ବାଲ୍ୟ ବିବାହ ଆଇନକୁ ମାନୁନାହାନ୍ତି: ୧୨ ଡେଇଁଲେ ବାହାଘର

ପୁଣି ବା‌ହା ହୋଇଗଲେ ୬ ଆଦିବାସୀ ସ୍କୁଲ୍ ଛାତ୍ରୀ, ଜଞ୍ଜାଳମୁକ୍ତ ହେବାକୁ ପରିବାର ମୁଖ୍ୟଙ୍କ ଅଲୋଡ଼ା ନିଷ୍ପତ୍ତି

କାଳିଆପାଣି : ଏଠି କନ୍ୟା​ ସନ୍ତାନକୁ ପରିବାର ଉପରେ ବୋଝ ବୋଲି ମନେ କରାଯାଉଛି। ​ସଚେତନତା କାର୍ଯ୍ୟକ୍ରମର କାଣିଚାଏ ବି ପ୍ରଭାବ ପଡୁନି। ବାଲ୍ୟ ବିବାହ ଆଇନ୍‌କୁ ଫୁ କରି ଉଡ଼ାଇ ଦିଆଯାଉଛି। ଝିଅର ବୟସ ବାର ବର୍ଷ ଡେଇଁଲେ ହେଉଛି ବାହାଘର। ଜଞ୍ଜାଳ ମୁକ୍ତ ହେବା ପାଇଁ ପରିବାର ମୁଖ୍ୟ ଏଭଳି ଅଲୋଡ଼ା ନିଷ୍ପତ୍ତି ନିଅନ୍ତି। ଘର ପରିବାର ସଂପର୍କରେ ଅଜଣା ଥିବା ନାବାଳିକାଟି ଯେତେବେଳେ ସନ୍ତାନକୁ ଜନ୍ମ ଦେଉଛି ସେମାନେ ପୁଷ୍ଟିହୀନତା ସହ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର କାଳିଆପାଣି ଅଞ୍ଚଳର ଏହି ପରମ୍ପରା ଅନେକଙ୍କୁ ଆନ୍ଦୋଳିତ କରୁଛି।
ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଞ୍ଚଳରେ ଗତ ୩ ବର୍ଷ ମଧ୍ୟରେ ଶତାଧିକ ବାଲ୍ୟ ବିବାହ ହୋଇଛି। ଗତ ୪ ମାସ ମଧ୍ୟରେ ଅଷ୍ଟମ ଶ୍ରେଣୀର ୬ ଆଦିବାସୀ ଛାତ୍ରୀ ବିବାହ କରିଥିବା ସୂଚନା ମିଳିଛି। ସେ ମଧ୍ୟରେ ଚିଙ୍ଗୁଡ଼ିପାଳ ପଞ୍ଚାୟତରେ ୪ଜଣ, କାଳିଆପାଣି ଓ ରାଁସୋଳ ପଞ୍ଚାୟତରେ ଜଣେ ଲେଖାଏଁ ନାବାଳିକା ଅଛନ୍ତି। ଅଶୋକଝର ଜୁଆଙ୍ଗ ବସ୍ତିର ଜଣେ ନାବାଳିକା କଅଁସ ପଞ୍ଚାୟତ ଟିକରପଡ଼ା ଗାଁରେ ବାହା ‌ହୋଇଛନ୍ତି।

ଏହି ଗାଁର ଜଣେ ସାବାଳିକାଙ୍କ ଟିକରପଡ଼ାରେ ବିବାହ ପାଇଁ ସ୍ଥିର ହୋଇଥିଲା। ଏହି ସମୟରେ ବରପକ୍ଷର ଜଣେ ସଂପର୍କୀୟ ପାଇଁ କନିଆ ଖୋଜା ଚାଲିଥିଲା। ଯୁବତୀ ଜଣକ ବାହା ହେବାକୁ ଯିବା ସମୟ ସାଥୀରେ ସଂପୃକ୍ତ ନାବାଳିକାଙ୍କୁ ନେଇ ଯାଇଥିଲେ।​ ଟିକରପଡାରେ ନାବାଳିକାଙ୍କ ବାହାଘର ହୋଇଗଲା। ଏ ବର୍ଷ ଚିଙ୍ଗୁଡ଼ିପାଳ ଆଶ୍ରମସ୍କୁଲରୁ ଅଷ୍ଟମ ପାସ୍ କରିଥିବା ରୁଗୁଡ଼ିସାହିର ଜଣେ ନାବାଳିକା ଗତ ମେ’ ମାସରେ କାଙ୍କଡ଼ପାଳ ପଞ୍ଚାୟତ ପନାସିଆରେ ବାହା ହୋଇଛନ୍ତି। ବେଣାଗାଡ଼ିଆ ଯୁବଶକ୍ତି ନୋଡାଲ ଉପ୍ରା ସ୍କୁଲରୁ ଅଷ୍ଟମ ପାସ୍ କରିଥିବା ପୋଡ଼ାହରା ଗାଁର ଜଣେ ନାବାଳିକା ଗତ ଏପ୍ରିଲ ମାସରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ପାଖ କଣ୍ଟାପାଳ ଗାଁରେ ବାହା ହୋଇଛନ୍ତି। କଙ୍କଡ଼ା‌ଗୋଡ଼ି ଗାଁର ଜଣେ ଛାତ୍ରୀ ଏବର୍ଷ ଦେଓଗାଁ ଉଚ୍ଚପ୍ରାଥମିକ ସ୍କୁଲରୁ ଅଷ୍ଟମ ପଢ଼ା ସାରିବା ପରେ ଗତ ଏପ୍ରିଲ ୧୭ ତାରିଖ ସୁକିନ୍ଦା ଥାନା ଅନ୍ତର୍ଗତ ରାଙ୍କିଆ ଗାଁରେ ବିବାହ କରିଛନ୍ତି।

ସେହିପରି କାଳିଆପାଣି ବିର୍ସାନଗର ବସ୍ତିର ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀ ଗତ ନଭେମ୍ବର ମାସରେ ଚିରିଗୁଣିଆରେ ବାହା ହୋଇଛନ୍ତି। ବାହାଘର ପରେ ଏହି ଛାତ୍ରୀ ଜଣକ ସ୍କୁଲ ଯାଉଥିବା କହିଥିଲେ। କଲରଙ୍ଗି ୟୁଜିଏମ୍‌ଇ ସ୍କୁଲରୁ ଅଷ୍ଟମ ପାସ କରିଥିବା ପାଖ ଗାଁର ଜଣେ ଛାତ୍ରୀ ଗତ ମାର୍ଚ୍ଚମାସରେ କୁମାରଡି ଗାଁରେ ବ‌ାହା ହୋଇଛନ୍ତି। ପୂର୍ବରୁ ଗତ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଅନ୍ୟ ୪ ଜଣ ବାଲ୍ୟ ବିବାହ‌ରେ ଛନ୍ଦି ହୋଇଥିଲେ। ବାଲ୍ୟବିବାହର ଗଡ଼ କୁହାଯାଉଥିବା କାଳିଆପାଣି ଖଣିଅଞ୍ଚଳରେ ଚଳିତ ବର୍ଷ ୧୦ ଟି ବାଲ୍ୟ ବିବାହ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ୨୦୨୧ ମସିହାରେ ପ୍ରଶାସନ ୪ଟି ବାଲ୍ୟ ବିବାହକୁ ରୋକିଥିଲା। ହେଲେ ପର ମୁହୂର୍ତ୍ତରେ ସେମାନଙ୍କ ବିବାହ ଧୁମ୍‌ଧାମ୍‌ରେ ହୋଇଥିଲା।

ଏ ସଂପର୍କରେ ସୁକିନ୍ଦା ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରେ ଏହି ୬ ଛାତ୍ରୀଙ୍କ ବିବାହ ସଂପର୍କରେ କୌଣସି ସୂଚନା ନଥିବା କହନ୍ତି। ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି) ଅଧ୍ୟକ୍ଷା ରେକ୍ସୋନା ଜେନାଙ୍କୁ ପଚାରିବାରେ ଏହି ପ୍ରସଙ୍ଗ ସମ୍ବେଦନଶୀଳ ଓ ଚିନ୍ତାଜନକ ବୋଲି ଦର୍ଶାଇବା ସହ ସାମାଜିକ ସଚେତନତା ଉପରେ ସେ ଗୁରୁତ୍ବଦେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର