ସମ୍ବଲପୁର ସିଟି ରେଳ ଷ୍ଟେସନ୍‌ରେ ଏନ୍‌କାଉଣ୍ଟର୍‌: ପୁଲିସ ଗୁଳି ଚୋଟରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସମ୍ବଲପୁର: ସୋମବାର ଭୋର୍‌ ପ୍ରାୟ ୫: ୨୦ ମିନିଟ୍‌ରେ ସିଟି ରେଳବାଇ ଷ୍ଟେସନ୍‌ରେ ପୁଲିସ ସହ ଗୁଳିବିନିମୟ କରି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା କଥା ସମ୍ବଲପୁର ପୁଲିସର ଜନସମ୍ପର୍କ ଅଧିକାରୀ କହିଛନ୍ତି।

ଆହତ ଅପରାଧୀ ହେଉଛି ୩୨ ବର୍ଷିୟ ମୁସିମ୍‌ ଅଖତାର୍‌ ଓରଫ୍‌ ବିଟ୍ଟୁ।

ସିଟି ରେଳବାଇ ଷ୍ଟେସନ୍‌ ଅଞ୍ଚଳରେ ଦୁଇ ଜଣ ଅପରାଧୀ ଥିବା କଥା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ସ୍ପେସାଲ୍‌ ସ୍କ୍ଵାଡ୍‌ ଓ ଧନୁପାଲି ପୁଲିସ ତୁରନ୍ତ ସେଠାରେ ଚଢ଼ାଉ କରିଥିଲେ। ପୁଲିସ ଦଳଙ୍କୁ ଦେଖି ବିଟ୍ଟୁ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ନିୟନ୍ତ୍ରଣ ଓ କଟକଣା ସହ ଗୋଟିଏ ରାଉଣ୍ଡ୍‌ ଗୁଳି ଚଳାଇଥିଲା। ସେ ଗୁଳିଟି ବିଟ୍ଟୁର ଡାହଣ ଗୋଡ଼ରେ ବାଜିଥିଲା।

ଆହତ ବିଟ୍ଟୁକୁ ଗିରଫ କରିବା ପରେ ପୁଲିସ ଘଟଣାସ୍ଥଳରୁ ଗୋଟାଏ ୯ଏମ୍‌ଏମ୍‌ ପିସ୍ତଲ୍‌, ଗୋଟିଏ ଅଫୁଟାଗୁଳି, ଗୋଟିଏ ଫୁଟିଥିବା ଗୁଳିର ଖୋକା, ଗୋଟିଏ ମୋବାଇଲ୍‌ ଫୋନ୍‌ ଏବଂ ନଗଦ ୪ ହଜାର ଟଙ୍କା ଜବତ୍‌ କରିଛି।

ଅନ୍ୟ ଅପରାଧୀଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ସମର୍ଥ ହୋଇଛି। ତାକୁ ଧରିବା ନିମନ୍ତେ ପୁଲିସ ଉଦ୍ୟମ ଚାଲୁ ରଖିଛି।

ଚିକିତ୍ସା ନିମନ୍ତେ ଆହତ ବିଟ୍ଟୁକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଟ୍ଟୁ ନାମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି।

ଏହି ଏନ୍‌କାଉଣ୍ଟର୍‌ ସମୟରେ ସାମାନ୍ୟ ଆହତ ହୋଇଥିବା ଜଣେ ଏଏସ୍‌ଆଇ ମଧ୍ୟ ସେଠାରେ ଚିକିତ୍ସିତ ହୋଇଛନ୍ତି।

ସମ୍ବନ୍ଧିତ ଖବର