ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର, ବଡ଼ପୁଅ ଦେଲେ ମୁଖାଗ୍ନି

ଭୁବନେଶ୍ବର/ବ୍ରହ୍ମପୁର/ଦିଗପହଣ୍ଡି: ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର(୭୪) ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଗଂଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ମଶାଣୀରେ ରବିବାର ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସୂର୍ଯ୍ୟ ପାତ୍ରଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ତାଙ୍କର ବଡ଼ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ପରିବାରର ଅନ୍ୟ ସଦସ୍ୟ, ସଂପର୍କୀୟ, ବନ୍ଧୁବାନ୍ଧବ, ସମର୍ଥକ, ଶୁଭେଚ୍ଛୁ ଉପସ୍ଥିତ ଥିଲେ। ସେହିପରି ଗଂଜାମ ଜିଲ୍ଲାର ବହୁ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ଏହା ପୂର୍ବରୁ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମରଶରୀରରେ ଛତ୍ରପୁରର ଡିଆରଡିଏ ଛକ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ, ଜନ ପ୍ରତିନିଧି ଏବଂ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବରିଷ୍ଠ ବିଜେଡି ନେତା ବିଶ୍ୱନାଥ ସାହୁ, ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ନଗର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ,ପୂର୍ବତନ କାଉନସିଲର ରାଜେଶ ସାହୁ ଓ କିଶୋର ଚନ୍ଦ୍ର ସେନାପତି, ଯୁବ ନେତା କିଶୋର ବେହେରା, ସରକାରୀ ଓକିଲ ଭୈରବୀ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ସୂର୍ଯ୍ୟନାରାୟଣ ପାତ୍ର ଶନିବାର ଦିନ ସନ୍ଧ୍ୟା ୭ଟା ୩୧ରେ ଭୁବନେଶ୍ବରସ୍ଥିତ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ। ଆଜି ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା, ଲୋକସେବା ଭବନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ମରଶରୀର ବ୍ରହ୍ମପୁର ଅଭିମୁଖେ ବାହାରି ଥିଲା। ବ୍ରହ୍ମପୁରରେ ଶହଶହ ଲୋକ ସୂର୍ଯ୍ୟ ପାତ୍ରଙ୍କ ‌ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ଦିଗପହଣ୍ଡି ନିଆଯାଇଥିଲା। ଦିଗପହଣ୍ଡିରେ ପାର୍ଥିବ ଶରୀର ପହଞ୍ଚିଲା ପରେ ଲୋକାରଣ୍ୟ ଦେଖାଯାଇଥିଲା। ଶ୍ରଦ୍ଧାଞ୍ଜଳି ପରେ ମରଶରୀର ଅନ୍ତିମ ସଂସ୍କାର ପାଇଁ ମଶାଣୀକୁ ନିଆଯାଇଥିଲା।

ସୂର୍ଯ୍ୟ ପାତ୍ର ପ୍ରଥମେ ଜନତା ଦଳ ଓ ପରେ ବିଜେଡିର ଆଗଧାଡ଼ିରେ ନେତା ଭାବେ ଜଣାଶୁଣା ଥିଲେ। ସେ ୧୯୪୮ ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ସ୍ବର୍ଗତ ପାତ୍ରଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଥିଲା। ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ୨୦୦୯ରୁ ସେ ଲଗାତାର ନିର୍ବାଚିତ ହୋଇ ଆସିଛନ୍ତି। ସେହିପରି ମୋହନା ନିର୍ବାଚନମଣ୍ଡଳୀରୁ ମଧ୍ୟ ସେ ୧୯୯୦ରୁ ୪ଥର (୧୯୯୦ରୁ ୨୦୦୯) ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୮୦, ୧୯୮୪ ଓ ୧୯୮୯ରେ ବ୍ରହ୍ମପୁର ଲୋକସଭା ଆସନରୁ ଜନତା ଦଳ ଟି‌କେଟରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ୧୯୯୦ ମସିହାରେ ଜନତା ଦଳ, ସିପିଆଇ ଓ ସିପିଆଇଏମ୍‌ ତ୍ରିଦଳୀୟ ମେଣ୍ଟର ପ୍ରାର୍ଥୀ ହୋଇ ମୋହନା ନିର୍ବାଚନମଣ୍ଡଳୀରୁ ସେ ବିଜୟ ଲାଭ କରିଥିଲେ ଏବଂ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଶ୍ରୀ ପାତ୍ର ୧୨ଥର ବିଭିନ୍ନ ମନ୍ତ୍ରୀ ପଦରେ ରହିବା ପରେ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧିତ ଖବର