ଦାବି ପୂରଣ ନେଇ ସରକାର ମାଗିଲେ ମହଲତ, ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଶନିବାର ସ୍ଥଗିତ ହୋଇଛି। ପ୍ରତିଶ୍ରୁତି ମିଳିବା ପରେ ସାମୟିକ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିଛି। ଦାବି ପୂରଣ ନେଇ ସରକାର ମହଲତ ମାଗିଛନ୍ତି। ଆସନ୍ତା ଆନ୍ତମନ୍ତ୍ରୀସ୍ତରୀୟ ବୈଠକରେ ସଂଘର ଦାବି ନେଇ ଆଲୋଚନା ହେବ ବୋଲି ସଂଘ କହିଛି। କିନ୍ତୁ ସଂଘ ଚେତାବନୀ ଦେଇଛି ଯେ, ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନ ହେବ ।

ସାଧାରଣ ସଂପାଦିକା ଡା.ଲୋପାମୁଦ୍ର ଖଟୋଇ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ, ସ୍ଵାସ୍ଥ୍ୟ ସଚିବଙ୍କ ସହିତ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘର ସକାରାତ୍ମକ ଆଲୋଚନା ଏବଂ ସଂଘର ଦାବି ପ୍ରତି ସ୍ଵାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ପରିପ୍ରେକ୍ଷୀରେ ସଂଘ ସାମୟିକ ଭାବେ ଆନ୍ଦୋଳନ ନିଷ୍ପତ୍ତିକୁ ସ୍ଥଗିତ ରଖୁଛି । ସ୍ଵାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ଅନୁସାରେ ଆସନ୍ତା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ସଂଘର ଦାବିକୁ ଦୃଢ଼ଭାବରେ ଉପସ୍ଥାପନ କରାଯିବା ସହିତ ଏହାର ସଫଳ ରୂପାୟନରେ ସ୍ଵାସ୍ଥ୍ୟ ସଚିବ ସକ୍ରିୟ ଭୂମିକା ଗ୍ରହଣ କରିବେ। ସଂଘର ଦାବିପ୍ରତି ସ୍ଵାସ୍ଥ୍ୟ ସଚିବ ସମସ୍ତ ପ୍ରକାର ସହାନୁଭୁତି ପ୍ରକାଶ କରିବା ସହିତ ଦାବିର ଯଥାର୍ଥତାକୁ ଉପଲବ୍ଧି କରିଥିଲେ। ରାଜ୍ୟର ସ୍ଵାସ୍ଥ୍ୟସେବାରେ ଆୟୁଷ ଚିକିତ୍ସାରେ ସଫଳ ଭୂମିକା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଛାତ୍ରସଂଘର ଦାବିପ୍ରତି ସେ ସମସ୍ତ ପ୍ରକାର ସହଯୋଗ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି। ଉକ୍ତ ପ୍ରତିଶୃତି ପ୍ରତି ସଂଘ ଆସ୍ଥା ପ୍ରକଟ କରି ସାମୟିକ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖୁଛି । ଆଗାମୀ ଦିନରେ ସଂଘର ଦାବି ପୂରଣ ନହେଲେ ଏହି ସଂଘ ପୁନର୍ବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ମିଳିତ ନିଷ୍ପତ୍ତି ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ।

ସମ୍ବନ୍ଧିତ ଖବର