ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର/ଅନୁଗୁଳ : ଅନୁଗୁଳରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କଲା ପରେ ବିଜେଡି-ବିଜେପି ବୟାନ ଯୁଦ୍ଧ ଆରମ୍ଭ ହୋଇଛି। କେନ୍ଦ୍ର ମନ୍ତ୍ରୀ ତାଙ୍କ ନିଜ ଜନ୍ମମାଟି ଅନୁଗୁଳ ଓ ଢେଙ୍କାନାଳ ପାଇଁ କ’ଣ କରିଛନ୍ତି ବୋଲି ବିଜେଡି ସାଂସଦ ମହେଶ ସାହୁ ଜବାବ ମାଗିଛନ୍ତି। ଅପରପକ୍ଷରେ ବିଜେପିର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି, ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିବା ବିଜେଡିର ଅସହିଷ୍ଣୁତାର ପ୍ରମାଣ।

ସୋମବାର ଦିନ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଭାବେ ଆପଣ ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ହେଲେ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି? ଆପଣ ମନ୍ତ୍ରୀ ହେବା ଦ୍ୱାରା ଢେଙ୍କାନାଳ-ଅନୁଗୁଳ ଜିଲ୍ଲା କିପରି ଉପକୃତ ହୋଇଛି? ସେହିଭଳି କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏହାର ଉନ୍ନତି ପାଇଁ ଆପଣ ୯ ବର୍ଷରେ କ’ଣ କରିଛନ୍ତି? ଆପଣ ମନ୍ତ୍ରୀ ହୋଇଥିବା ନଅ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଲୋକଙ୍କ ପାଇଁ ରେଳବାଇରେ କୌଣସି ବିକାଶ ହୋଇନାହିଁ। ଏହି ଦୁଇ ଜିଲ୍ଲାରୁ ରେଳବାଇ ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଛି। ତାଳଚେର-ବିମଳାଗଡ଼ ରେଳପଥର ଅଗ୍ରଗତି ହୋଇପାରିଲା ନାହିଁ। ତାଳଚେର ରେଳଷ୍ଟେସନ ଏବେ ବି ଗୁଡସ୍‍ ଷ୍ଟେସନ ହୋଇ ରହିଛି। ଟେଲି ଯୋଗାଯୋଗ ଢେଙ୍କାନାଳର ବିଭିନ୍ନ ଅଞ୍ଚଳ ଓ ଅନୁଗୁଳରେ ବହୁତ ଖରାପ। ବ୍ୟାଙ୍କିଙ୍ଗ୍‌ ସେବା ମଧ୍ୟ ଦୟନୀୟ ଅଟେ। ପରିସ୍ଥିତିକୁ ସୁଧାରିବା ପାଇଁ ମନ୍ତ୍ରୀ ହେବା ପରେ ଆପଣ କ’ଣ କରିଛନ୍ତି?

ଜନ୍ମମାଟିର ବିକାଶ ପାଇଁ କିଛି କରିନାହାନ୍ତି ଧର୍ମେନ୍ଦ୍ର: ମହେଶ
ଧର୍ମେନ୍ଦ୍ରଙ୍କୁ ସମାଲୋଚନା ଅସହିଷ୍ଣୁତାର ପ୍ରମାଣ: ରୁଦ୍ର

ଆପଣ ହେଉଛନ୍ତି ଦେଶର ଶିକ୍ଷା ମନ୍ତ୍ରୀ। ଆପଣ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କେତେ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି? ଆପଣ ଯେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ, ଶିକ୍ଷା ମନ୍ତ୍ରୀ ହେବା ଦ୍ୱାରା ସେହି ଜିଲ୍ଲା କିପରି ଲାଭବାନ ହୋଇଛି? ଆପଣ ଗତ ୯ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ କୌଣସି ନୂଆ ରାଷ୍ଟ୍ରାୟତ ସଂସ୍ଥା (ପିଏସୟୁ) ଆରମ୍ଭ କରିଛନ୍ତି କି? ଆପଣ ପେଟ୍ରୋଲିୟମ ମନ୍ତ୍ରୀ ହୋଇଥିଲେ ମଧ୍ୟ ଢେଙ୍କାନାଳକୁ ଗୋଟିଏ ପିଏସ୍‌ୟୁ ଆଣିଛନ୍ତି କି? ଢେଙ୍କାନାଳ-ଅନୁଗୁଳ ଅଞ୍ଚଳରେ ଲୋକମାନେ ଏମ୍‌ସିଏଲ ଓ ନାଲ୍‍କା ପାଇଁ ଜମି ହରାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚାକିରି ମିଳି ନାହିଁ। ଆପଣ ସେମାନଙ୍କ ପାଇଁ କ’ଣ କରିଛନ୍ତି? ଏମସିଏଲ୍‍ ତାଳଚେରରେ ଦୁର୍ନୀତି ହେଉଛି। ଏଥି ପ୍ରତି କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏହାକୁ ରୋକିବା ପାଇଁ ଆପଣ କ’ଣ କରୁଛନ୍ତି? ଆପଣଙ୍କର ପ୍ରତିବଦ୍ଧତା ମଧ୍ୟପ୍ରଦେଶ ଓ ବିହାର ପାଇଁ, ଯେଉଁଠାରୁ ଆପଣ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଆପଣ ଜନ୍ମ ହୋଇଥିବା ଢେଙ୍କାନାଳ-ଅନୁଗୁଳ ଜିଲ୍ଲାରେ କିଛି କରୁନାହାନ୍ତି। ଯେତେବେଳେ ନିର୍ବାଚନ ଆସେ, ଆପଣ ଏଠାକୁ ରାଜନୀତି କରିବାକୁ ଆସନ୍ତି ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ମହେଶ ସାହୁଙ୍କ ସାମ୍ବାଦିକ ସମ୍ମିଳନୀର କିଛି ସମୟ ଭିତରେ ବିଜେପି ନେତା ଶ୍ରୀ ପାଣି ଏକ ପ୍ରେସ୍‌ ବିବୃତି ଜାରି କରି ଏହାର ଜବାବ ରଖିଥିଲେ। ସେ କହିଥିଲେ, ସାଂସଦ ଶ୍ରୀ ସାହୁ ଓ ବିଜେଡି ଅସହିଷ୍ଣୁତାର ଶୀର୍ଷରେ ପହଞ୍ଚିଛନ୍ତି। ପାର୍ଟି ଛାଡ଼ି ସେ ପ୍ରଥମେ ମାଟି କଥା ଚିନ୍ତା କରନ୍ତୁ। ଶ୍ରୀ ସାହୁଙ୍କୁ ବିଜେଡି ଆଜି ପର୍ଯ୍ୟନ୍ତ ଗୁରୁତ୍ୱ ଦେଉ ନଥିଲା। ଏବେ ବୋଧେ ଗୁରୁତ୍ୱ ଦେବାରୁ ଅନୁଗୁଳ-ଢେଙ୍କାନାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହୋଇଥିବା ବିକାଶକୁ ଦେଖି ସେ ଜାଣି ଅଜଣା ଭଳି ହେଉଛନ୍ତି। ୨୦୧୯ ମସିହାରେ ବିଜେଡି ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଲୋକସଭା ଟିକେଟ ଦେଇଥିଲା। ମାତ୍ର ଲୋକସଭା ନିର୍ବାଚନରେ ସେ ପାଲଲହଡା ବିଧାନସଭା ଆସନରୁ ପାଇଥିବା ଭୋଟ୍‌ ତୁଳନାରେ ଲୋକସଭା ଆସନରେ କାହିଁକି ପଛରେ ରହିଲେ ? ନିଜ ଜନ୍ମମାଟିର ବିକାଶ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ୧୭ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ହେଉଛି। ୧୧ ହଜାର ୮୪୩ କୋଟି ବ୍ୟୟରେ ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ରର ସମ୍ପ୍ରସାରଣ ହୋଇଛି। ୫୦୦ କୋଟି ଟଙ୍କାରେ ତାଳଚେର ମେଡିକାଲ କଲେଜର ନୂତନ ଭବନ ନିର୍ମାଣ ହୋଇଛି। ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନ, ଅନୁଗୁଳ-ସୁକିନ୍ଦା ନୂଆ ଲାଇନ୍‌, ସମ୍ବଲପୁର-ତାଳଚେର ରେଳଲାଇନ୍‌ର ଦୋହରୀକରଣ, ଅନୁଗୁଳରୁ ବଳରାମ କୋଇଲା ଖଣିକୁ ରେଳ ସଂଯୋଗ ସହ ରେଳ ଭିତ୍ତିଭୂମିକୁ ମଜଭୁତ କରାଯାଇଛି। ଅନୁଗୁଳ ଜିଲ୍ଲାରେ ଚାରି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦ୍ୟମରେ ସଫଳ ହୋଇଛି। ଖାଲି ସେତିକି ନୁହେଁ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଆଦର୍ଶ ରେଳ ଷ୍ଟେସନ୍‌, ବିପିସିଏଲ୍‌ କମନ ୟୁଜର୍‌ ଫେସିଲିଟି, ଜୋରନ୍ଦାକୁ ଜଳ ଯୋଗାଣ ପାଇଁ ପ୍ରାୟ ୧୫ କୋଟି ଦେବାର ବ୍ୟବସ୍ଥା କରାଇଛନ୍ତି। ସାରା ଓଡ଼ିଶା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିକାଶ ପୁରୁଷ, ପ୍ରଗତିର ସାରଥୀ, ଉଜ୍ଜ୍ୱଳା ମ୍ୟାନ୍‌ କହୁଥିଲା ବେଳେ ସାଂସଦ ଶ୍ରୀ ସାହୁ ଶଙ୍ଖ ଭବନରେ ତାଙ୍କ ପ୍ରତି ଏଭଳି ଟିପ୍ପଣୀ ଦେବା ହାସ୍ୟାସ୍ପଦ।

ସମ୍ବନ୍ଧିତ ଖବର