୪୨ବର୍ଷ ପରେ ବି ଆଇନ ମହାବିଦ୍ୟାଳୟ ହୋଇପାରିଲାନି ସରକାରୀ

ଜୟପୁର: ରାଜ୍ୟ ସରକାର ଶିକ୍ଷା, ବୃତ୍ତିଗତ ଶିକ୍ଷା ଆଦିର ବିକାଶ ପାଇଁ ୫ଟି ମାଧ୍ୟମରେ ବିଭିନ୍ନ ଯୋଜନା ସଂପ୍ରତି ଆରମ୍ଭ କରିଛନ୍ତି। ବହୁ ପୁରୁଣା ଶିକ୍ଷାଅନୁଷ୍ଠାନକୁ ସରକାର ନିଜ ଅଧିନକୁ ପରିଚାଳନା ଭାର ନେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ତେବେ ଏହାର ବ୍ୟତିକ୍ରମ ୫ମ ଅଧିସୂଚିତ ଅଂଚଳ ତଥା ପଛୁଆ ଅଂଚଳ ଭାବେ ପରିଚିତ କୋରାପୁଟ ଜିଲ୍ଲାର ଜୟପୁରର ଆଇନ୍ ମହାବିଦ୍ୟାଳୟ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଠାରେ ପାଠ ପଢ଼ିଥିବା ଛାତ୍ର ଆଜି ଆଇନମନ୍ତ୍ରୀ, ବିଚାରପତି, ସରକାରୀ ଓକିଲ ହୋଇପାରିଛନ୍ତି। ତଥାପି ଏହା ସରକାରୀ ହୋଇପାରିନି। ଅପରପକ୍ଷରେ  ଦୀର୍ଘ ୪୨ବର୍ଷ ହେଲାଣି ସରକାରଙ୍କ ବିନା ଅନୁଦାନରେ ଛାତ୍ର ଛାତ୍ରୀଙ୍କ ଅନୁଦାନ(ଡୋସେନ ଓ ଟ୍ୟୁସନ ଫି)ରେ ଚାଲିଛି ଏହି ଆଇନ ମହାବିଦ୍ୟାଳୟ। ଏହି ଟଙ୍କାରେ ହିଁ ଅଧ୍ୟକ୍ଷ, ଅଧ୍ୟାପକ, ସହକାରୀ ପ୍ରାଧ୍ୟପକ ଆଦିଙ୍କ ଦରମା ଦିଆ ସହ କୋଠା ନିର୍ମାଣ ଆଦି କରାଯାଇଛି। ବାରମ୍ବାର ସରକାରଙ୍କୁ ଦୃଷ୍ଟିଗୋଚର କରାଯିବା ପରେ ବି ସରକାରୀ ଅନୁଦାନରୁ ବଞ୍ଚିତ।

ସୂଚନାଯୋଗ୍ୟ,  ୧୯୮୧ ମସିହାରୁ ଆରମ୍ଭ ହୋଇଥିବା ଏହି ଆଇନ ମହାବିଦ୍ୟାଳୟ ବହୁ ବାଧା ବିଘ୍ନ ସହି ସହରର ଗୋଟିଏ ସ୍କୁଲ ଘରୁ ଏଯାଏଁ ଆସିଛି। ଅଭିବକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣର ପିଲା ଏଠାରେ ପାଠ ପଢ଼ି ଆସୁଥିବାବେଳେ ଏଠାରେ ଛାତ୍ରବାସ ନଥିବାରୁ ସହରରେ ଭଡ଼ା ଘର ନେଇ ଛାତ୍ରଛାତ୍ରୀମାନେ ଅଯଥା ହଜାର ହାଜାର ଟଙ୍କାର ଏଠାରେ ଏଲଏଲବି ସହ ଏଲଏଲଏମ୍ ରେ ପିଲା ପଢ଼ୁଛନ୍ତି। ହାଇକୋର୍ଟର ବିଚାରପତି ଶିବଶଙ୍କର ମିଶ୍ର ଏହି ମହାବିଦ୍ୟାଳୟର ଛାତ୍ର ଥିଲେ ଏବଂ ଛାତ୍ରସଂସଦର ସଭାପତି ବି ରହି ଆସିଥିଲେ।

ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ସାଂସଦ ଝିନ୍ନ ହିକୋକାଙ୍କା ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଏହି ଆଇନ ମହାବିଦ୍ୟାଳୟରେ ପଢ଼ିବା ପରେ ସରକାରୀ ଓକିଲ, ବିଚାରପତି, ବଡ଼ ବଡ କରଫରେଟ୍ ହାଉସରେ ଆଇନ ପରାମର୍ଶଦାତା ଭାବେ ବି କାମ କରୁଛନ୍ତି। କଟକର ମଧୁସୂଦନ ଆଇନ୍  ବିଶ୍ବବିଦ୍ୟାଳୟ ଅଧିନରେ ଏହି ମହାବିଦ୍ୟାଳୟ ଚାଳିଛି। ସଂପ୍ରତି ଏଠାରେ ଏଲଏଲବିରେ ୩୬୦ଜଣ, ଏଲଏଲଏମରେ ୪୮ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ମହାବିଦ୍ୟାଳୟର ସମସାମୟିକ ଆଇନ ମହାବିଦ୍ୟାଳୟ ଗୁଡିକୁ ସରକାରୀ, ସ୍ବୟଂଶାସିତ କିମ୍ବା କନଷ୍ଟିଚ୍ୟୁଟେଡ କଲେଜ କରିଛନ୍ତି। ଅନ୍ତତଃ ଏହି ମହାବିସ୍ୟାଳୟକୁ ସରକାରୀ ମାନ୍ୟତା କିମ୍ବା କନଷ୍ଟିଚ୍ୟୁଟେଡ କଲେଜ କରାଗଲେ ଅଭିବକ୍ତ କୋରାପୁଟ ଜିଲ୍ଲାର ବହୁ ଗରିବ ଛାତ୍ରଛାତ୍ରୀ ହଜାର ହଜାର ଟଙ୍କା ଦେଇ ଖର୍ଚ୍ଚାନ୍ତ ହେବାରୁ ବଂଚିଥାନ୍ତେ ଏବଂ ବିଭିନ୍ନ ସୁବିଧା ଓ ସୁଯୋଗ ପାଇ ପାରନ୍ତେ ବୋଲି କହିଛନ୍ତି ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିନ୍ତାମଣି ପଣ୍ଡା ଓ ଛାତ୍ର ପ୍ରବୀନ କୁମାର, ସିଏଚ୍ ଭେଙ୍କଟେଶ, ସିଏଚ୍ ତନ୍ମୟୀ, ସଂଯୁକ୍ତା ରଥ।

ସଂପ୍ରତି ଏଠାରେ ୪ଜଣ ଫୁଲ ଟାଇମ ଓ ୫ଜଣ ପାର୍ଟ ଟାଇମ ଅଧ୍ୟାପକ ମୋଟ ୯ଜଣ ଏଲଏଲବି ଓ ଏଲଏଲଏମ ପାଠ ପଢାଉଛନ୍ତି। ସମସ୍ତ ଭିତ୍ତିଭୂମି ସୁଦୃଢ ଥିବା କଲେଜକୁ କୋରାପୁଟ ଜିଲ୍ଲାରେ ଦୁଇ ଦୁଇଟି ବିଶ୍ବବିଦ୍ୟାଳୟ ଯାହାକି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ବିକ୍ରମଦେବ ବିଶ୍ବବିଦ୍ୟାଳୟର କନଷ୍ଟିଚ୍ୟୁଟେଡ ମହାବିଦ୍ୟାଳୟର ମାନ୍ୟତା ଦେଲେ ବି ଭଲ ହୁଅନ୍ତା ବୋଲି କହିଛନ୍ତି ପୂର୍ବତନ ଛାତ୍ର ତଥା ଆଇନଜୀବୀ ଶ୍ରୀନିବାସ ବାଲାରାୟ, ନାନାଜି ଅଚାରୀ, ତାରିଣୀ ପାଣିଗ୍ରାହୀ, ଆରତୀ ମହାନ୍ତି , ଲାଲୁ ଷଡଙ୍ଗୀ। ଜୟପୁର ଆଇନ ମହାବିଦ୍ୟାଳୟର ସରକାରୀ ମାନ୍ୟତା ପାଇଁ ଆସନ୍ତା ରାଜ୍ୟ ବାର କାଉନସିଲ ପ୍ରଥମ ବୈଠକରେ ପ୍ରସ୍ତାବ ଦେବା ସହ ଆଇନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି ରାଜ୍ୟ ବାରକାଉନସିଲ ସଦସ୍ୟ ପି.ରମେଶ ପାତ୍ର। ସରକାରଙ୍କ ଶୁଭଦୃଷ୍ଟି କେବେ ଏହି ମହାବିଦ୍ୟାଳୟ ଉପରେ ପଡ଼ିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର