ସରିଲା କଂଗ୍ରେସର କ୍ୟାଡର ଚୟନ, ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିରଞ୍ଜନଙ୍କ ଆହ୍ବାନ

ଭୁବନେଶ୍ବର : କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାକୁ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ କ୍ୟାଡର ଚୟନ କରାଯାଇଛି। ଏଥିପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ପ୍ରେରକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ନିଖିଳ ଭାରତ କଂଗ୍ରେସ ପ୍ରଶିକ୍ଷଣ ଇନଚାର୍ଜ୍ ସଚିନ୍ ରାଓ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସକ୍ରିୟ କର୍ମୀଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ସମସ୍ତ ନିଷ୍ଠାର ସହ କାର୍ଯ୍ୟ କଲେ କଂଗ୍ରେସ ସୁଦୃଢ଼ ହୋଇପାରିବ। ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶକୁ ପାଥେୟ କରି ସମସ୍ତେ ମତାନ୍ତରକୁ ଭୁଲି ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହାସହିତ ସାମ୍ପ୍ରତିକ ପରିସ୍ଥିତିରେ ଦେଶରେ ଘଟୁଥିବା ଘଟଣାବଳୀ ବିଷୟରେ ଯେଭଳି ଲୋକମାନେ ପ୍ରକୃତ ସତ୍ୟ ଉପଲବ୍ଧି କରିପାରିବେ, ସେ ସମ୍ପର୍କରେ ସମସ୍ତ କଂଗ୍ରେସ କର୍ମୀ ଲୋକମାନଙ୍କୁ ଅବଗତ କରାଇବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।

ଏଆଇସିସି ପ୍ରଶିକ୍ଷଣ ଇନଚାର୍ଜ୍ ଶ୍ରୀ ରାଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସକ୍ରିୟ ନେତୃବୃନ୍ଦଙ୍କ ସହ ଜଣଜଣ କରି ସଂଗଠନ ବିଷୟରେ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ(କନିଷ୍ଠ), ଦୀପକ କୁମାର ସାହୁ, ସତ୍ୟସ୍ମିତ ମହାନ୍ତି, ବିଜୟାନନ୍ଦ ଚାଉଳିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର