ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଡିସେମ୍ବର ୧୫ ତାରିଖ ସୁଦ୍ଧା ସାରିବାକୁ ମୋ ଓଡ଼ିଶା ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ନୂଆବର୍ଷରୁ ନୂଆ ଅନୁଭୂତି ସାଉଁଟିବେ ବୋଲି ଶ୍ରୀ ପାଣ୍ଡିଆନ୍‌ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପାଣ୍ଡିଆନ୍‌ ଆଜି ଭୋର ୪ଟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିବା ସହ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଶ୍ରୀ ପାଣ୍ଡିଆନ୍‌ଙ୍କ ସହ ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ, ଓବିସିସି ଓ ଠିକା ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପର ସମୀକ୍ଷା କରିଥିଲେ। ୫-ଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଥିଲା ଶ୍ରୀ ପାଣ୍ଡିଆନ୍‌ଙ୍କ ଦ୍ବିତୀୟ ସମୀକ୍ଷା। ଏହି ଅବସରରେ ସେ ଠିକାସଂସ୍ଥାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟ ଡିସେମ୍ବର ୧୫ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠଗୁଡ଼କର ପୁନରୁଦ୍ଧାର କାମ ତ୍ବରାନ୍ବିତ କରିବା, ଶ୍ରୀମନ୍ଦିର ଚାରିଦ୍ବାରରେ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇଚକିଆ ଗାଡ଼ି ପାର୍କିଂର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପାଣ୍ଡିଆନ୍‌ ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂ କାମ, ଏଠାରେ ଯାତ୍ରୀମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ, ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ, ଶ୍ରୀସେତୁ କାମର ଅଗ୍ରଗତି ବି ସମୀକ୍ଷା କରିଥିଲେ। ଆବଶ୍ୟକ ପଡ଼ିଲେ ଅଧିକ ଲୋକ ଲଗାଇ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ତାଗିଦ୍ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଓବିସିସି ଅଧିକାରୀ ଓ ବିଭିନ୍ନ ଠିକା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର