ସ୍ବାମୀଙ୍କ ଶବାଧାର ପଛରେ ବାହାରିଥିବା ପତ୍ନୀ ବି ଶବ ପାଲଟିଗଲେ

ବେଲଗୁଣ୍ଠା: ସ୍ବାମୀଙ୍କ ଶବାଧାର ପଛରେ ପରମ୍ପରା ଅନୁସାରେ ହାଣ୍ଡିଚଟୁ ନେଇ ବାହାରିଥିବା ପତ୍ନୀ ବି ଶବ ପାଲଟିଗଲେ। ଆଉ ୪ ଘଣ୍ଟା ବ୍ୟବଧାନରେ ଦମ୍ପତି ଡକାଡକି ହୋଇ ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ପାଖରେ ଜଳିଲା ପତ୍ନୀଙ୍କ ଜୁଇ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ବରପଲ୍ଲୀ ଗ୍ରାମରେ ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିପକାଇଛି। ବରପଲ୍ଲୀ ଗ୍ରାମର ଦେବରାଜ ମହାପାତ୍ର (୬୨) ଦରଜି ଭାବେ କାମ କରୁଥିବା ବେଳେ କିଛିଦିନ ହେବ ଗ୍ୟାସ୍‌ଜନିତ ରୋଗରେ ପୀଡ଼ିତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ଭୋର୍ ସାଢ଼େ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା। ଆଉ ଶବକୁ ଘରକୁ ଅଣାଯାଇିଲା।
ତେବ‌େ ଦେବରାଜଙ୍କ ଦୁଇପୁଅ ସୁରତରେ କାମ କରୁଥିବାରୁ ତାଙ୍କ ସାନଭାଇ ସୁନୀଲ ଓ ଦୁଇ ପୁତୁରା କାଳିଆ ଏବଂ ଅରୁଣ ଅନ୍ତିମ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ସକାଳ ୧୦ଟା ବେଳେ ଘର ଆଗରୁ ଦେବରାଜଙ୍କ କୋକେଇ ଉଠି ଶ୍ମଶାନ ଅଭିମୁଖେ ବାହାରିଥିଲା। ପଛରେ ପତ୍ନୀ ସଞ୍ଜୁଲତା ମହାପାତ୍ର (୫୭) ହାଣ୍ଡିଚଟୁ ନେଇ ବାହାରିପଡ଼ିଥିଲେ। କିନ୍ତୁ ହଠାତ୍ ସଞ୍ଜୁଲତା ଚାଲି ନପାରି ବସିପଡ଼ିଥିଲେ। ଦେବରାଜଙ୍କ ଶବକୁ ଶ୍ମଶାନ ଅଭିମୁଖେ ନିଆଯାଇଥିବା ବେଳେ ସଞ୍ଜୁଲତାଙ୍କୁ ଅନ୍ୟମାନେ ଘରକୁ ନେଇଥିଲେ। ସେପଟେ ଶ୍ମଶାନରେ ଦେବରାଜଙ୍କୁ ତାଙ୍କ ପୁତୁରା ମୁଖାଗ୍ନି ଦେବା ପରେ ଅନ୍ତିମ ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଏହି ସମୟରେ ସଞ୍ଜୁଲତାଙ୍କ ମୃତ୍ୟୁ ଖବର ପହଞ୍ଚିବା କ୍ଷଣି ସମସ୍ତେ ଅବାକ୍ ପାଲଟିଯାଇଥିଲେ।
ସଂଗେ ସଂଗେ ଦେବରାଜଙ୍କ ଜୁଇ ପାର୍ଶ୍ବରେ ହିଁ ସଞ୍ଜୁଲତାଙ୍କ ପାଇଁ ଜୁଇ ଯୋଗାଡ଼ ହୋଇଥିଲା। ଦେବରାଜଙ୍କ ଜୁଇ ସହ ସଞ୍ଜୁଙ୍କ ଜୁଇ ମଧ୍ୟ ଜଳିଥିବା ବେ‌ଳେ ତାଙ୍କ ଦିଅର ସୁନିଲ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ଶ୍ମଶାନରେ ଗ୍ରାମବାସୀଙ୍କ ପ୍ରବଳ ଭିଡ଼ ଜମିଥିବା ସହ ସମସ୍ତଙ୍କୁ ଆଖିରୁ ଲୁହ ବହିଯାଇଥିଲା।
‘ଦେବରାଜ ଓ ସଞ୍ଜୁଲତାଙ୍କ ଭିତରେ କେବେ ମଧ୍ୟ ମନୋମାଳିନ୍ୟ ହେଉ ନଥିଲା। ଉଭୟ ବେଶ୍ ଖୁସି ଥିଲେ। ସାତଜନ୍ମର ଜୀବନସାଥୀ ହେବାକୁ ପଣ କରି ଉଭୟ ଏକାଠି ଚାଲିଗଲେ’ ବୋଲି ଗ୍ରାମବାସୀ କହିଥିଲେ। ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ସ୍ବେଚ୍ଛାସେବୀ ଶରତ ସ୍ୱାଇଁ ଓ ଅରୁଣ ମହାପାତ୍ର ପ୍ରମୁଖ ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ସମ୍ବନ୍ଧିତ ଖବର