୨୦ ତାରିଖ ଯାଏ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

ଇରା, ଅନନ୍ୟା, ଶୀତଲଙ୍କୁ ନେଇ ଜମିଲା ମଞ୍ଚ, ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା, ସଂସ୍କୃତି ବିଭାଗ ଜାରି କଲା ବିଜ୍ଞପ୍ତି

କଟକ : ତୃତୀୟ ଦିନରେ ପହଞ୍ଚିଛି କଟକର ଐତିହାସିକ ବାଲିଯାତ୍ରା। ଦିନକୁ ଦିନ ଭିଡ ବଢିବା ସହ ବେପାର ବି ଜମୁଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅର୍ଥାତ ଦ୍ବିତୀୟ ଦିନରେ କେବଳ ଓରମାସ ପରିସରରେ ୫୯ ଲକ୍ଷ ୯୪ ହଜାର ୨୩୦ ଟଙ୍କାର କିଣାବିକା ହୋଇଛି। ପ୍ରଥମ ଦିନ ଏହି ପରିମାଣ ଥିଲା ୧୫ ଲକ୍ଷ ୫୨ ହଜାର ୩୫୦ ଟଙ୍କା। ଆଜି ତୃତୀୟ ଦିନର ହିସାବ ଆସନ୍ତାକାଲି ମିଳିବାକୁ ଥିବା ବେଳେ ଏହି ପରିମାଣ ବଢିଥିବା ଆୟୋଜକ ସୂଚନା ଦେଇଛନ୍ତି। ତଳ ପଡିଆର କେବଳ ଓରମାସ ଭିତରେ ଏଭଳି ବେପାର ହୋଇଥିବା ବେଳେ ପୂରା ପଡିଆରେ ‌ବ୍ୟବସାୟ ପରିମାଣ ଅଢେଇ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଅନ୍ୟପଟେ ବାଲିଯାତ୍ରା ଆସନ୍ତା ୨୦ ତାରିଖ, ବୁଧବାର ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନୀ ଉତ୍ସବରେ ଦୁଇ ଦିନ ବାଲିଯାତ୍ରା ବଢାଇବାକୁ ପରାମର୍ଶ ଦେଇଥିବା ବେଳେ ବିଭିନ୍ନ ଦିଗକୁ ତର୍ଜମା କରି ଜିଲ୍ଲା ପ୍ରଶାସନ ଆଜି ଏଭଳି ଘୋଷଣା କରିଛି।

ଆଜି ତୃତୀୟ ଦିନରେ ସକାଳେ ଆୟୋଜିତ ପଥୋତ୍ସବ କାର୍ଯ୍ୟକ୍ରମରେ ବିଜ୍ଞାନ ମେଳା ଆୟୋଜନ ହୋଇଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.‌ଜାଭେରି ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ‌ଶର୍ମା ଯୋଗ ଦେଇଥିଲେ।

ଆଜି ଭଜନ, ଲଉଡି ଖେଳ, ସଂକୀର୍ତ୍ତନ, ସଂଗୀତ, ନୃତ୍ୟ, ବାଦ୍ୟ, ନାଭାଲ ଡ୍ରମ, ବରିଷ୍ଠ ନାଗରିକ ମହାସଭା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହାନଦୀ ରିଂ ବନ୍ଧରେ ରୋଲ୍ ବଲ୍ ମ୍ୟାଚ ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଆଜି କଣ୍ଠଶିଳ୍ପୀ ଇରା ମହାନ୍ତି, ଇଣ୍ଡିଆନ୍ ଆଇଡଲ୍ ଅନନ୍ୟା ଶ୍ରୀତମ ନନ୍ଦ, ଶୀତଲ ପରିଡାଙ୍କ କାର୍ଯ୍ୟକ୍ରମ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଥିଲା। ଦେଶ ବିଦେଶର ଅନ୍ୟ ପାରଂପରିକ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ମଞ୍ଚରେ ଦେଖିବାକୁ ମିଳିଥିଲା। ଆସନ୍ତାକାଲି କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ ରହିଛି।

ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା, ସଂସ୍କୃତି ବିଭାଗ ଜାରି କଲା ବିଜ୍ଞପ୍ତି
କଟକ : କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ଦେବା ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି (ନଂ ଓଏଲଏଲସି-ଓଇ-୧-ମିସ୍ ୦୦୨୫-୨୦୧୯/୩୭୫୧, ନଭେମ୍ବର ୧୪, ୨୦୧୯) ଜାରି କରାଯାଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶାର ସାଂସ୍କୃତିକ ଚେତନାର କେନ୍ଦ୍ରବିନ୍ଦୁ ତଥା ପ୍ରାଚୀନ ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟ ଓ ସାମାଜିକ ଜୀବନ ଧାରା ସହିତ ଜଡିତ କଟକର ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିବା ବେଳେ ଏହାକୁ ଗ୍ରହଣ କରାଯାଇଛି ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର