ବଲାଙ୍ଗୀରର ମମିଆଁରେ ଝାଡ଼ାବାନ୍ତି: ୩ ମୃତ, ୮ରୁ ଅଧିକ ଆକ୍ରାନ୍ତ; ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଝଲପ ପଞ୍ଚାୟତ ମମିଆଁ ଗାଁରେ ଗତ କିଛିଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଗତ ସପ୍ତାହକ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ସୁନିଆ ସେଲମା (୭), ବିନାମ୍ବର ହିଆଲ (୬୨) ଓ କୈକେୟୀ ବେହେରା (୬୫)ଙ୍କ ମୃତ୍ୟୁ ଘଟିଛି। ଏବେ ବି ଗାଁର ଆଠରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କୁନୁ ହିଆଲ (୨୩), ଝରଣା ବେହେରା(୧୭), ବୃଷଭ ଝାଙ୍କର (୫୦), କପିଳ ବେହେରା (୬୫), ସତ୍ୟବ୍ରତ ବେହେରା (୭୫), ତିୟସ ବେହେରା (୫୫), ବିଳାସ ଘିଭେଲା (୪୬)ଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ପାଇ ଗୁରୁବାର ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଗାଁର ରାସ୍ତାଘାଟ, ପାନୀୟ ଜଳ ଉତ୍ସଗୁଡ଼ିକରେ ବିଶୋଧକ ପକାଯାଇଥିଲା। ଶୁକ୍ରବାର ପୁଣି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏଡିପିଏଚ୍‌ଓ ନମିତା ମିଶ୍ରଙ୍କ ନେତୃତ୍ବରେ ଡାକ୍ତରୀ ଦଳ ସମେତ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିଶ୍ୱରଞ୍ଜନ ଖୁଣ୍ଟିଆ ଗାଁରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସ୍ଥିତି ପଚାରି ବୁଝିଥିଲେ। ଏନେଇ ଡା. ଖୁଣ୍ଟିଆଙ୍କ କହିବା ହେଲା, ବର୍ତ୍ତମାନ ଗାଁର ଆଠଜଣ କେବଳ ଆକ୍ରାନ୍ତ ଅଛନ୍ତି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର