାରୁ ଦ୍ୱିତୀୟ କ୍ୟାମ୍ପସ ଖୋଜିବା ଲାଗି ୨୦୧୫ ମସିହାରୁ ପ୍ରକ୍ରିୟା ଆରମ୍ଭ ହେଲାଣି। ତଥାପି ଖୋଜା ସରୁନି। ଏହି ବିଶ୍ୱବିଦ୍ୟାଳୟ ସହ ପ୍ରତିଷ୍ଠା ହୋଇଥିବା ଖଲ୍ଲିକୋଟ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ସରିଲାଣି। ହେଲେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ସମ୍ପର୍କରେ ରାଜନେତା, ପ୍ରଶାସନିକ ଅଧିକାରୀମାନେ ମୁଣ୍ଡ ପୂରାଉ ନାହାନ୍ତି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବି ଏକପ୍ରକାର ଚୁପ୍‌। ଛାତ୍ରୀଙ୍କ ସ୍ୱାର୍ଥ ଲାଗି ଜମି ଯୋଗାଇବାକୁ ଥରୁଟିଏ ବି ମୁହଁ ଖୋଲୁ ନାହାନ୍ତି। ବରଂ ପଦବି ବଞ୍ଚାଇବା ଲାଗି ରାଜ୍ୟ ସରକାରଙ୍କ ହଁରେ ହଁ ମାରି ଚାଲିଛନ୍ତି। ଛାତ୍ର ସଂସଦ ନେତ୍ରୀମାନେ ପ୍ରତିବର୍ଷ ଏନେଇ ସ୍ୱର ଉଠାଉଥିଲେ ମଧ୍ୟ ତାହାକୁ ବି କେହି ଗୁରୁତ୍ୱ ଦେଉନାହାନ୍ତି। ଏପରିକି ରାଜ୍ୟ ଶାସନର ମଙ୍ଗ ବିଜେଡି ଧରିଥିବା ବେଳେ କ୍ୟାମ୍ପସ୍‌ରେ ଛାତ୍ରୀ ସଂସଦ ଅକ୍ତିଆର କରିଛି ଛାତ୍ର ବିଜେଡି। ତଥାପି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ କୃପା ଦୃଷ୍ଟି ପଡ଼ୁନି।

ସବୁଠାରୁ ଅଶ୍ଚର୍ଯ୍ୟର ବିଷୟ ହେଉଛି ବିଶ୍ୱବିଦ୍ୟାଳୟ ପକ୍ଷରୁ ହେଉଥିବା କଲେଜସ୍ତରୀୟ ପ୍ରତିଯୋଗିତା କ୍ୟାମ୍ପସ ଭିତରେ ହେଉନି। ଏଥିପାଇଁ ଅନ୍ୟ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗତ ତିନି ବର୍ଷ ହେଲା ଏଭଳି ଚାଲିଥିଲେ ମଧ୍ୟ କେହି ବି ଧ୍ୟାନ ଦେଉନାହାନ୍ତି। କ୍ୟାମ୍ପସ ସମ୍ମୁଖରେ ଫୁଟ୍‌ ଓଭରବ୍ରିଜ୍‌ କରିବାକୁ ୬ ବର୍ଷ ତଳୁ ଯୋଜନା ହୋଇ କାଗଜ କଲମରେ ରହିଛି। ଏବର୍ଷ ହେବ, ନୂଆ ଡିଜାଇନ୍‌ରେ ହେବ କହି ଭୁବନେଶ୍ୱର ମହାନଗର ନିଗମର ଅଧିକାରୀମାନେ ଭଣ୍ଡେଇ ଚାଲିଛନ୍ତି। କ୍ୟାମ୍ପସ ନିକଟରେ ଏକ ଓ୍ଵାଟର ଏଟିଏମ୍‌ କରିବା ଲାଗି ଦୁଇ ମାସ ତଳେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏପର୍ଯ୍ୟନ୍ତ ମୂଳଦୁଆ ପଡ଼ିପାରିନି। ହଷ୍ଟେଲ, ପ୍ରଶାସନିକ ବ୍ଲକ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କ୍ୟାମ୍ପସ ପରିସର ହ୍ରାସ ପାଉଛି।

ଉଦ୍‌ଘାଟିତ ହେବ ୫୦ ଶଯ୍ୟାର ଦିବ୍ୟାଙ୍ଗ ହଷ୍ଟେଲ

ବିଶ୍ୱ ଭିନ୍ନକ୍ଷମ ଦିବସ ତଥା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ରବିବାର(ଆଜି) ୫୦ ଶର୍ଯ୍ୟା ବିଶିଷ୍ଟ ଏକ ଦିବ୍ୟାଙ୍ଗ ହଷ୍ଟେଲକୁ ଅପରାହ୍ଣରେ ଭିଡିଓ କନ୍‌ଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ଉତ୍ସବରେ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦି ମୁଖ୍ୟଅତିଥି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକୁନ୍ତଳା ପଣ୍ଡା ମେମୋରିଆଲ୍‌ ରିଡିଂ ରୁମ୍‌କୁ ଉଦ୍‌ଘାଟନ କରିବେ।

ସମ୍ବନ୍ଧିତ ଖବର