ରାଉରକେଲାରେ ଡାଇରିଆ: ୨ ଦିନରେ ୪ ମୃତ

ବିଭିନ୍ନ ହସ୍ପିଟାଲରେ ୨୫୦ରୁ ଅଧିକ ରୋଗୀ ଚିକିତ୍ସାଧୀନ, ପରୀକ୍ଷା ପାଇଁ ଭୁବନେଶ୍ବର ଗଲା ମଳ, ପାଣି ନମୁନା

ରାଉରକେଲା: ରାଉରକେଲା ମହାନଗର ଓ ଏହାର ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି (ଡାଇରିଆ) ବ୍ୟାପିଛି। ଦିନକୁଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଅଣାୟତ୍ତ ହେଉଥିବାରୁ ଏହାର ମୁକାବିଲା କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କସରତ୍‌ ଆରମ୍ଭ ହୋଇଛି। ଶୁକ୍ରବାର ଓ ଶନିବାର ଦୁଇଦିନରେ ୨ ବୃଦ୍ଧା, ଜଣେ ମହିଳାଙ୍କ ସମେତ ମୋଟ ୪ ଜଣ ଏଥିରେ ପ୍ରାଣ ହରାଇଲେଣି। ମୃତକମାନେ ହେଲେ ରାଉରକେଲା ପାନପୋଷର ଗ୍ଲାସନ୍‌ ସାମନ୍ତ (୩୮), ଉଦିତନଗରର ନାନ୍‌ସି ଦୁ‌ବେ (୭୫), ପାନପୋଷ ତରକେରାର ଫୁଲତୋଳି ଗୌଡ଼ (୨୩) ଓ ଉଦିତନଗର ଓରାମପଡ଼ାର ଅହଲ୍ୟା ନାୟକ (୭୦)।

ଗତ ୬ ଦିନରେ ମୋଟ ୧୬୭ ଡାଇରିଆ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି ହେଲେଣି। ଏମାନଙ୍କ ମଧ୍ୟରୁ ମାତ୍ର ୬୧ ରୋଗୀ ଭଲହୋଇ ଘରକୁ ଫେରିଛନ୍ତି। ଆର୍‌ଜିଏଚ୍‌ ଛଡ଼ା ସହରର ହାଇଟେକ୍‌ ମେଡିକାଲ କଲେଜ, ରାଜସ୍ଥାନ ସେବାସଦନ, ଇସ୍ପାତ ଜେନେରାଲ ହସ୍ପିଟାଲ, ଜୟପ୍ରକାଶ ଆଦି ବିଭିନ୍ନ ହସ୍ପିଟାଲରେ ୧୫୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଆର୍‌ଜିଏଚ୍‌ରେ ଏକକାଳୀନ ଏତେ ସଂଖ୍ୟକ ଡାଇରିଆ ରୋଗୀ ଭର୍ତ୍ତି ହୋଇଥିବାରୁ ବେଡ୍‌ ମିଳୁନି। କିଛି ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୮୦% ରୋଗୀ ଜଳାପୋଡ଼ା, ଅସ୍ତ୍ରୋପଚାର, ସଂକ୍ରମଣ, ଡେଙ୍ଗୁ ଓ କ୍ୟାବିନ୍‌ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ଦୂଷିତ ପାଣି ନା ବାସି ଖାଦ୍ୟ ଖାଇବାରୁ ଏଭଳି ସ୍ଥିତି ଉପୁଜିଛି, ତାହା ସ୍ପଷ୍ଟ ହୋଇନି।

ୱାଟ୍‌କୋ ପକ୍ଷରୁ ଗତ କିଛିଦିନ ହେଲା ପାଇପ୍‌ରେ ମଇଳା ପାଣି ଆସୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ସହରର ବେଦବ୍ୟାସ, ଇସ୍ପାତ ସହରାଞ୍ଚଳ, ବାସନ୍ତୀକଲୋନି, ଗୋପବନ୍ଧୁପାଲି, ମଧୂସୂଦନପାଲି, ଛେଣ୍ଡକଲୋନି, ଉଦିତନଗର ଗାଢ଼ାଟୋଲା, ମାଲଗୋଦାମ, ପ୍ଲାଣ୍ଟସାଇଟ୍‌, ପାନପୋଷ, ଡେଲିମାର୍କେଟ, ଫର୍ଟିଲାଇଜରର ଲାଠିକଟା, ଉପରବାଲି‌ଯୋଡ଼ି ଓ ଭାଲୁପତ୍ରା ଆଦି ଅଞ୍ଚଳରେ ଆକ୍ରାନ୍ତ ସଂଖା ବଢ଼ି ଚାଲିଛି। ସେହି ଭଳି ଛେଣ୍ଡ ଧାମରା ବସ୍ତି, ନାଲାରୋଡ, ବିରଜାପାଲି, ଫର୍ଟିଲାଇଜର ନବକୃଷ୍ଣନଗର, ବନ୍ଧମୁଣ୍ଡାର ପ୍ରେମନଗର, ଆମ୍ବେଦକର ନଗର, ବନ୍ଧମୁଣ୍ଡା ଡି କ୍ୟାବିନ୍‌ ଆଦି ଅଞ୍ଚଳରେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି।

