ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ୫୦ ହଜାର ଶ୍ରଦ୍ଧାଳୁ, ଭିଡ଼ ଯୋଗୁ ୫ ସଂଜ୍ଞାହୀନ

ବ୍ରହ୍ମଗିରି : ଗୁରୁବାର ଥିଲା ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନର ଏକାଦଶ ଦିନ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭିଡ଼ରେ ୫ ଜଣ ଶ୍ରଦ୍ଧାଳୁ ସଂଜ୍ଞାହୀନ ହୋଇଥିବା ବେଳେ ଠେଲାପେଲାରେ ୭ ଜଣ ଆହତ ହୋଇଛନ୍ତି।

ଗୁରୁବାର ଭୋର୍‌ ସାଢ଼େ ଚାରିଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ସେତେବେଳକୁ ଅର୍ଗଳି ପାଖରୁ ଚନ୍ଦନ ଚକଡ଼ା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ସାରିଥିଲା। ସକାଳ ଧୂପ ପାଇଁ ମନ୍ଦିର ଶୋଧ ବେଳକୁ ଜୟବିଜୟ ଦ୍ବାର ପାଖରୁ ସିଂହଦ୍ବାର ଦେଇ ଅଲାରପୁର ଗାଁକୁ ଭିଡ଼ ଲମ୍ବିଥିଲା। ଦ୍ବିପହର ଧୂପ ଓ ପହଡ଼ ହୋଇ ସର୍ବସାଧାରଣ ଦର୍ଶନ ବେଳକୁ ଅପରାହ୍ନ ସାଢ଼େ ଦୁଇଟା ବାଜି ସାରିଥିଲା। ସେତେବେଳକୁ ୨୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଧାଡ଼ିରେ ଛିଡ଼ା ହୋଇଥିଲେ। ଦର୍ଶନ ଆରମ୍ଭ ହେବାମାତ୍ରେ ଚାଲିଥିଲା ଠେଲାପେଲା। ସିଂହଦ୍ବାର ନିକଟରେ ଗୁମୁଟି ପାଖ ପାହାଚରେ ପଡ଼ି ୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ତୁରନ୍ତ ଗଡ଼ରୋଡଙ୍ଗ କଲେଜ ପକ୍ଷରୁ ନିୟୋଜିତ ଯୁବ ରେଡକ୍ରସ ୟୁନିଟ୍‌ ପକ୍ଷରୁ ଷ୍ଟ୍ରେଚର୍‌ରେ ଆହତଙ୍କୁ ଉଦ୍ଧାର କରାଯାଇ ଆଶୁ ଚିକିତ୍ସାଯୋଗାଇ ଦିଆଯାଇଥିଲା।
ସେହିପରି, ଧାଡ଼ିରେ ଛିଡ଼ା ହୋଇଥିବା ପୁରୀ ଚାରିନଳାର ବୀଣାପାଣି ମହାରଣା(୫୫), କଳାହାଣ୍ତିର ରାଜେନ୍ଦ୍ର ପ୍ରଧାନ (୫୬) ସଂଜ୍ଞାହୀନ ହୋଇପଡ଼ିଥିଲେ। ସେହିଭଳି ଜିଗ୍‌ଜାଗ୍‌ ବ୍ୟାରିକେଡ୍‌ ଭିତରେ ଆହୁରି ୩ ଜଣ ବଙ୍ଗୀୟ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିଲେ। ସମସ୍ତଙ୍କୁ ଉଦ୍ଧାର ପରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ଓ ସମସ୍ତ ଶ୍ରଦ୍ଧାଳୁ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର