ସୁସ୍ଥହେଲେ ଶ୍ରୀଜିଉ

ଶ୍ରୀନଅରକୁ ରାଜପ୍ରସାଦ ବିଜେ, ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଜଣାଇଲେ ଦଇତାପତି

ପୁରୀ : ଅଣସରର ଅନ୍ୟତମ ପ୍ରମୁଖ ସେବା ‘ରାଜପ୍ରସାଦ ବିଜେ’ ନୀତି ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଗୁରୁବାର ଦିନ ଶ୍ରୀନଅରକୁ ବିଜେ ହୋଇଛି। ପତି ମହାପାତ୍ର, ଦଇତାପତି, ଖୁଣ୍ଟିଆ ମେକାପ, ଦେଉଳ କରଣ, ତଢ଼ଉ କରଣ ପ୍ରମୁଖ ପଟୁଆରରେ ‘ରାଜପ୍ରସାଦ’ ଶ୍ରୀନଅରକୁ ନେଇ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି। ମହାପ୍ରଭୁ ସୁସ୍ଥ ଅନୁଭବ କରୁଥିବା ବେଳେ ଅଣସରକାଳୀନ ଗୁପ୍ତନୀତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ମହାପ୍ରଭୁ ସୁସ୍ଥ ଅଛନ୍ତି ବୋଲି ଘୋଷଣା କରି ଆଜି ଶ୍ରୀମନ୍ଦିରରୁ ରାଜନଅରକୁ ରାଜପ୍ରସାଦ ବିଜେ ସମୟରେ ବଡ଼ଦାଣ୍ଡ ଚନ୍ଦନ ବାସ୍ନାରେ ମହକି ଉଠିଛି।

ଗୁରୁବାର ପ୍ରଥମ ଭୋଗମଣ୍ଡପ ପରେ ଅପରାହ୍ନରେ ରାଜନଅରକୁ ରାଜପ୍ରସାଦ ବିଜେ କରାଯାଇଥିଲା। ଦଇତାପତି ସେବକମାନେ ପାଟବସ୍ତ୍ର ପରିଧାନ କରି ରାଜପ୍ରସାଦକୁ ଏକ ରୁପା ଥାଳିରେ କରାଳ, ଚନ୍ଦନ ଆଦି ରାଜନଅରକୁ ବିଜେ କରାଇଥିଲେ। ବିଜେ କାହାଳୀ ସହ ଦଇତାପତି ଓ ଅନ୍ୟ ସେବକମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀନଅରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ରାଜପ୍ରସାଦକୁ ମୁଣ୍ଡରେ ମାରି ଆଶୀର୍ବାଦ ନେଇଥିଲେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ଖବର ପ୍ରଦାନ କରିବା ସହ ଗୋପନ ସେବା ସମ୍ୱନ୍ଧରେ ଗଜପତିଙ୍କୁ ଅବଗତ କରାଇଥିଲେ। ପରେ ରଥଯାତ୍ରା ଓ ଶ୍ରୀମନ୍ଦିର ସମ୍ପର୍କିତ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଏଥିପାଇଁ ମହାପ୍ରଭୁ ରତ୍ନବେଦି ଛାଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରିଥିଲେ।

ସମ୍ବନ୍ଧିତ ଖବର