ସେପେଟ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ୱାଟ୍‌କୋ ଅଧିକାରୀ ସହରର ବିଭିନ୍ନ ଅଞ୍ଚଳରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ବର ଲ୍ୟାବ୍‌କୁ ପଠାଇଛନ୍ତି। ଏଥିସହ ଆକ୍ରାନ୍ତ ରୋଗୀମାନଙ୍କ ମଳ ମଧ୍ୟ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି ବୋଲି ଆର୍‌ଜିଏଚ୍‌ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ କହିଛନ୍ତି। ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଷଦ ଗାଭାଲି ଶୁକ୍ରବାର ଆଭାସୀ ବୈଠକ ଜରିଆରେ ସ୍ଥିତି ସମୀକ୍ଷା କରିଛନ୍ତି।

ରାଜ୍ୟସ୍ତରୀୟ ଟିମ୍ ଯିବ

ଭୁବନେଶ୍ବର: ରାଉରକେଲାର ଡାଇରିଆ ବ୍ୟାପିବା ଓ ମୃତ୍ୟୁ ପରେ ସଜାଗ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଏକ ରାଜ୍ୟସ୍ତରୀୟ ଟିମ୍ ରାଉରକେଲା ଗସ୍ତରେ ଯିବ। ଦୁଇ ଜଣ ଯୁଗ୍ମ ନିର୍ଦ୍ଦେଶକ ପଦବିର ଅଧିକାରୀ ଘଟଣାସ୍ଥଳକୁ ଯିବା ସହିତ ଆରଏମ୍‌ଆରସି ସହ ସମନ୍ବୟ ରକ୍ଷା କରିବେ। ଆଇଜିଏଚ୍‌ ଓ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲାରେ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ସହ ରାଜ୍ୟସ୍ତରୀୟ ଟିମ୍ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦୩ଜଣ ରୋଗୀ ଆଡମିଟ୍‌ ହୋଇଛନ୍ତି। ୪ଟି ମୃତ୍ୟୁର ଖବର ଥିଲେ ହେଁ ଡେଥ୍ ଅଡିଟ୍‌ ହେବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଆବଶ୍ୟକ ଔଷଧ ଓ ସରଞ୍ଜାମ ପଠାଇବାକୁ ସ୍ଥାନୀୟ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ୫୦ଟି ଶଯ୍ୟା ପ୍ରସ୍ତୁତ କରି ରଖିବା ଲାଗି ଆରଜିଏଚ୍‌କୁ ଅନୁରୋଧ କରାଯାଇଛି। ଚିକିତ୍ସା ପାଇଁ ଆରଆରଟି ଓ ମେଡିକାଲ ହେଲ୍‌ଥ ୟୁନିଟ୍‌କୁ ସଜାଗ ରହିବା ଲାଗି କୁହାଯାଇଛି। ଏହାବାଦ ପାଣି ଓ ମଳ ଇତ୍ୟାଦିର ପରୀକ୍ଷା କରିବା ପାଇଁ ସୁନ୍ଦରଗଡ଼ରୁ ଜଣେ ମାଇକ୍ରୋବାୟୋଲୋଜିଷ୍ଟଙ୍କୁ ଘଟଣାସ୍ଥଳକୁ ପଠାଯିବ। ସୁନ୍ଦରଗଡ଼ ମେଡିକାଲ କଲେଜର ଏକ ଟିମ୍‌କୁ ସେଠାକୁ ପଠାଇବାକୁ କୁହାଯାଇଛି। ‌ଏହି ଟିମ୍‌ ଡାଇରିଆ ଓ ଏଥିରେ ହୋଇଥିବା ମୃତ୍ୟୁର କାରଣ ଖୋଜିବା ସହିତ ଚିକିତ୍ସାରେ ସହଯୋଗ କରିବେ।

ସେହିପରି ସଂକ୍ରମଣର ଉତ୍ସ କ’ଣ ତାହା ଖୋଜା ଚାଲିଛି। ଜଳ ବିଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି। ପ୍ରକୃତରେ ଡାଇରିଆ ଜଳରୁ ବ୍ୟାପିଛି କି ନାହିଁ ତାହା ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇଛି। ଯେହେତୁ ରାଉରକେଲାର ବିଭିନ୍ନ ଅଞ୍ଚଳରୁ ଆକ୍ରାନ୍ତ ବାହାରୁଛନ୍ତି, ଏ ଦୃଷ୍ଟିରୁ ଜଳ ସଂକ୍ରମିତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର