ଜାତୀୟ ରାଜପଥ ନେଲା ପୁଣି ୨ ଜୀବନ, ଦୁର୍ଘଟଣାରେ ଦମ୍ପତି ମୃତ

ଅନୁଗୁଳ : ଅନୁଗୁଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କରଡ଼ାଗାଡ଼ିଆ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପତି-ପତ୍ନୀ ପ୍ରାଣ ହରାଇଛନ୍ତି। ରବିବାର ଅପରାହ୍ଣରେ ଏହି ଦମ୍ପତି ଏକ ବାଇକ୍‌ରେ ବଡ଼କେରା ପଟରୁ ଅନୁଗୁଳ ସହର ଆଡ଼କୁ ଆସୁଥିଲାବେଳେ ପେଟ୍ରୋଲ ପମ୍ପ ଆଗରେ ଦୁଇ ଟ୍ରକ୍‌ ଭିତରେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ ବଡ଼କେରା ନିକଟସ୍ଥ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ଓ ତାଙ୍କ ପତ୍ନୀ ମମତା। ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ୫୫ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯିବାରୁ ଲୋକମାନେ ହଇରାଣରେ ପଡ଼ିଥିଲେ।

ବନ୍ତଳା ଥାନା ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ଓ ତାଙ୍କ ପତ୍ନୀ ମମତା ଏକ ବାଇକ୍‌ରେ ଗାଁରୁ ଅନୁଗୁଳକୁ ଆସୁଥି​​ଲେ। ଅନୁଗୁଳ ସହରର ଏକ ହ​​ଷ୍ଟେଲରେ ତାଙ୍କ ଏକମାତ୍ର ପୁଅ ପଢ଼ୁଥିବାରୁ ତାକୁ ଦେଖିବା ପାଇଁ ସେମାନେ ଆସୁଥିଲାବେଳେ ଜାତୀୟ ରାଜପଥରେ ଏକ ଟ୍ରକ୍‌ (ଓଡି-୩୫-ଡି-୬୩୩୯) ତାଙ୍କୁ ପଛରୁ ଧକା ଦେଇଥିଲା। ଫଳରେ ଆଗରେ ଯାଉଥିବା ଏକ ଟ୍ରକ୍‌ ସହ ସେମାନେ ବାଡ଼େଇ ହୋଇ ମଝିରେ ଚାପି ହୋଇଯାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଉଭୟେ ପ୍ରାଣ ହରାଇଥିଲେ। ଏହାପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ୫୫ ନମ୍ବର ଭୁବନେଶ୍ବର-ସମ୍ବଲପୁର ଜାତୀୟ ରାଜପଥ ଅବରୋଧ କରି ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଅପରାହ୍ଣ ୪ଟାରୁ ରାସ୍ତା ଅବରୋଧ ହୋଇ ହଜାର ହଜାର ଗାଡ଼ି ଅଟକି ରହିଥିଲା। ଏଥିପାଇଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସହରର ଟ୍ରାଫିକ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇପଡ଼ିବାରୁ ସହର ଉପକଣ୍ଠ ଗାଁର ଲୋକମାନେ ଘରକୁ ଫେରିପାରିନଥିଲେ। ଅନୁଗୁଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବା ପରେ ବିଳମ୍ବିତ ରାତିରେ ରାସ୍ତାରୋକ ହଟିଥିଲା।

ଏପଟେ ଗତକାଲି ଏହି ଜାତୀୟ ରାଜପଥରେ ଏକ ଦୁର୍ଘଟଣା ହୋଇ ଜଣେ ଶ୍ରମିକ ପ୍ରାଣ ହରାଇଥି​ଲେ। ନାଲ୍‌କୋ ମୁଖ୍ୟ ଗେଟ୍‌ ସମ୍ମୁଖରେ ଏହି ଦୁର୍ଘଟଣା ହୋଇଥିଲା। ଆଜି ପୁଣି ଏକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ତ୍ରୀବ୍ର ହୋଇଛି। ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ବିଳମ୍ବିତ ହେଉଥିବାରୁ ଏବଂ ସହର ପାଇଁ ନିର୍ମାଣ ହୋଇଥିବା ବାଇପାସ୍‌ କାମ ସରୁ ନ ଥିବାରୁ ଏମିତି ଦୁର୍ଘଟଣା ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର