ବିଜେପିରେ ମିଶିବେ ଆକାଶ!

ମାଆ, ମାଟି, ସ୍ବାଭିମାନ ପାଇଁ ଲଢିବି; ଆକାଶ

ବ୍ୟାସନଗର: କୋରେଇର ପୂର୍ବତନ ବିଧାୟକ ତଥା ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଆଜି ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଆକାଶ କୋରେଇରୁ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ଇସ୍ତଫା ଦେଇ ଆକାଶ କହିଛନ୍ତି ଯେ, ମାଆ, ମାଟି ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖିବେ। ୨୦୧୪ରେ ବିଜେଡି କରିଥିବା ଭରସାକୁ ପୂରଣ କରିଥିଲି। ୨୦୧୯ରେ ଦଳ ମୋତେ କୋରେଇବାସୀଙ୍କ ସେବା କରିବାକୁ ସୁଯୋଗ ଦେଇନଥିଲେ ହେଁ ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଚୁପ୍‌ ରହିଲି। ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ସମସ୍ତ ଦାୟିତ୍ବକୁ ତୁଲାଇଛି।

ହେଲେ ମୋ ସେବାର ମୂଲ୍ୟ ଦେବା ତ ଦୂରର କଥା ମୋ ନିଷ୍ଠାପରତାକୁ ଦଳ ବୁଝିଲାନି। ମୋ ଜୀବନ ସମାଜସେବା ଓ କୋରେଇବାସୀଙ୍କ ପାଇଁ ସମର୍ପିତ। କୋରେଇବାସୀଙ୍କ ଭଲପାଇବାକୁ ପାଥେୟ କରି ସମସ୍ତଙ୍କ ପରାମର୍ଶରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ଆକାଶ କହିଛନ୍ତି। ମୋ ଅନ୍ତରାତ୍ମାର ସ୍ବର ଯାହା କହିଲା ତାହା ହିଁ କରିଛି। ବିଜେଡି କୋରେଇବାସୀଙ୍କ ଭରସାକୁ ଉପେକ୍ଷା କରିଛି। ସେ କିନ୍ତୁ କୋରେଇବାସୀଙ୍କ ସାଙ୍ଗରେ ରହିବେ, ଲୋକେ ଯାହା ଚାହିଁବେ ତାହା ହିଁ କରିବେ ବୋଲି ଆକାଶ କହିଛନ୍ତି। ବିଜେଡିରୁ ଇସ୍ତଫା ଖବର ପ୍ରଚାର ପରେ ଆକାଶଙ୍କ ବ୍ୟାସନଗରସ୍ଥିତ ବାସଭବନରେ ଆଜି ଶହଶହ ସମର୍ଥକ ପହଞ୍ଚି ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଆସନ୍ତାକାଲି ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିବେ ବୋଲି ତାଙ୍କ ସମର୍ଥକ ମହଲରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର