ସୂର୍ଯ୍ୟଙ୍କ ଗଡ଼ରେ ଉଦୟ ହେବ କିଏ?

ଫୋକସ୍‌ରେ ୨୦୨୪: ଦିଗପହଣ୍ଡି

ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ରାଜନୀତିରେ ଅନେକ ନୂଆ ନୂଆ ସମୀକରଣ ଦେଖିବାକୁ ମିଳିବ। ଜିଲ୍ଲାର ୧୩ଟି ବିଧାନସଭା କ୍ଷେତ୍ର ସମେତ ବ୍ରହ୍ମପୁର ଓ ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ କି ରଣନୀତି ଆପଣାଇବେ, ସେ ନେଇ ବିଭିନ୍ନ ରାଜନୈତିକ ଦଳ ଶିବିରରେ ମାନସମନ୍ଥନ ଚାଲିଛି। ରାଜନୀତିରେ ସକ୍ରିୟ ଥିବା ନେତାଙ୍କ ସମେତ ସୁପ୍ତ ଥିବା କିଛି ପୁରୁଖା ନେତା ହଠାତ୍‌ ଚେଇଁ ଉଠିଛନ୍ତି। ସେମାନେ ନିଜର ସମର୍ଥକଙ୍କୁ ନେଇ ବଳ ଗୋଟାଉଥିବା ମଧ୍ୟ ଦେଖିବାକୁ ମିଳୁଛି। କିଛି ନୂଆମୁହଁ ତଥା ଯୁବନେତା ବି ମୈଦାନକୁ ଓହ୍ଲାଇବା ପାଇଁ ପାଗ ଭିଡ଼ିଲେଣି, ଯାହା କିଛି ବରିଷ୍ଠ ନେତାଙ୍କ ଚିନ୍ତା ମଧ୍ୟ ବଢ଼ାଇଛି।

ଦିଗପହଣ୍ଡି ନିର୍ବାଚନମଣ୍ଡଳୀର କଥା ବିଚାରକୁ ନେଲେ ୨୦୨୪ ନିର୍ବାଚନରେ ବିଜେଡିକୁ ଏଠାରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜନୈତିକ ମହଲ ଆକଳନ କରୁଛନ୍ତି।

ଏକଦା ରାଜ୍ୟ ରାଜନୀତିର ଅନ୍ୟତମ ମଙ୍ଗୁଆଳ ସାଜିଥିବା ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୀର୍ଘଦିନ ହେଲା ପ୍ରତ୍ୟକ୍ଷ ରାଜନୀତି ଠାରୁ ଦୂରେଇ ରହିଛନ୍ତି। ତାଙ୍କ ଅନୁପସ୍ଥିତିରେ ପୁଅ ବିପ୍ଳବ ପାତ୍ର ମୋର୍ଚ୍ଚା ସମ୍ଭାଳିଛନ୍ତି।

ଏପଟେ ଦିନେ ସୂର୍ଯ୍ୟଙ୍କ ଖାସ୍‌ ଅନୁଗତ ଥିବା ବିଜେଡିର ଅନ୍ୟତମ ପୁରୁଖା ନେତା ତଥା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ଗୋଷ୍ଠୀ ମଧ୍ୟ ସମାନ୍ତରାଳ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ସମର୍ଥକ ଗୋଟାଇବା ରାଜନୈତିକ ମହଲରେ ଚର୍ଚ୍ଚା ପାଇଁ ଖୋରାକ୍‌ ‌ଯୋଗାଇଛି। ଶ୍ରୀ ପାତ୍ର ଯଦି ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ୨୦୨୪ରେ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହନ୍ତି, ତେବେ ସୂର୍ଯ୍ୟଙ୍କ ଗଡ଼ରେ କିଏ ଉଦୟ ହେବେ, ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି।

୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଦିଗପହଣ୍ଡି ବ୍ଲକ୍‌ର ୪ଟି ଜିଲ୍ଲା ପରିଷଦ ଜୋନ୍‌ ଦଖଲ କରିଥିଲା ବିଜେଡି। କିନ୍ତୁ ପୌର ନିର୍ବାଚନରେ ବିଜେଡିକୁ ଚକ୍‌ମା ଦେଇ କଂଗ୍ରେସ ପୌରାଧ୍ୟକ୍ଷ ପଦବି ହାତେଇ ନେଇଥିଲା। ଦିଗପହଣ୍ଡି ବିଧାୟକ ଶ୍ରୀ ପାତ୍ରଙ୍କ ଅନୁପସ୍ଥିତି ଯୋଗୁଁ ପୌରାଧ୍ୟକ୍ଷ ଆସନ ହାତଛଡ଼ା ହେବା ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଥିଲା। ଏଭଳି ସ୍ଥିତିରେ ବିରୋଧୀ ଓ ଆଶାୟୀ ମୁଣ୍ଡ ଟେକିବା ସ୍ବାଭାବିକ। କିନ୍ତୁ ତାଙ୍କର ସମର୍ଥକ ଏବେ ବି ବିଶ୍ବାସ କରୁଛନ୍ତି, ୨୦୨୪ରେ ପୁଣି ଥରେ ଶ୍ରୀ ପାତ୍ର ବିଜେଡି ଟିକଟରେ ନିର୍ବାଚନ ଲଢ଼ି ବିଜୟୀ ହେବେ। ୨୦୦୯ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ପୁନଃଗଠନ ସମୟରୁ ଲଗାତାର ସେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି। ସେହିପରି ଏହା ପୂର୍ବରୁ ମୋହନା ନିର୍ବାଚନମଣ୍ଡଳୀରୁ ମଧ୍ୟ ସେ ୪ଥର ବିଧାୟକ ହୋଇଛନ୍ତି। ଶ୍ରୀ ପାତ୍ର ୧୨ଥର ବିଭିନ୍ନ ବିଭାଗର ମନ୍ତ୍ରୀପଦରେ ରହିବା ପରେ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।

ତାଙ୍କ ଅନୁପସ୍ଥିତିରେ ପୁଅ ବିପ୍ଳବ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ସାଂଗଠନିକ ମଙ୍ଗ ଧରିଛନ୍ତି। ବାପାଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ ସେ ସାଧାରଣ ଲୋକଙ୍କ ସହ ଜଡ଼ିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏଣୁ ୨୦୨୪ରେ ଶ୍ରୀ ପାତ୍ରଙ୍କ ବିକଳ୍ପ ଭାବେ ତାଙ୍କର ନାମ ଚର୍ଚ୍ଚାକୁ ଆସୁଛି। କିନ୍ତୁ ବିଜେଡିର ଆଉ ଏକ ଗୋଷ୍ଠୀ ମୁଣ୍ଡ ଟେକିବା ଏବେ ଶ୍ରୀ ପାତ୍ରଙ୍କ ଶିବିର ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପଟେ କୁକୁଡ଼ାଖଣ୍ଡି ବ୍ଲକ୍‌ରୁ ମଧ୍ୟ ଜଣେ ନେତା ଦିଗପହଣ୍ଡି ଉପରେ ନଜର ପକାଇଥିବା ନେଇ ଚର୍ଚ୍ଚା ହେଉଛି। ଅବଶ୍ୟ ସେ ଖୋଲାଖୋଲି ସାମ୍ନାକୁ ଆସୁନାହାନ୍ତି। ଦଳ ତରଫରୁ ସବୁଜ ସଂକେତ ପାଇବା ପରେ ସେ ମୈଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି।

ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କିଛି ନବାଗତ ଏହି ଆସନ ଉପରେ ଫୋକସ୍‌ କରିଛନ୍ତି। ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବି ଏହି ନିର୍ବାଚନମଣ୍ଡଳୀ ଉପରେ ନଜର ରଖିବା ସହ ଦଳୀୟ ହାଇକମାଣ୍ଡଙ୍କ ସହ ଯୋଗସୂତ୍ର ରଖିଥିବା ନେଇ ବି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର