ତିନି ଫୁଟବଲ ଖେଳାଳିଙ୍କ ଏକାଠି ହେଲା ଅନ୍ତିମ ସଂସ୍କାର; ସେମାନଙ୍କୁ ହରାଇ ଗୁମୁରିଗୁୁମୁରି କାନ୍ଦୁଛି ଗାଁ

ରାଜଗାଙ୍ଗପୁର : କିଏ ଜାଣିଥିଲା ରବିବାର ତିନିଜଣ ଫୁଟବଳ ଖେଳାଳିଙ୍କ ପାଇଁ ରାସ୍ତାରେ ଜଗି ବସିଥିଲା ଯମ? କିଏ ଜାଣିଥିଲା ତିନିଜଣକଙ୍କ ମରଣଯୋଗ ଗୋଟିଏ ଦିନରେ ହିଁ ଲେଖା ହୋଇଥିଲା ?  ଏଭଳି ଏକ ଦୁଃଖଦ ଘଟଣା ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷଠାରେ ଘଟିଥିଲା। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଏକାଠି ନେଇଯାଇଥିଲା ୩ଜଣ ଫୁଟବଲ ଖେଳାଳିଙ୍କ ଜୀବନ।

Patrika

କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଦଲ୍କି ଅଞ୍ଚଳର ହେମନ୍ତ ବାଡା, ସନ୍ଦୀପ ପ୍ରଧାନ ଓ କ୍ରିଷ୍ଣା ପ୍ରଧାନଙ୍କ ଗୋଟିଏ ସ୍ଥାନରେ ଆଜି ଗ୍ରାମବାସୀ ଅନ୍ତିମ ସଂସ୍କାର କରିବା ସହିତ ଅଶ୍ରୁଳ ବିଦାୟ ଦେଇଥିଲେ। ଗାଁର ତିନି ପୁଅକୁ ଏକାଠି ଅନ୍ତିମ ସଂସ୍କାର କରୁଥିବା ବେଳେ କାନ୍ଦବୋବାଳିରେ ଫାଟି ଉଠୁଥିଲା ଗାଁ ମାଟି। ତେବେ ତିନିପୁଅକୁ ଏକାଠି ହରାଇବା ଖବର ପାଇବା ପରେ ଯେମିତି ଗାଁର ଗଛଲତା, ପାଣି ପବନ ସବୁକିଛି ସ୍ତବ୍ଧ ହୋଇଯାଇଛି। ଆଜି ତିନିପୁଅକୁ ହରାଇ ଗୁମୁରିଗୁମୁରି କାନ୍ଦୁଛି ଗାଁ ମାଟି।

ହେମନ୍ତ ବାଡା, ସନ୍ଦୀପ ପ୍ରଧାନ ଓ କ୍ରିଷ୍ଣା ପ୍ରଧାନ ଗତକାଲି ସାନବର୍ଷାଠାରେ ଆୟୋଜିତ ଏକ ଫୁଲବଲ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିଲେ। ସେଠାରୁ ଖେଳ ଶେଷ ହେବା ପରେ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଦଲ୍କି ଅଞ୍ଚଳର ହେମନ୍ତ , ସନ୍ଦୀପ , କ୍ରିଷ୍ଣା  ଓ ଦେବେନ୍ଦ୍ର ରାଉତ ଓଆର୍‌ ୧୬ଏଫ ୪୫୬୫ ନମ୍ବର ହୋଣ୍ଡା ଆକ୍ଟିଭା ଭିକ୍ଟର୍‌ ସ୍କୁଟିରେ କୁତ୍ରା-ଦଲ୍କି ରାସ୍ତାରେ ଆସୁଥିଲେ। ଲକ୍ଷ୍ମୀପୋଷର ଜ୍ଞାନପାଲିଠାରେ ସେମାନଙ୍କ ସ୍କୁଟି ସହିତ ଓଆର ୧୪ଏଲ୍‌ ୧୨୭୯ ନମ୍ବର ‘ପବନପୁତ୍ର ବସ୍‌ ସହିତ ହାଁମୁହିଁ ଧକ୍କା ହୋଇଥିଲା। ବସ୍‌ଟି ସ୍କୁଟି ଉପରେ ଚଢିଯିବାରୁ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ଦେବେନ୍ଦ୍ର ରାଉତଙ୍କୁ ଚିକିତ୍ସା ପାଇଁ ଜାମବାହାଲ ହସ୍ପିଟାଲକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର