ମିଳିମିଶି ଖାଇଦେଲେ ୪୪ ଲକ୍ଷ!  ଗଛ ବୁଦାରେ ପୂର୍ଣ୍ଣ ପୋଖରୀ, ୪ ମାସରେ ଉପୁଡ଼ିଲା ଟାଇଲ

ରାଉରକେଲା: ପୋଖରୀ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ପ୍ରାୟ ୪୪ ଲକ୍ଷ ଟଙ୍କା ବିନିଯୋଗ କରାଗଲା। ଠିକା ସଂସ୍ଥା କିନ୍ତୁ ବ୍ୟାପକ ଚଞ୍ଚକତା କରି ଟଙ୍କା ହଡ଼ପ ଯୋଜନା କଲେ। ପୋଖରୀରୁ କାଦୁଆ କଢ଼ାହେଲାନି କି ବୁଦା ବି ସଫା କରାଗଲାନି। ବରଂ ନାଁକୁ ପୋଖରୀ ଚାରି କଡ଼ରେ ଟାଇଲ୍‌ ଲଗାଇ ଦିଆଗଲା। ବାସ୍‌ ଏତିକିରେ ସୀମିତ ରହିଲା ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକୀରଣ। ବର୍ତ୍ତମାନର ସ୍ଥିତି ଏମିତି ଯେ, ଟାଇଲ୍‌ଗୁଡ଼ିକ ଭାଙ୍ଗି ପଡ଼ିବା ସହ ଉଠିସାରିଲାଣି। ଏଭଳି ଖୋଲା ଦୁର୍ନୀତିର ଜ୍ବଳନ୍ତ ଉଦାହରଣ ହେଉଛି ଆର୍‌ଏମ୍‌ସି ଅନ୍ତର୍ଗତ ୱାର୍ଡ-ନଂ ୬ ଆଇଟିଆଇ ଶାନ୍ତି ନଗର ପୋଖରୀ ପୁନରୁଦ୍ଧାର ପ୍ରକଳ୍ପ। ଏହି ପ୍ରକଳ୍ପର ସାଂପ୍ରତିକି ସ୍ଥିତିକୁ ତର୍ଜମାକଲେ, ଠିକାସଂସ୍ଥା ଯେ ସବୁ ଟଙ୍କା ଗିଳିଦେଇଛନ୍ତି; ତାହା ସ୍ପଷ୍ଟ ଅନୁମେୟ।

ଏହି ପୋଖରୀ ଦୀର୍ଘ ଦିନ ହେଲା ଅଳିଆ ଆବର୍ଜନାରେ ଭର୍ତ୍ତି ରହିବାରୁ ପୁରା ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବାରୁ ଶେଷରେ ପୋଖରୀ ପୁନରୁଦ୍ଧାର ଓ ସୌନ୍ଦଂର୍ଯ୍ୟୀକରଣ ପାଇଁ ଆର୍‌ଏମସି କର୍ତ୍ତୃପକ୍ଷ ରାଜି ହୋଇଥିଲେ। ପରେ ପ୍ରକଳ୍ପ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୪୩ ଲକ୍ଷ ୮୩ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ଗତ ଏପ୍ରିଲ ମାସରେ ଏହାର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା। ନିୟମାନୁଯାୟୀ ପ୍ରଥମେ ପୋଖରୀର ପଙ୍କ ଉଦ୍ଧାର, ବର୍ଷବର୍ଷ ଧରି ପାଣିରେ ଭାସୁଥିବା ଅଳିଆଆବର୍ଜନା ନିଷ୍କାସନ, ପୋଖରୀ ଚାରିପଟରେ ସୌନ୍ଦର୍ଯ୍ୟବୃଦ୍ଧି ଆଦି କରାଯିବା କଥା। କିନ୍ତୁ ଠିକାଦାର ଆରମ୍ଭରୁ ସବୁ ନିୟମର ଖୋଲା ଉଲ୍ଲଂଘନ କରିଥିଲେ। ପୋଖରୀରୁ ପଙ୍କରୁଦ୍ଧାର କରାଯିବା ତ ଦୂରର ଗଥା, ବଢ଼ିଉଠିଥିବା ଅନାବନା ବୁଦାକୁ ମଧ୍ୟ ସଫା କରିନଥିଲେ। ଏଡାକୁ ସ୍ଥାନୀୟ ଲୋକ ପ୍ରତିବାଦ କରିଥିଲେ, ବିଭାଗୀୟ ଯନ୍ତ୍ରୀଙ୍କୁ ମଧ୍ୟ କୁଆଡ଼େ ଅବଗତ କରିଥିଲେ; କିନ୍ତୁ କୌଣସି ଫରକ ପଡ଼ିନଥିଲା। ସମ୍ଭବତଃ ଠିକାଦାର-ଯନ୍ତ୍ରୀଙ୍କ ଭିତିରିଆ ସନ୍ଧି ଯୋଗୁଁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ବି ଏହାକୁ ଦୃଷ୍ଟି ଦେଇନଥିଲେ। ଫଳରେ ଠିକାଦାର ନିଜ ମନମର୍ଜି କରି କେବଳ ପୋଖରୀ ଚାରିକଡ଼ରେ ଟାଇଲ୍‌ ଲଗାଇ କାମ ସାରିଦେଇଥିଲେ।

ଟାଇଲ୍‌ ଲଗାଇବାରୁ ମାସେ ପୁରିବା ପୂର୍ବରୁ ତାହା‌ କେଉଁଠି ଭାଙ୍ଗିଯାଇଥିଲା ତ ପୁଣି କେଉଁଠାରେ ଉପୁଡ଼ିପଡ଼ିଥିଲା। ତରବରିଆ ଭାବେ ପାଚେରି ନିର୍ମାଣ ଓ ତା’ ଉପରେ ରଙ୍ଗ ମରାଯାଇଥିବାବେଳେ ତାହା ବି ଝଡ଼ିଗଲାଣି। ଡ୍ରେନ୍‌ ନିର୍ମାଣ କାର୍ଯ୍ୟକୁ ଅଧାରେ ଛାଡ଼ି ଠିକାଦାର ଫୋରାର୍‌ ହୋଇଯାଇଛନ୍ତି। ଅଧପନ୍ତରିଆ ଡ୍ରେନ୍‌ ଯୋଗୁଁ ଅଳିଆଭର୍ତ୍ତି ଜଳ ସ୍ଥାନୀୟ ଲୋକଙ୍କ ଘରେ ପଶୁଛି। ବର୍ତ୍ତମାନ ଅନାବନା ଗଛ ଓ ପଙ୍କ ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଲାଣି। ପ୍ରକୃତରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରଖି ଏହି ପ୍ରକଳ୍ପ ହାତକୁ ନିଆଯାଇଥିବା ପରି ମନେ ହୁଏନି; ବରଂ କେବଳ ଅର୍ଥ ହଡ଼ପ ଉଦ୍ଦେଶ୍ୟରେ ପ୍ରକଳ୍ପ ହାତକୁ ନିଆଯାଇଥିବା ଅଭିଯୋଗ ହୁଏ। ଏନେଇ ଆର୍‌ଏମ୍‌ସି ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଅଛନ୍ତି ନାଁ ସେମାନେ ବି ସାମିଲ ଅଛନ୍ତି; ତାହା ଅସ୍ପଷ୍ଟ। ତେବେ ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୁର୍ନୀତିଖୋର ଠିକାଦାର-ଯନ୍ତ୍ରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧୀଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର