ଖସୁଛି ପାରଦ, ଜନଜୀବନ ଅସ୍ତବ୍ୟସ୍ତ; ଖୋଲା ଆକାଶତଳେ ରାତି କାଟୁଛନ୍ତି ନିରାଶ୍ରୟ

ରାଉରକେଲା: ଜିଲ୍ଲାରେ ପାରଦ ଖସିବାରେ ଲାଗିଛି। ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷକରି ବାତ୍ୟାଜନିତ ଅଦିନିଆ ବର୍ଷା ପରେ ଗତ ପାଞ୍ଚ ଦିନ ହେଲା ତାପମାତ୍ରା ଆଖିଦୃଶିଆ କମିଛି। ଇତିମଧ୍ୟରେ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ତଳକୁ ଖସିଲାଣି। ଆଗାମୀ ଦିନରେ ତାପମାତ୍ରା ଆହୁରି କମିବା ସହ ପ୍ରବଳ ଶୀତ ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଗୁରୁବାର ଜିଲ୍ଲାର ତାପମାତ୍ରା ୧୦.୬ ଡିଗ୍ରିକୁ ଖସିଥିଲା। କେବଳ ଗତ ୭ ତାରିଖ(୧୫ ଡିଗ୍ରି)କୁ ବାଦ୍‌ ଦେଲେ ଚଳିତ ଡିସେମ୍ବରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହିଥିଲା। ତେବେ ଗତ ୧୦ ତାରିଖରୁ ଏହା ହ୍ରାସ ପାଇବାରେ ଲାଗିଛି। ଗତ ୧୦ ତାରିଖରେ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଥିବାବେଳେ ୧୧ ତାରିଖରେ ୧୩ ଡିଗ୍ରି, ୧୨ରେ ୧୧ ଡିଗ୍ରି ଓ ୧୩ ତାରିଖରେ ୧୧.୨ ଡିଗ୍ରି ରହିଛି। ରାଉରକେଲାରେ ମଧ୍ୟ ତାପମାତ୍ରା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରହିଥିଲା। ତେବେ ଗତ ତିନିଦିନ ଅର୍ଥାତ୍‌ ୧୩, ୧୨ ଓ ୧୧ ତାରିଖରେ ଯଥାକ୍ରମେ ୧୩.୫ ଡିଗ୍ରି, ୧୨.୭ ଡିଗ୍ରି ଓ ୧୨.୮ ଡିଗ୍ରି ରହିଥିଲା।
ଉଲ୍ଲେଖଯୋଗ୍ୟ, ଆର୍‌ଏସ୍‌ପି ପକ୍ଷରୁ କାରଖାନା ପରିସରରେ ତାପମାତ୍ରା ରେକର୍ଡ କରାଯାଇଥାଏ। ଏଣୁ କାରଖାନା ଭିତରର ତାପମାତ୍ରା ସାଧାରଣତଃ ସହରାଞ୍ଚଳରୁ ୧ ଡିଗ୍ରି ଅଧିକ ରହିଥାଏ। ପ୍ରବଳ ଶୀତ ସହରବାସୀଙ୍କ ଦୈନନ୍ଦିନ ଜୀବନଯାପନକୁ ବହୁମାତ୍ରାରେ ପ୍ରଭାବିତ କଲାଣି। ଦିନରେ ବି ଶୀତ ଅନୁଭୂତ ହେଉଥିବାବେଳେ ସନ୍ଧ୍ୟା ହେବାମାତ୍ରେ ଏହା ଦ୍ବିଗୁଣିତ ହେଉଛି। ଅପରପକ୍ଷରେ ବସଷ୍ଟାଣ୍ଡ୍‌, ରେଲୱେ ଷ୍ଟେସନ, ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ, ଦୋକାନ ବଜାର ସମ୍ମୁଖରେ ଆଶ୍ରୟ ନେଉଥିବା ବେସାହାରାଙ୍କ ଜୀବନ ଦୁର୍ବିସହ ହେଲାଣି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏମାନଙ୍କୁ ଉଦ୍ଧାରକରି ରାତ୍ରୀ ଆଶ୍ରୟସ୍ଥଳକୁ ନିଆଯାଉନଥିବାରୁ ଖୋଲା ଆକାଶ ତଳେ ରାତି କାଟୁଥିବା ଦେଖିବାକୁ ମିଳୁଛି।
ସମ୍ବନ୍ଧିତ ଖବର