ଭଦ୍ରକ କଲେଜ ଗଢ଼ିଛି ଅନେକ ରାଜନେତା

ଛାତ୍ରନେତାରୁ ସାଂସଦ, ମନ୍ତ୍ରୀ, ବିଧାୟକ ବନିଛନ୍ତି ଖାରବେଳ, ମନ‌ମୋହନ, ପ୍ରଫୁଲ୍ଲ, ରଣେନ୍ଦ୍ରପ୍ରତାପ ଓ ବ୍ୟୋମକେଶ

ଭଦ୍ରକ: ରାଜ୍ୟ ସରକାର କଲେଜ ନିର୍ବାଚନକୁ ବନ୍ଦ କରିଥିବା ବେଳେ ଏହାକୁ ନେଇ ସାରା ଓଡ଼ିଶାରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକୁଛି। ଭଦ୍ରକ ଜିଲ୍ଲାରେ ଅନେକ ଛାତ୍ରନେତା କଲେଜ ଜୀବନରୁ ରାଜନୀତିରେ ପାଦ ଥାପି ପରବର୍ତ୍ତୀ ପର୍ଯ୍ୟାୟରେ ସାଂସଦ, ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି। ୧୯୭୦ ମସିହାରେ ଭଦ୍ରକ କଲେଜର ଛାତ୍ରନେତା ଥିଲେ ପୂର୍ବତନ ସାଂସଦ ମହାମେଘବାହାନ ଏୗର ଖାରବେଳ ସ୍ବାଇଁ। ଭଦ୍ରକ କଲେଜ ଛାତ୍ରସଂସଦର ସଂପାଦକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସେ ହାରିଯାଇଥିଲେ। ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ପ୍ରତ୍ୟକ୍ଷ ରାଜନୀତି କରିବାକୁ ସୁଯୋଗ ଦେଇଥିଲା। ସେ ବିଜେପିରୁ ବାଲେଶ୍ବର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ରାଜ୍ୟର ଜଣେ ଆଗଧାଡିର ନେତା ଭାବେ ପ୍ରତିଷ୍ଠିତ ହୋଇଥିଲେ।

ଏବେ ବି ରାଜ୍ୟ ଓ ଜାତୀୟ ରାଜନୀତିରେ ତାଙ୍କ ମତମନ୍ତବ୍ୟ, ପ୍ରତିକ୍ରିୟା ପ୍ରାସଙ୍ଗିକତା ବହନ କରୁଛି। କଲେଜ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବା ଏକ ଅଗଣତାନ୍ତ୍ରିକ ପଦକ୍ଷେପ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ସେହିପରି ବିଜେପିର ବର୍ତ୍ତମାନ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ୧୯୮୦ ମସିହାରେ ଭଦ୍ରକ କଲେଜ ଛାତ୍ରସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏବିଭିପିର ଛାତ୍ରନେତା ଭାବେ ସେ ସାରା ଓଡ଼ିଶାରେ ପରିଚୟ ସୃଷ୍ଟି କରିଥିବା ବେଳେ ଏବେ ରାଜ୍ୟ ବିଜେପିର ମଙ୍ଗ ଧରିଛନ୍ତି। ଶ୍ରୀ ସାମଲ ରାଜ୍ୟସଭା ସାଂସଦ, ଚାନ୍ଦବାଲିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମେଣ୍ଟ ସରକାର ଅମଳରେ ରାଜସ୍ବମନ୍ତ୍ରୀ ହୋଇଥିଲେ। କଲେଜ ନିର୍ବାଚନ ବନ୍ଦ ପ୍ରସଙ୍ଗରେ ସମସ୍ତେ ମୁହଁ ଖୋଲିବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ସାମଲ।

ବିଜେଡିରୁ ଏବେ ଚାନ୍ଦବାଲି ବିଧାୟକ ଥିବା ଡ.ବ୍ୟୋମକେଶ ରାୟ ରେଭେନ୍‌ସା କଲେଜ ଛାତ୍ରସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଛାତ୍ର ରାଜନୀତିରୁ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ଚାନ୍ଦବାଲିରୁ ଦୁଇ ଦୁଇଥର ବିଧାୟକ ହେବାର ସୁଯୋଗ ପାଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ସାଂଗଠନିକ ଦକ୍ଷତାକୁ ଲକ୍ଷ୍ୟ କରି ବିଜେଡି ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଛାତ୍ର ବିଜେଡିର ରାଜ୍ୟ ସଭାପତି ମଧ୍ୟ କରିଛି। ତେବେ ଛାତ୍ର ରାଜନୀତିରୁ ଯାଇ ରାଜ୍ୟ ରାଜନୀତିରେ ଆଗଧାଡ଼ିର ନେତା ଭାବେ ପ୍ରତିଷ୍ଠିତ ହୋଇଥିବା ଶ୍ରୀ ରାୟ କିନ୍ତୁ ଏ ପ୍ରସଙ୍ଗରେ ମୁହଁ ଖୋଲିବାକୁ ନାରାଜ। ଭଦ୍ରକ କଲେଜରେ ଛାତ୍ର ରାଜନୀତିରେ ସଂପୃକ୍ତ ଥିବା ଆହୁରି ଅନେକ ନେତା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକାରେ ରହିଛନ୍ତି। ବିଜେଡିର ବରିଷ୍ଠ ନେତା ଲକ୍ଷ୍ମୀ ମହାପାତ୍ର ୧୯୭୪ରେ ଭଦ୍ରକ କଲେଜରେ ଏବିଭିପି ପକ୍ଷରୁ ଛାତ୍ରସଂସଦର ସଭାପତି ହୋଇଥିଲେ। ବର୍ତ୍ତମାନ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ପ୍ରଭାତ ତ୍ରିପାଠୀ ଭଦ୍ରକ କଲେଜରେ ଛାତ୍ର ରାଜନୀତିରେ ସଂପୃକ୍ତ ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ରାଜ୍ୟ ରାଜନୀତିରେ ପାଦ ଥାପି ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି। କଲେଜ ନିର୍ବାଚନକୁ ବନ୍ଦ କରିବା ନିଷ୍ପତ୍ତି ବିରୋଧରେ ଶାସକ ଦଳର ନେତାମାନେ କାହିଁକି ମୁହଁ ଖୋଲୁନାହାନ୍ତି ତାହା ସମସ୍ତଙ୍କୁ ଜଣା ବୋଲି କହିଛନ୍ତି ବହୁ ପୁରାତନ ଛାତ୍ରନେତା ଓ ବିରୋଧୀ ରାଜନେତା।

ସମ୍ବନ୍ଧିତ ଖବର